କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ପତ୍ରିକା ହାଟ ଅନୁଷ୍ଠିତ


ଭୁବନେଶ୍ୱର ୭ ।୧: ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’, ‘କାଦମ୍ବିନୀ ପତ୍ରିକା ହାଟ’, କବି-କବିତା କାର୍ଯ୍ୟକ୍ରମ, କୁନାକୁନି ମେଳା ଓ ଶିଶୁ ସାହିତ୍ୟ ମହୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଭାରତୀୟ ସାହିତ୍ୟିକା ମୃଦୁଳା ଗର୍ଗଙ୍କୁ ଚଳିତବର୍ଷର ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪ ଏବଂ ବିଶିଷ୍ଟ କଥାକାର, ସମ୍ପାଦକ ତଥା ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ୍‍ ସଚିବ ବିଜୟ ନାୟକଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ମାନ-୨୦୨୪ ପ୍ରଦାନ କରାଯାଇଥିଲା। ସମ୍ମାନ ଗ୍ରହଣ କରି ଶ୍ରୀମତୀ ଗର୍ଗ କହିଲେ, କାଦମ୍ବିନୀ ତଥା କିଟ୍‍, କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମାଆଙ୍କ ସ୍ମୃତିରେ ଏହି ସମ୍ମାନ ମୋତେ ପ୍ରଦାନ କରାଯାଉଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଜୀବନରେ ଟଙ୍କା ବଡ ନୁହେଁ ହୃଦୟ ବଡ଼। ଆଜି ସମାଜରେ ଭଲ ହୃଦୟର ଲୋକଙ୍କ ଯୋଗୁଁ ଦୁନିଆ ତିଷ୍ଟି ରହିଛି ବୋଲି ସେ କହିଥିଲେ। ଓଡ଼ିଆରେ ଯେତେ ସଂଖ୍ୟକ ଲଘୁ ପତ୍ରିକା ରହିଛି ହିନ୍ଦୀରେ ସେତେ ସଂଖ୍ୟକ ଲଘୁ ପତ୍ରିକା ନାହିଁ। କାଦମ୍ବିନୀ ପକ୍ଷରୁ ଲଘୁ ପତ୍ରିକାସବୁକୁ ପ୍ରୋତ୍ସାହିତ ଓ ଉତ୍ସାହିତ କରାଯିବା ପ୍ରଶଂସନୀୟ କାର୍ଯ୍ୟ ବୋଲି ଶ୍ରୀମତୀ ଗର୍ଗ କହିଥିଲେ।

ଶ୍ରୀ ନାୟକ କହିଲେ, ନିଆଁ ଓ ଚକର ଆବିଷ୍କାରଠାରୁ ପରିବର୍ତ୍ତନର ଧାରା ଦେଇ ଆମେ ଆଜି ଆଧୁନିକ ଯୁଗରେ ପହଞ୍ଚିଛୁ। ପରିବର୍ତ୍ତନ ହେଉଛି ଆମ ଜୀବନର ସବୁଠାରୁ ଅପରିବର୍ତ୍ତନୀୟ ନିୟମ। ପରିବର୍ତ୍ତନ ସଭ୍ୟତା ସହ ଜଡ଼ିତ। ଯାହା ଆମ ସହିତ ସବୁବେଳେ ରହିଥାଏ ତାହା ହେଉଛି ସଂସ୍କୃତି। ଜୀବନ ସହ ସଂସ୍କୃତି ଜଡ଼ିତ ଏବଂ ଜୀଇଁବା ସହ ସଭ୍ୟତା ଜଡ଼ିତ। ଅଚ୍ୟୁତ ସାମନ୍ତ ସଭ୍ୟତା ଓ ସଂସ୍କୃତି ମଧ୍ୟରେ ସମନ୍ୱୟ ଆଣିପାରିଛନ୍ତି। ସାହିତ୍ୟ ଓ କଳା ହେଉଛି ଗୋଟିଏ ରାଜ୍ୟର ପଦଚିହ୍ନ। କାଦମ୍ବିନୀ ହେଉଛି ଆମ ରାଜ୍ୟର ପ୍ରତିବିମ୍ବ ନୁହେଁ ପ୍ରତିଧ୍ୱନୀ ବୋଲି ଶ୍ରୀ ନାୟକ କହିଥିଲେ।

ଉତ୍ସବର ଅନ୍ୟତମ ଅତିଥି ବିଶିଷ୍ଟ ଲେଖିକା ଅନୀତା ଅଗ୍ନିହୋତ୍ରୀ କହିଲେ, ଛୋଟ ଛୋଟ ପତ୍ରିକା ହେଉଛି ସାହିତ୍ୟର ପ୍ରାଣ। ଭାରତୀୟତା ହେଉଛି ସମସ୍ତ ସାହିତ୍ୟ ଓ ସଂସ୍କୃତି ମଧ୍ୟରେ ସୁସମ୍ପର୍କ। ପତ୍ରିକାହାଟ ଏକ ଭଲ ପରିକଳ୍ପନା ବୋଲି ସେ କହିଥିଲେ।

ଜୀବନରେ କିଛି କରିବାକୁ ହେଲେ ଲୋକଙ୍କ ପାଇଁ କର ବୋଲି ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇ ଚଳଚ୍ଚିତ୍ର ଅଭିନେତା ଅଭୟ ବର୍ମା କହିଥିଲେ। ସେ କହିଲେ, କିଟ୍‍ ଓ କିସ୍‍ ବୁଲିବା ପରେ ମୁଁ ଜୀବନର ବାସ୍ତବ ମୂଲ୍ୟ ବୁଝିପାରିଛି। ଗୁରୁଙ୍କୁ କେବେ ବି ଜୀବନରେ ଭୁଲିଯିବା ଉଚିତ ନୁହେଁ। ଗୁରୁଙ୍କ ଶିକ୍ଷାକୁ ସବୁବେଳେ ମନେରଖି କାମରେ ଲଗାଇବା ଉଚିତ ବୋଲି ସେ କହିଥିଲେ। ସେହିପରି ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ସନ୍ଦୀପ ସିଂହ କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ ଜୀବନରେ ଅର୍ଥ ଓ ନାଁ କମେଇବା ସବୁକିଛି ବୋଲି ମୋର ଯେଉଁ ଧାରଣ ରହିଥିଲା ଏଠାକୁ ଆସିବା ପରେ ତାହା ଦୂର ହୋଇଯାଇଛି। ଜୀବନରେ ସମ୍ମାନ ଓ ସ୍ନେହ ସବୁଠାରୁ ବଡ଼ ବୋଲି ମୁଁ ଏଠାରୁ ଶିଖିବାକୁ ପାଇଲି। ଆଗମୀ ୩ବର୍ଷ ପାଇଁ ଓଡ଼ିଶାର ପ୍ରତିଭାଙ୍କୁ ନେଇ କିଛି କରିବେ ବୋଲି ସେ କହିଥିଲେ। ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ବିନୋଦ ଗନତ୍ରା କହିଲେ, ନିଷ୍କାମ କର୍ମଯୋଗ କଣ ତାହା ଏଠାକୁ ଆସିବା ମୁଁ ଜାଣି ପାରିଛି।

ସୂଚନାଯୋଗ୍ୟ, ମୃଦୁଳା ଗର୍ଗଙ୍କୁ ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪ ବାବଦରେ ୫ଲକ୍ଷ ଟଙ୍କାର ଅର୍ଥରାଶି, ରୌପ୍ୟ ପଦକ, ସନନ୍ଦ ପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ବିଜୟ ନାୟକଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ମାନ-୨୦୨୪ ବାବଦରେ ୧ଲକ୍ଷ ଟଙ୍କାର ଅର୍ଥରାଶି, ସନନ୍ଦ ପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ସେହିପରି ‘ସୁଲେଖା’ ସମ୍ପାଦକ ସଦାଶିବ ମିଶ୍ର ଓ ‘ଗୋଧୂଳି’ ସମ୍ପାଦିକା ବିମଳା ସିଂହଙ୍କୁ କାଦମ୍ବିନୀ ସମ୍ପାଦକ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ୧୦ହଜର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିବା ବେଳେ ପ୍ରଫେସର ବୈଷ୍ଣବ ଚରଣ ସାମଲ, ରାଧାବିନୋଦ ନାୟକ, ସୁକାମିନୀ ନନ୍ଦ, ତୁଳସୀ ଓଝା ଓ ପ୍ରଫେସର ନାରାୟଣ ସାହୁଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୪’ ପ୍ରଦାନ କରାଯାଇଥିବା। ପୁରସ୍କାର ସ୍ୱରୂପ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ସେହିପରି ପାଲା ଗାୟିକା ପ୍ରଜ୍ଞା ରାଉତଙ୍କୁ ‘କାଦମ୍ବିନୀ ସମ୍ବର୍ଦ୍ଧନା-୨୦୨୪’ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘କାଦମ୍ବିନୀ’ ଓ ‘କୁନିକଥା’ ଜାନୁଆରୀ ସଂଖ୍ୟା ଶୁଭ ଉନ୍ମୋଚନ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ‘କାଦମ୍ବିନୀ’ ଓ ‘କୁନିକଥା’ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ଡ ଇତିରାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
ଯୁବସାହିତ୍ୟ ସମ୍ମିଳନୀରେ ବିଶିଷ୍ଟ ସାହିତ୍ୟିକ ମିହିର କୁମାର ସାହୁ, ପଞ୍ଚାନନ ନାୟକ ଓ ଚିରଶ୍ରୀ ଇନ୍ଦ୍ରସିଂ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡିଲେଶ୍ୱର ରଣା, ସୌମ୍ୟା ମହାପାତ୍ର, ସଞ୍ଜୟ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ସଞ୍ଚାଳନା କରିଥିଲେ ବିଭାବତୀ ଦାଶ ଓ କୈଳାସ ବେହେରା।

ପ୍ରଜ୍ଞାପାରମିତା ରଥ, ମିୟୋଗ ରଞ୍ଜନ ପାତ୍ର ଓ ବେଦପ୍ରକାଶ ନାୟକଙ୍କୁ ଗଳ୍ପ ପାଇଁ ‘କାଦମ୍ବିନୀ ନବଉନ୍ମେଷ ପୁରସ୍କାର’ ପ୍ରଦାନ କରାଯାଇଥିବା ବେଳେ କବିତା ପାଇଁ ନିଖିଳେଶ ମିଶ୍ର, ଅବକାଶ ପ୍ରଧାନ, ସଂଘମିତ୍ରା ଭୂତିଆ, ଆଶିଷ କୁମାର ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଅନୁଷ୍ଠିତ ଶିଶୁସାହିତ୍ୟ ସମ୍ମିଳନୀ ଓ କୁନାକୁନି ମେଳାରେ ବିନୋଦ ଗନତ୍ରା, ବିଶିଷ୍ଟ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ବାବା ରାମନାରାୟଣ ଦାସ ଓ କଲିକତାସ୍ଥିତ ଏସ୍‍ଆର୍‍ଏଫ୍‍ଟିର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପ୍ରମୁଖ ଯୋଗ ଦେଇଥିବା ବେଳେ ଯୁଗଳ କିଶୋର ଷଡ଼ଙ୍ଗୀ, ଜ୍ୟୋତିର୍ମୟୀ ମହାନ୍ତି, ମାନସ ରଞ୍ଜନ ସାମଲ ଓ ଶରତ କୁମାର ନାୟକଙ୍କୁ କୁନିକଥା ପ୍ରିୟଲେଖକ ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ କୁନିକଥା କୁନି-ପ୍ରତିଭା ପୁରସ୍କାର ସହ ଶିଶୁସାହିତ୍ୟ ସମ୍ମିଳନୀ ଓ କୁନାକୁନି ମେଳା ଏବଂ କଥା-କବିତା-ନୃତ୍ୟ-ସଙ୍ଗୀତ କାର୍ଯ୍ୟକ୍ରମ କୁନି ପ୍ରତିଭାମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା।

ଏହି ଅବସରରେ କବି ଓ କବିତା ଶୀର୍ଷକ ସମ୍ପାଦକ-କବିମାନଙ୍କୁ ନେଇ ଅନୁଷ୍ଠିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ୱ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ମୋଟ ୬ ହଜାରରୁ ଊର୍ଦ୍ଧ୍ୱ ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିବା ବେଳେ ୫ଶହରୁ ଊର୍ଦ୍ଧ୍ୱ ପତ୍ରିକା ‘ପତ୍ରିକା ହାଟ’ରେ ଯୋଗଦେଇଥିଲେ।


Share It

Comments are closed.