ଦକ୍ଷିଣ କୋରିଆ ନାଗରିକକୁ ହତ୍ୟା ଘଟଣା, କ୍ଷମା ପ୍ରାର୍ଥନ କଲେ କିମ ଜଙ୍ଗ


ଦକ୍ଷିଣ କୋରିଆର ଜଣେ ସରକାରୀ କର୍ମଚାରୀଙ୍କୁ ଉତ୍ତର କୋରିଆର ସୈନିକମାନେ ଗୁଳି କରି ହତ୍ୟା କରିବା ଘଟଣାରେ ଉତ୍ତର କୋରିଆର ଶାସକ କିମ ଜଙ୍ଗ ଉନ୍‌ ଦକ୍ଷିଣ କୋରିଆ ଠାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏପରି ଘଟଣା ଘଟିବାର ନଥିଲା ବୋଲି କିମ୍‌ କହିଛନ୍ତି ।

ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ପତ୍ରରେ ସେ ଦର୍ଶାଇଛନ୍ତି କି ଉକ୍ତ ବ୍ୟକ୍ତି ଜଣକ ଉତ୍ତର କୋରିଆର ଜଳସୀମା ଭିତରେ ଗୋଟିଏ ବସ୍ତୁକୁ ଧରି ଭାସୁଥିବାର ଦେଖାଯାଇଥିଲା । ଉତ୍ତର କୋରିଆର ସୈନିକମାନେ ତାଙ୍କୁ ନିଜର ପରିଚୟ ଦେବାକୁ କହିଥିଲେ ଏବଂ ପରିଚୟ ନଦେଲେ ଗୁଳିମାଡ଼ କରାଯିବ ବୋଲି ଚେତାବନୀ ଦେଇଥିଲେ । ହେଲେ ସେ ନିଜର ପରିଚୟ ପ୍ରକାଶ କରିନଥିଲେ । ତେଣୁ ଉତ୍ତର କୋରିଆର ସୈନିକମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳି ମାଡ଼ କରିବା ପରେ ସେ ଧରିଥିବା ବସ୍ତୁ ରକ୍ତାକ୍ତ ହୋଇଯାଇଥିଲା । ତେଣୁ ତା’କୁ ସୈନିକମାନେ ଜଳାଇଦେଇଥିଲେ । ତେବେ ସେଇ ବ୍ୟକ୍ତିଙ୍କ ମୃତଦେହକୁ ସୈନିକମାନେ ଜଳାଇନାହାନ୍ତି ।

କିମ୍‌ ଆହୁରି କହିଛନ୍ତି ଯେ କରୋନା ସଂକ୍ରମଣ ସମୟରେ ଆମକୁ ଦକ୍ଷିଣ କୋରିଆର ଲୋକ ଏବଂ ସରକାରଙ୍କୁ ସାହାଯ୍ୟ କରିବାର ଥିଲା । ମାତ୍ର ଆମେ ସେପରି କରିବା ବଦଳରେ ସେମାନଙ୍କ ମନରେ କଷ୍ଟ ଦେଇଛୁ । ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।
ସୂଚନାଯୋଗ୍ୟ ଯେ, ଉତ୍ତର କୋରିଆ ସରକାର ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଡା କଟକଣା ଲଗାଇଛନ୍ତି । ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ବେଆଇନ ଭାବେ ଦେଶର ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରେ ତାଙ୍କୁ ଗୁଳି କରି ହତ୍ୟା କରାଯିବ ।


Share It

Comments are closed.