ମାଇକ୍ରୋସଫ୍ଟର ଚେୟାରମ୍ୟାନ ଭାବେ ମନୋନୀତ ହେଲେ ଭାରତୀୟ ବଂଶୋଦ୍ଭବ ସତ୍ୟ ନାଡେଲା


ଭାରତୀୟ ବଂଶୋଦ୍ଭବ ତଥା ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଆଉ ଏକ ସଫଳତାର ସୋପାନ ଚଢିଛନ୍ତି । ଏବେ ମାଇକ୍ରୋସଫ୍ଟ ତାଙ୍କୁ କମ୍ପାନୀର ଚେୟାରମ୍ୟାନ୍ କରିଛି । ନଡେଲା ଜନ୍ ଥମ୍ପସନଙ୍କ ସ୍ଥାନ ନେବେ ।

ସୂଚନାନୁସାରେ, ସତ୍ୟ ନାଡେଲା ୨୦୧୪ରେ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ । ଏହାପରେ ଲିଙ୍କଡିନ୍, ନୁଆନ୍ସ କମ୍ୟୁନିକେସନ, ଜେନିମାକ୍ସ ଭଳି ଅନେକ କମ୍ପାନୀକୁ ଅଧିଗ୍ରହଣରେ ସତ୍ୟଙ୍କ ଭୂମିକା ଅଧିକ ଥିଲା ।

କମ୍ପାନୀ ଏକ ବୟାନ ଜାରି କରି କହିଛି ଯେ, ଯେ ୨୦୧୪ରେ ଥମ୍ପସନ୍ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ଠାରୁ ଚେୟାରମ୍ୟାନ ଦାୟିତ୍ୱ ଗ୍ରହଣ କରିଥିଲେ। ନାଡେଲା ଚେୟାରମ୍ୟାନ ହେବାପରେ ଥମ୍ପସନ୍ ଏହାର ଲିଡ୍ ଇଣ୍ଡିପେଣ୍ଡେଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିବେ ।

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆଉ କମ୍ପାନୀର ବୋର୍ଡରେ ନାହାଁନ୍ତି । ସେ ଓ ମେଲିଣ୍ଡା ଗେଟ୍ସ ଏବେ ସାମାଜିକ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । କମ୍ପାନୀ ନିକଟରେ ସେୟାର ପିଛା ୫୬ ସେଣ୍ଟ୍ ଲାଭାଂଶ ଦେବାକୁ ନିଷ୍ପତ୍ତି ନେଇଥିଲା । ଭାରତରେ କରୋନା ସ୍ଥିତିକୁ ନେଇ ସତ୍ୟ ନାଡେଲା ଖୁବ୍ ଦୁଃଖିତ ଥିଲେ । ସେ ଭାରତକୁ ଯଥାସମ୍ଭବ ସାହାଯ୍ୟ ମଧ୍ୟ କରିଥିଲେ ।


Share It

Comments are closed.