ବାରାଣାସୀରୁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ମୋଦୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ଆସନ ଲାଗି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଅନେକ ବିଜେପିର ବରିଷ୍ଠ ନେତା ଉପସ୍ଥିତ ଥିଲେ । ଯେଉଁସବୁ ବିଜେପି ଏବଂ ଏନଡିଏ ନେତା ନାମାଙ୍କନ ପତ୍ର ଦାଖଲ କେନ୍ଦ୍ରରେ ଉପସ୍ଥିତ ରହିଥିଲେ ସେମାନେ ହେଲେ, ଅମିତ ଶାହ, ରାଜନାଥ ସିଂହ, ସୁଷମା ସ୍ୱରାଜ, ଉଦ୍ଧବ ଥାକରେ, ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ରାମ ବିଳାସ ପାଶ୍ୱାନ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିଥିଲେ ।
ପ୍ରଧାନମନ୍ତ୍ରୀ ଗୁରୁବାର ଦିନ ଏହି ପବିତ୍ର ସହରରେ ଏକ ମେଗା ରୋଡ଼ ଶୋ’ କରିଥିଲେ । ସାତ କିଲୋମିଟର ବ୍ୟାପି ଏହି ରୋଡ଼ଶୋରେ ହଜାର ହଜାର ସମର୍ଥକଙ୍କ ସହିତ ମୋଦୀ ସନ୍ଧ୍ୟାରେ ଦଶ୍ୱାମେଧଘାଟରେ ‘ଗଙ୍ଗା ଆରତୀ’ କରିଥିଲେ ।
ଚଳିତ ନିର୍ବାଚନରେ ଏଠାରେ ତ୍ରିମୁଖୀ ଲଢେଇ ହେବାର ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ କଂଗ୍ରେସରୁ ଅଜୟ ରାୟ ଏବଂ ସମାଜବାଦୀ ପାର୍ଟିରୁ ଶାଲିନି ଯାଦବ ମଇଦାନରେ ଅଛନ୍ତି । ପୂର୍ବଥର ଏଠାରେ ପ୍ରଧାନମନ୍ତ୍ରୀ ବିପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ ଲଢ଼ି ଅଢେଇ ଲକ୍ଷ ଭୋଟରେ ହାରିଥିଲେ । ଭାରତରେ ଅନୁଷ୍ଠିତ ହେଉଥିବା ୨୦୧୯ ମସିହା ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ ମେ ୧୯ ତାରିଖରେ ଏଠାରେ ଭୋଟଗ୍ରହଣ ଅନୁଷ୍ଠିତ ହେବ ।


Share It

Comments are closed.