କିଟ୍ ଲ ସ୍କୁଲରେ ଏନଡିଆଇଇଏଏସ୍‌-୨୦୨୪ ଆଲୋଚନାଚକ୍ର


ଭୁବନେଶ୍ୱର, ୨୨/୧/୨୦୨୪ : କିଟ୍ ଲ ସ୍କୁଲରେ ସୋମବାର ପରିବେଶ ମାନବବିଜ୍ଞାନର ନୂତନ ଦିଗ ଓ ଚିନ୍ତାଧାରା ଉପରେ ଏକ ଅନ୍ତର୍ଜାତୀୟ ଆଲୋଚନାଚକ୍ର (ଏନଡିଆଇଇଏଏସ୍‌-୨୦୨୪) ଉଦ୍‍ଘାଟିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଆଲୋଚନାଚକ୍ରରେ ପରିବେଶ ମାନବବିଜ୍ଞାନ, ଗ୍ରୀନ୍‍ କ୍ରାଇମ୍‍, ଇକୋ-କ୍ରିଟିସିଜମ୍‍, ଇକୋ-ଫେମିନିଜମ, ସ୍ଥାୟୀ ବିକାଶ, ଜୌବ ବିବିଧତା ଓ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ସାଂପ୍ରତିକ ବୈଶ୍ୱିକ ସମସ୍ୟା ଉପରେ ଆଲୋଚନା କରାଯିବ। ଏନଡିଆଇଇଏଏସ୍ -୨୦୨୪ର ଉଦ୍ଦେଶ୍ୟ ହେଉଛି “ମାନବିକତା, ପରିବେଶ ଏବଂ ସାମାଜିକ ରାଜନୈତିକ ଗତିଶୀଳତା’ ମନୁଷ୍ୟ ବଞ୍ଚିବା ଏବଂ ପରିବେଶ ସ୍ଥାୟିତ୍ତ୍ୱକୁ ପ୍ରଭାବିତ କରୁଥିବା ସାମାଜିକ-ରାଜନୈତିକ ଏବଂ ଆଇନଗତ ଢାଞ୍ଚା ମଧ୍ୟରେ ପରସ୍ପର ସମ୍ପର୍କକୁ ଅନୁସନ୍ଧାନ କରିବା। କିଟ୍‍ ଲ ସ୍କୁଲ ନିର୍ଦ୍ଦେଶକ ପ୍ରଫେସର ଡ. ରୋଜ୍ ଭର୍ଗିସ୍ କହିଲେ, ଏନ୍‌ଡିଆଇଇଏଏସ୍ -୨୦୨୪ର ଉଦ୍ଦେଶ୍ୟ ହେଉଛି ମାନବିକତା ଏବଂ ପରିବେଶ ମଧ୍ୟରେ ସମ୍ପର୍କ ବିଷୟରେ ଆମର ବୁଝାମଣାକୁ ପୁନଃ ନିର୍ଦ୍ଧାରଣ କରିବା ଏବଂ ପରିବେଶ ଆହ୍ୱାନର ମୁକାବିଲା କରିବା। ଏହି ଆଲୋଚନାଚକ୍ର ଏକ ସ୍ଥାୟୀ ପରିବେଶ ଉପରେ ସେମାନଙ୍କର ପ୍ରଭାବକୁ ଆକଳନ କରିବ।

ଉଦ୍‌ଘାଟନୀ ଉତ୍ସବରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂହ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କିସ୍ ଉପ-କୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା ଏବଂ ସଂସ୍କୃତି ମନ୍ତ୍ରାଳୟର ଆଇଜିଆରଏମ୍‌ଏସ୍ ନିର୍ଦ୍ଦେଶକ ପ୍ରଫେସର ଅମିତାଭ ପାଣ୍ଡେ, ଏନଡିଆଇଇଏଏସ୍‌-୨୦୨୪ର ଆବାହକ ଡ. ତୁଳିଶ୍ରୀ ପ୍ରଧାନ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଆଲୋଚନାଚକ୍ରରେ ପରିବେଶ ମାନବବିଜ୍ଞାନ, ଆଇନ ଓ ରାଜନୀତିର ବିଶେଷଜ୍ଞ ଅଧ୍ୟାପକମାନେ ସାମିଲ ହୋଇଛନ୍ତି। ଏହି ଆଲୋଚନାଚକ୍ର ଏକ ସ୍ଥାୟୀ ଭବିଷ୍ୟତ ଦିଗରେ ପରିବର୍ତ୍ତନମୂଳକ ଆଲୋଚନା ଏବଂ ସହଯୋଗୀ ପ୍ରୟାସ ପାଇଁ ଏକ ମାଧ୍ୟମ ହେବ ବୋଲି ଉପସ୍ଥିତ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


Share It

Comments are closed.