ନୃତ୍ୟଧାମର ଷଷ୍ଠ ସର୍ବଭାରତୀୟ ନୃତ୍ୟ ପର୍ବ ଉଦ୍‌ଯାପିତ

ଗୁରୁ ଆଲୋକ କାନୁନ୍‌ଗୋଙ୍କୁ ଡା. ସ୍ନେହପ୍ରଭା ସାମନ୍ତରାୟ ସମ୍ମାନ ଏବଂ ଗୁରୁ ନିରଞ୍ଜନ ରାଉତଙ୍କୁ ଗୁରୁ ଦୁର୍ଗାଚରଣ ରଣବୀର ସମ୍ମାନ


ଭୁବନେଶ୍ୱର: ଭୁବନେଶ୍ୱରର ଓଡ଼ିଶୀ ରିସର୍ଚ୍ଚ ସେଂଟର ଠାରେ ଅନୁଷ୍ଠିତ ନୃତ୍ୟଧାମର ଷଷ୍ଠ ସର୍ବଭାରତୀୟ ଶାସ୍ତ୍ରୀୟ ନୃତ୍ୟପର୍ବ ଏବଂ ଗୁରୁ ନମନ ନୃତ୍ୟ ଓ ସଂଗୀତ ଉତ୍ସବ ୨୦୨୩ର ଦ୍ୱିତୀୟ ସଂନ୍ଧ୍ୟା ଆଜି ବେଶ ଉତ୍ସାହର ସହ ଉଦ୍‌ଯାପିତ ହୋଇଛି । ଉତ୍ସବର ଦ୍ୱିତୀୟ ସଂନ୍ଧ୍ୟାରେ କଲିକତାରୁ ଆସିଥିବା ଗୁରୁ ଆଲୋକ କାନୁନଗୋଙ୍କୁ ଡା. ସ୍ନେହପ୍ରଭା ସାମନ୍ତରାୟ ସମ୍ମାନ ଦ୍ୱାରା ସମ୍ମାନିତ କରାଯାଇଥିବାବେଳେ ଗୁରୁ ନିରଞ୍ଜନ ରାଉତଙ୍କୁ ଗୁରୁ ଦୁର୍ଗାଚରଣ ରଣବୀର ସମ୍ମାନ ଦ୍ୱାରା ସମ୍ମାନିତ କରାଯାଇଛି । ଏହି ଅବସରରେ ବିଶ୍ୱବିଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ଡା. ସ୍ନେହପ୍ରଭା ସାମନ୍ତରାୟ, ଦୂରଦର୍ଶନର ନିର୍ଦ୍ଦେଶକ ଶ୍ରୀମତି ଦିପ୍ତୀ ମିଶ୍ର, ସଂଗୀତ ନାଟକ ଏକାଡେମୀର ସେକ୍ରେଟାରୀ ଶ୍ରୀଯୁକ୍ତ ପ୍ରବୋଧ ରଥ, ଜିକେସିଏମ ଓଆରସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁବୋଧ ଆଚାର୍ଯ୍ୟ ଏବଂ ପ୍ରଫେସର ଡା.ଜଗନ୍ନାଥ କୁମାର ଅତିଥି ଭାବେ ଯୋଗ ଦେଇଥିଲେ ।

ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ରାଧାକୃଷ୍ଣଙ୍କ ରାସଳୀଳାକୁ ନିଜ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ବେଶ ଆକର୍ଷଣୀୟ ଢଙ୍ଗରେ ପରିବେଷଣ କରିଥିଲେ ଡା. ଶୁଭଶ୍ରୀ ପଟ୍ଟନାୟକ । ତାଙ୍କର ଏହି ନୃତ୍ୟ ଅଭିନୟ ସମସ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହାପରେ ନୃତ୍ୟଧାମ ଓଡ଼ିଶୀ ଗ୍ରୁପ ଦ୍ୱାରା ଦଶମହାବିଦ୍ୟା ନୃତ୍ୟ ପରିବେଷଣ କରାଯାଇଥିଲା, ଯାହାର ନୃତ୍ୟ ସଂଯୋଜନା କରିଥିଲେ ଡା. ସୁଭଶ୍ରୀ ପଟ୍ଟନାୟକ ।

ଏହାପରେ କଲିକତାରୁ ଆସିଥିବା ଅତନୁ ଓ ପ୍ରଣବ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ନୂପୁର ଅନୁଷ୍ଠାନ ଓଡ଼ିଶୀ ନୃତ୍ୟ ପଂଚଭୂତ ପରିବେଷଣ କରିଥିଲେ । ଯାହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ନିରଞ୍ଜନ ରାଉତ । ଶେଷରେ ରୁଦ୍ରାକ୍ଷ ଫାଉଣ୍ଡେସନ ତରଫରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯରଇଥିଲା । ଯାହାର ନୃତ୍ୟ ନିଦ୍ଦେଶନା ଦେଇଥିଲେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ।


Share It

Comments are closed.