କିଟ୍ ଓ କିସ୍ ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ


ନୂଆ ଫାଉଣ୍ଡେସନ୍ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏଫ୍‌ଆଇଭିବି ସଭାପତିଙ୍କ ଘୋଷଣା

ଭୁବନେଶ୍ୱର, ୧ ।୬: ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫ୍‌ଆଇଭିବି) ପକ୍ଷରୁ ନୂଆକରି ଗଠନ କରାଯାଇଥିବା ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ ଭାବେ ଭାରତର ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ କିଟ୍ ଓ କିସ୍‌ର ନାମ ଘୋଷଣା କରାଯାଇଛି । ଗତ ମେ ୩୦ ତାରିଖରେ ଏଫ୍‌ଆଇଭିବି ପକ୍ଷରୁ ସୁଇଜରଲାଣ୍ଡର ଜେନେଭାଠାରେ ଥିବା ଏହାର ମୁଖ୍ୟାଳୟରେ ନୂତନ କରି ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ଶୁଭାରମ୍ଭ ଅବସରରେ ଏଫ୍‌ଆଇଭିବି ସଭାପତି ଡ. ଆରି ଗ୍ରାକା କିଟ୍ ଓ କିସ୍ ନାମ ଘୋଷଣା କରିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମାଜସେବା କ୍ଷେତ୍ରରେ କରିଥିବା କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଏଫ୍‌ଆଇଭିବି ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି । ସମଗ୍ର ବିଶ୍ୱରେ ଭଲିବଲ ମ୍ୟାଚ୍ ଆୟୋଜନ କରି ଏଫ୍‌ଆଇଭିବି ସେଥିରୁ କିଛି ଅର୍ଥ ଦାନ ଆକାରରେ ଗ୍ରହଣ କରିବ । ଏହି ଦାନ ଅର୍ଥକୁ ଏଫ୍‌ଆଇଭିବି ବିଶ୍ୱର ବିଭିନ୍ନ ଦେଶରେ ସମାଜସେବା କ୍ଷେତ୍ରରେ ବିନିଯୋଗ କରିବା ହେଉଛି ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ମୁଖ୍ୟ ଲକ୍ଷ୍ୟ । ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଭାପତି ଥୋମାସ ବାକ୍‌ଙ୍କ ସମେତ ସମଗ୍ର ବିଶ୍ୱରୁ ୨ଶହରୁ ଊର୍ଦ୍ଧ୍ୱ ଦେଶରେ ଥିବା ଭଲିବଲ୍ ସଂଘର ପ୍ରତିନିଧି ଓ ଅନ୍ୟାନ୍ୟ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ମେ ୩୦ ତାରିଖରେ ଏ ନେଇ ଏଫ୍‌ଆଇଭିବି ଓ କିଟ୍ ଓ କିସ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ନିର୍ବାଚନ ଯୋଗୁଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ନ ପାରିବାରୁ ଏହି ବୁଝାମଣା ପରେ ସ୍ୱାକ୍ଷରିତ ହେବ । ସୂଚନାଯୋଗ୍ୟ, କ୍ରୀଡ଼ା କ୍ଷେତ୍ରରେ କିଟ୍ ଓ କିସ୍‌ର ଅବଦାନ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରଛି । ବିଶ୍ୱରେ ଯେତେସବୁ କ୍ରୀଡ଼ା ସଂଘ ରହିଛି ସମସ୍ତେ କ୍ରୀଡ଼ା ପ୍ରତି କିଟ୍ ଓ କିସ୍‌ର ଥିବା ଅବଦାନକୁ ପ୍ରଶଂସା କରିଆସିଛନ୍ତି । ସଂପ୍ରତି ଏଫ୍‌ଆଇଭିବି କିଟ୍ ଓ କିସ୍‌କୁ ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ଏକମାତ୍ର ସହଯୋଗୀ ଶିକ୍ଷାନୁଷ୍ଠାନ ଭାବେ ଗ୍ରହଣ କରିଛି । ଫାଉଣ୍ଡେସନ୍ ଶୁଭାରମ୍ଭ ଅବସରରେ ଏଫ୍‌ଆଇଭିବି ସହ କିଟ୍ ଓ କିସ୍‌ର ଲୋଗୋ ରଖି କିଟ୍ ଓ କିସ୍‌କୁ ଏହାର ସହଯୋଗୀ ଅନୁଷ୍ଠାନ ଘୋଷଣା କରାଯାଇଥିଲା । ଏହା ସହ କିଟ୍ ଓ କିସ୍‌କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଫ୍‌ଆଇଭିବି, ଏହାର ସଭାପତି ଡ. ଆରି ଗ୍ରାକ. ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି “ମୋ ସମାଜସେବା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏଫ୍‌ଆଇଭିବି ବିଭିନ୍ନ ଦେଶରେ ଭଲିବଲ୍ ଆୟୋଜନ ସହ ସମାଜସେବା କରିବା ନେଇ ନିଷ୍ପତ୍ତି ନେଇଥିବାରୁ ମୁଁ ଏଫ୍‌ଆଇଭିବିକୁ ସାଧୁବାଦ ଜଣାଉଛି । ନିର୍ବାଚନ ଯୋଗୁଁ ମୁଁ ଜେନେଭାରେ ଉପସ୍ଥିତ ରହିପାରି ନ ଥିଲେ ମଧ୍ୟ ଏଫ୍‌ଆଇଭିବି କିଟ୍ ଓ କିସ୍ ଅନୁଷ୍ଠାନକୁ ଯଥେଷ୍ଟ ସମ୍ମାନୀତ କରିଛନ୍ତି ।” ସମଗ୍ର ବିଶ୍ୱରୁ କିଟ୍ ଓ କିସ୍‌କୁ ଏକମାତ୍ର ସହଯୋଗୀ ଅନୁଷ୍ଠାନ ଭାବେ ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍ ଗ୍ରହଣ କରିଥିବାରୁ ଏହା ଓଡ଼ିଶା ଓ ସମଗ୍ର ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।


Share It

Comments are closed.