ବଙ୍ଗୋପସାଗରରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ, ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି


ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ (Bay of Bengal) ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଉପକୂଳ, ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ଭଦ୍ରକ, କଟକ, ଖୋର୍ଦ୍ଧା, ବାଲେଶ୍ବର, ଯାଜପୁର, ନୟାଗଡ଼, ଗଞ୍ଜାମ, କେନ୍ଦ୍ରାପଡ଼ା, ପୁରୀ, ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ସେହିପରି ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ ସହ ୟେଲୋ ୱାର୍ଣ୍ଣିଂ (Yellow alert) ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ସତର୍କ ରହିବା ନେଇ ଏସଆରସିଙ୍କ ପକ୍ଷରୁ ଆର୍ଲଟ ଜାରି କରାଯାଇଛି ।

ସୂଚନା ଥାଉ କି, ଭାରତକୁ ମୌସୁମୀ ଛୁଇଁଥିବା ବେଳେ ଦେଶର ବହୁ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ନିଅଣ୍ଟିଆ ବର୍ଷା ହୋଇଛି । ଏପରିକି କିଛି ସ୍ଥାନରେ ୫୦ ପ୍ରତିଶତରୁ ମଧ୍ୟ କମ୍ ବର୍ଷା ହୋଇଛି । ସେହିପରି ରାଜ୍ୟରେ ଚଳିତ ବର୍ଷ ମୌସୁମୀ (Monsoon) ବିଳମ୍ବରେ ଆସିଥିବା ବେଳେ ଜୁନ୍ ମାସରେ ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ରିପୋର୍ଟ କହୁଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେବା ଯୋଗୁଁ ରାଜ୍ୟରେ ଗତ କିଛି ଦିନ ହେବ ବର୍ଷାର ପରିମାଣ କମିବା ସହ ତାପମାତ୍ରା ବୃଦ୍ଧି ପାଇଥିଲା । ଫଳରେ ଆଷାଢ ଓ ଶ୍ରାବଣ ମାସରେ ଗରମରେ ଛଟପଟ ହେଉଥିଲେ ରାଜ୍ୟବାସୀ । ଅନ୍ୟପଟେ ବାୟୁମଣ୍ତଳର ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ବୃଦ୍ଧି ପାଇଥିଲା । ସେପଟେ ବୁଧବାର ଦିନ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ବେଳେ ମଧ୍ଯରାତ୍ରରେ ଦୀର୍ଘ ସମୟ ଧରି ମୁଷଳ ଧାରାରେ ବର୍ଷା ଲାଗି ରହିଥିଲା । ବର୍ଷା ଯୋଗୁଁ ରାଜଧାନୀରେ ପାଗ ଥଣ୍ତା ରହିଛି । ସେପଟେ, ପ୍ରଶାନ୍ତ ମହାସାଗରରେ ‘ଏଲନିନୋ’ ସୃଷ୍ଟି ହେବା ସହିତ ସମୁଦ୍ରର ଉପରିଭାଗର ତାପମାତ୍ରା ରେକର୍ଡ଼ ସ୍ତରକୁ ବୃଦ୍ଧି ପାଇଛି । ଫଳରେ ସମୁଦ୍ରରେ ଗରମ ବାୟୁ ପ୍ରବାହିତ ହେଉଛି । ଏହା ଯୋଗୁଁ ପାଣିପାଗରେ ତାରତାମ୍ୟ ଦେଖାଦେଇଥାଏ । ଏହାର ଯୋଗୁଁ ପାଣିପାଗରେ ତାରତମ୍ୟ ଦେଖାଦେଇଥାଏ । ସେପଟେ ଆଗାମୀ ଦିନରେ ବିଶ୍ବର ବିଭିନ୍ନ ଭାଗରେ ଭୀଷଣ ପାଣିପାଗ ପ୍ରଭାବମାନ ଦେଖାଯିବ। ଜାତିସଂଘର ପାଣିପାଗ ସଂଗଠନ ଏନେଇ ସତର୍କବାଣୀ ଦେଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ଯ ସମାନ କଥା କହିଛି । ପ୍ରଶାନ୍ତ ମହାସାଗରରେ ଏଲନିନୋ ସୃଷ୍ଟି ହୋଇସାରିଛି । ଏହାର ପ୍ରଭାବରେ ବିଶ୍ବର ବିଭିନ୍ନ ପ୍ରାନ୍ତରେ ମରୁ଼ଡ଼ି, ବନ୍ୟା, ସାମୁଦ୍ରିକ ଝଡ଼, ଅବିସ୍ରାନ୍ତ ବର୍ଷା ଓ ବରଫ ତରଳିବା ଭଳି ଗୁରୁତର ପ୍ରଭାବ ଦେଖାଦେବ । ଏଥିଲାଗି ସରକରା ପ୍ରସ୍ତୁତ ରହିବାକୁ ଜାତିସଂଘର ପାଣିପାଗ ସଂଗଠନ ସତର୍କ କରାଇଛି । ଭାରତ ସହିତ ଅନ୍ୟ ଏସୀୟ ଦେଶ ଗୁଡ଼କରେ ଏହାର ଗୁରୁତର ପ୍ରଭାବ ପଡ଼ିବ ବୋଲି ଆଶଙ୍କା ରହିଛି ।


Share It

Comments are closed.