ଗ୍ରାମ ବିକାଶ ଓଡ଼ିଶାକୁ ୨୦୨୧ ପାଇଁ ‘ସତ୍ ପଲ୍ ମିତଲ ନ୍ୟାସନାଲ ଆୱାର୍ଡ’ ପ୍ରଦାନ


ଭୁବନେଶ୍ୱର: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଶ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଦର୍ଶର ପ୍ରଚାର ପାଇଁ ସ୍ୱର୍ଗତ ଶ୍ରୀ ସତ୍ ପଲ ମିତଲଙ୍କ ଦ୍ୱାରା ୧୯୮୩ରେ ପ୍ରତିଷ୍ଠିତ ହୋଇଥିବା, ନେହେରୁ ସିଦ୍ଧାନ୍ତ କେନ୍ଦ୍ର ଟ୍ରଷ୍ଟ ପକ୍ଷରୁ ଆଜି ଭର୍ଚୁଆଲ ଭାବେ ଆୟୋଜିତ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୨୧ ପାଇଁ ସତ୍ ପଲ୍ ମିତଲ ନ୍ୟାସନାଲ ଆୱାର୍ଡ ପ୍ରଦାନ କରାଯାଇଛି । ୨୦୨୧ ବର୍ଷ ପ।।ଇଁ ସତ୍ ପଲ ମିତଲ ନ୍ୟାସନାଲ ଆୱାର୍ଡ ‘ଅନୁଷ୍ଠାନ ବର୍ଗ’ ଅଧିନରେ ସମ୍ମାନନୀୟ ଅତିଥି ଡା କିରଣ ବେଦୀଙ୍କ ଦ୍ୱାରା ଗ୍ରାମ ବିକାଶ (ଓଡ଼ିଶା)କୁ ପାଂଚ ଲକ୍ଷ ଟଙ୍କାର ନଗଦ ରାଶି ଏବଂ ଏକ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ସିଦ୍ଧାନ୍ତ କେନ୍ଦ୍ର ଟ୍ରଷ୍ଟ ଅଧ୍ୟକ୍ଷ ତଥା ଭାରତୀ ଏଂଟରପ୍ରାଇଜେସର ଉପାଧ୍ୟକ୍ଷ ଶ୍ରୀ ରାକେଶ ଭାରତୀ ମିତଲ ମଧ୍ୟ ଯୋଗ ଦେଇଛନ୍ତି ।
ଗ୍ରାମ୍ୟ ସମ୍ପ୍ରଦାୟଙ୍କୁ ଏକ ସମ୍ମାନଜନକ ଜୀବନ ଜିଇଁବାରେ ସକ୍ଷମ କରାଇବାର ଉଦ୍ଦେଶ୍ୟ ସହିତ ୧୯୭୯ ମସିହାରେ ଗ୍ରାମ ବିକାଶ ଏକ ଏନଜିଓ ଭାବେ ପ୍ରତିଷ୍ଠିତ ହୋଇଥିଲା । ଏହା ଗ୍ରାମ୍ୟ ସମ୍ପ୍ରସାୟର ସାମର୍ଥ୍ୟ ଗଠନ, ସମ୍ପ୍ରଦାୟ ଅନୁଷ୍ଠାନକର ଦୃଢ଼ୀକରଣ ଏବଂ ସମ୍ପ୍ରଦାୟକୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ସମ୍ବଳ ସଂଗ୍ରହ ଦିଗରେ କାର୍ଯ୍ୟ କରୁଛି । ଏହାର ପ୍ରମୁଖ ଧ୍ୟାନ କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଛି ଜଳ, ଜୀବିକା, ସ୍ୱଚ୍ଛତା ଓ ପରିମଳ, ବାସସ୍ଥାନ ଏବଂ ବୈଷୟିକ ଜ୍ଞାନ, ଗ୍ରାମ୍ୟ ଅନୁଷ୍ଠାନ ଏବଂ ଶିକ୍ଷା । ଏକା ସମୟରେ ଅଣ-ଅନୁଷ୍ଠାନିକ ଶିକ୍ଷା ଏବଂ ବୟସ୍କ ସାକ୍ଷରତା କେନ୍ଦ୍ର ମାଧ୍ୟମରେ ଶିକ୍ଷାକୁ ପ୍ରୋତ୍ସାହିତ କରି ଏହା ଆଦିବାସୀମାନଙ୍କୁ ମଦ ବ୍ୟବସାୟୀ ଏବଂ ଶୋଷଣକାରୀ ଅର୍ଥଦାତାମାନଙ୍କ କବଳରୁ ମୁକ୍ତ କରିବାକୁ ମଧ୍ୟ ଉଦ୍ୟମ ଚଳାଇଛି ।
ବିଜେତାଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ରାକେଶ ଭାରତୀ ମିତଲ, ଅଧ୍ୟକ୍ଷ, ନେହେରୁ ସିଦ୍ଧାନ୍ତ କେନ୍ଦ୍ର ଟ୍ରଷ୍ଟ କହିଛନ୍ତିଯେ, “ନେହେରୁ ସିଦ୍ଧାନ୍ତ କେନ୍ଦ୍ର ଟ୍ରଷ୍ଟଠାରେ ଆମର ପ୍ରୟାସ ହେଉଛି ଶିକ୍ଷା ଉପରେ ଏକ ସ୍ୱତନ୍ତ୍ର ଧ୍ୟାନ ସହିତ ସମାଜର ପଛୁଆ ବର୍ଗଙ୍କୁ ସହାୟତା କରିବା । ମୁଁ ସମସ୍ତ ବିଜେତା ଏବଂ ଆବେଦନକାରୀଙ୍କୁ ସେମାନଙ୍କ ଅତୁଳନୀୟ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଉଛି ଏବଂ ଆଶା କରୁଛି ଯେ ସେମାନେ ସମାଜର ଦୁର୍ବଳ ଶ୍ରେଣୀର ଉନ୍ନତି ଦିଗରେ ତତ୍ପରତାପୂର୍ବକ କାର୍ଯ୍ୟ କରିବା ଦିଗରେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବେ । ଏହି ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକ ଦ୍ୱାରା କରାଯାଇଥିବା ପରିବର୍ତନମୂଳକ କାର୍ଯ୍ୟ ସମଗ୍ର ଦେଶରେ ସମ୍ପ୍ରଦାୟ ମଧ୍ୟରେ ଅନ୍ତର୍ଭୁକ୍ତି ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ବହୁ ଦୂର ଯିବ ।” ଶ୍ରୀ ମିତଲ ଆହୁରି ମଧ୍ୟ କହିଛନ୍ତିଯେ, “ନେହେରୁ ସିଦ୍ଧାନ୍ତ କେନ୍ଦ୍ର ଟ୍ରଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ଏକ ଦୃଢ଼ ମୂଳଦୁଆ ସୃଷ୍ଟି କରିବାର ପ୍ରୟାସ ଜାରି ରଖିବ । ଯାହାଦ୍ୱାରା ସେମାନେ ଜୀବିକା ବିକାଶ ପାଇଁ ଉତମ ସୁଯୋଗ ପାଇବେ ଏବଂ ସମାଜ ପ୍ରତି ଅର୍ଥପୂର୍ଣ୍ଣ ଭାବେ ଯୋଗଦାନ କରିପାରିବେ ।
ମାନବିକତା ପ୍ରତି ଉଲ୍ଲେଖନୀୟ ସେବା ପାଇଁ ପ୍ରତିବର୍ଷ “ସତ ପଲ୍ ମିତଲ ନ୍ୟାସନାଲ ଆୱାର୍ଡ’ ଏବଂ ‘ସତ୍ ପଲ୍ ମିତଲ ଆପ୍ରିସିଏସନ ଆୱାର୍ଡ’ ପ୍ରଦାନ କରାଯାଇଥାଏ । ନେହେରୁ ସିଦ୍ଧାନ୍ତ କେନ୍ଦ୍ର ଟ୍ରଷ୍ଟ ପ୍ରତିବର୍ଷ ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ, ଖାଦ୍ୟ, ବାସସ୍ଥଳୀ, ଦାରିଦ୍ର‌୍ୟ ଦୂରୀକରଣ, କଳା, ସଂସ୍କୃତି, ଶିଶୁ ଅଧିକାର, ଭିନ୍ନକ୍ଷମମାନଙ୍କ କଲ୍ୟାଣ ଏବଂ ମହିଳା ସଶକ୍ତିକରଣ ବ୍ୟତୀତ ଆହୁରି ଅନେକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନଗୁଡ଼ିକୁ ସମ୍ମାନିତ କରିବା ପାଇଁ ନାମାଙ୍କନ ପତ୍ର ଆମନ୍ତ୍ରିତ କରିଥାଏ ।


Share It

Comments are closed.