ପୁଣି ଫେରିଲା ଚାମ୍ପିଆନ୍ସ ଟ୍ରଫି, ବିଶ୍ୱକପରେ ଖେଳିବେ ୨୦ ଦଳ


ଆଇସିସିର ଆଗାମୀ ଆଠ ବର୍ଷର ଫ୍ୟୁଚର ଟୁର ଓ ପ୍ରୋଗ୍ରାମ (ଏଫ୍‌ଟିପି) ଘୋଷଣା ହୋଇଛି । ୨୦୨୪ରୁ ୨୦୩୧ ମଧ୍ୟରେ ଘୋଷିତ ଏହି କ୍ରୀଡ଼ାସୂଚୀରେ କିଛି ପରିବର୍ତ୍ତନ କରାଯାଇଛି । ଏହି ଆଠ ବର୍ଷର ସୂଚୀ ବେଶ୍‌ ବ୍ୟସ୍ତ ବହୁଳ ରହିଛି । ପ୍ରତି ଦୁଇ ବର୍ଷରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜିତ ହେବ । ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଦଳ ସଂଖ୍ୟା ବଢ଼ିବ । ସେହିପରି ୨୦୨୫ରୁ ପୁରୁଷ ଚାମ୍ପିଅନ୍ସ ଟ୍ରଫି ପୁନଃ ଆରମ୍ଭ ହେବ ।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌
ପ୍ରତି ଦୁଇ ବର୍ଷରେ ଥରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜିତ ହେବ । ୨୦୨୪, ୨୦୨୬, ୨୦୨୮ ଓ ୨୦୩୦ ବିଶ୍ୱକପ୍‌ ଖେଳାଯିବ । ପୁରୁଷ ବର୍ଗରେ ଦଳ ସଂଖ୍ୟା ବୃଦ୍ଧି ପାଇବ । ପୂର୍ବରୁ ୧୬ଟି ଦଳ ଖେଳୁଥିଲେ କିନ୍ତୁ ୨୦୨୫ରୁ ୨୦ଟି ଦଳ ଖେଳିବେ । ଦଳ ବଢ଼ିଲେ ମ୍ୟାଚ୍‌ ସଂଖ୍ୟା ୫୫ ହେବ ।

ଚାମ୍ପିଅନ୍ସ ଟ୍ରଫି
୫୦ ଓଭର ବିଶିଷ୍ଟ ଚାମ୍ପିଅନ୍ସ ଟ୍ରଫି ଶେଷ ଥର ୨୦୧୭ରେ ଖେଳାଯାଇଥିଲା । ପୁଣି ୨୦୨୫ରୁ ଏହା ଆରମ୍ଭ ହେବ । ଆଇସିସି ମାନ୍ୟତା ତାଲିକାର ଶ୍ରେଷ୍ଠ ୮ଟି ଦଳ ଏଥିରେ ସାମିଲ ହେଉଥିଲେ । ୨୦୨୫ ଓ ୨୦୨୯ ଦୁଇଟି ସଂସ୍କରଣ ରହିଛି ।

୧୯୯୮ ମସିହାରୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହୋଇଥିଲା । ପ୍ରଥମ ସଂସ୍କରଣରେ ଦକ୍ଷିଣ ଆଫ୍ରିକା ଚାମ୍ପିଅନ ହୋଇଥିଲା । ୨୦୦୦, ୨୦୦୨, ୨୦୦୪, ୨୦୦୬, ୨୦୦୯, ୨୦୧୩ ଓ ୨୦୧୭ ଏମିତି ମୋଟ୍‌ ୮ଟି ସଂସ୍କରଣ ଖେଳାଯାଇଛି । ଭାରତ ଓ ଅଷ୍ଟ୍ରେଲିଆ ଉଭୟ ଦୁଇ ଥର ଲେଖାଏଁ ଟାଇଟଲ ଜିତିଛନ୍ତି । ଗ୍ରୁପ୍‌, ସେମି ଫାଇନାଲ ଓ ଫାଇନାଲ ଏହି ପର୍ଯ୍ୟାୟରେ ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥାଏ ।

୨୦୨୭ରୁ ଦିନିକିଆ ବିଶ୍ୱକପ୍‌ରେ ୧୪ ଦଳ
୨୦୨୭ ଓ ୨୦୩୧ ଦିନିକିଆ ବିଶ୍ୱକପ୍‌ରେ ଖେଳିବେ ୧୪ଟି ଦଳ । ଦଳ ବଢ଼ିବା ପରେ ମ୍ୟାଚ୍‌ ସଂଖ୍ୟା ୫୪ ହେବ । କ୍ରିକେଟକୁ ବିଶ୍ୱରେ ଅଧିକ ଲୋକପ୍ରିୟ କରାଇବା ନେଇ ଆଇସିସିର ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି । ଯଦି ୧୦ ଦଳକୁ ନେଇ ବିଶ୍ୱକପ୍‌ ଏମିତି ଆୟୋଜନ ଜାରି ରହେ ତେବେ କ୍ରିକେଟ୍‌ର ଲୋକପ୍ରିୟତା ବ୍ୟାପକ ହେବ ନାହିଁ ବୋଲି ଆଇସିସି ବୈଠକରେ ବୋର୍ଡର ସଦସ୍ୟମାନେ ମତ ଦେଇଥିଲେ ।

୨୦୨୩ ବିଶ୍ୱକପ୍‌ ଭାରତ ଆୟୋଜନ କରିବ । ଏହି ବିଶ୍ୱକପ୍‌ରେ ଶେଷ ଥର ପାଇଁ ୧୦ଟି ଦଳ ଖେଳିବେ । ଦଳ ସଂଖ୍ୟା ବଢ଼ିବା ପରେ ପୁଣି ବିଶ୍ୱକପ୍‌କୁ “ସୁପର ସିକ୍ସ’ ପର୍ଯ୍ୟାୟ ଫେରିବ ବୋଲି ଆଶା କରାଯାଉଛି । ୧୯୯୯ରୁ ୨୦୦୭ ପର୍ଯ୍ୟନ୍ତ ବିଶ୍ୱକପ୍‌ରେ ଏହି ଫର୍ମାଟ ଜାରି ରହିଥିଲା । ଆଇସିସିର ବୋର୍ଡ ସଦସ୍ୟମାନେ “ସୁପର ସିକ୍ସ’ ଫର୍ମାଟ୍‌ ସପକ୍ଷରେ ପ୍ରସ୍ତାବ ଦେଇଛନ୍ତି । ୨୦୦୭ରେ ଭାରତ ସହଜ ଗ୍ରୁପ୍‌ରେ ସାମିଲ ହୋଇଥିଲେ ବି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇ ପାରି ନଥିଲା । ୨୦୧୧ ଓ ୨୦୧୫ ବିଶ୍ୱକପ୍‌ରେ କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ସାମିଲ ହୋଇଥିଲା ।୨୦୦୩ ସଂସ୍କରଣରେ ୧୪ଟି ଦଳ ଖେଳିଥିଲେ । ଏହି ସଂସ୍କରଣରେ ଦୁଇଟି ଗ୍ରୁପ୍‌ ହୋଇଥିଲେ । ପ୍ରତ୍ୟେକ ଗ୍ରୁପ୍‌ରୁ ୩ଟି ଦଳ ସୁପର ସିକ୍ସକୁ ଉନ୍ନୀତ ହୋଇଥିଲେ । “ସୁପର ସିକ୍ସ’ର ଶ୍ରେଷ୍ଠ ଦଳ ସେମି ଫାଇନାଲ ଖେଳିଥିଲେ ।

ବିଶ୍ୱକପ୍‌ରେ ଦଳ ସଂଖ୍ୟା ବୃଦ୍ଧି ପାଇବା ପରେ ଆୟୋଜକ ଦଳକୁ ଛାଡ଼ି ଅବଶିଷ୍ଟ ୧୩ଟି ଦଳ ଦିନିକିଆ ସୁପର ଲିଗ୍‌ ମାଧ୍ୟମରେ ଯୋଗ୍ୟତା ହାସଲ କରିବେ ନା ନାହିଁ ତାହା କିଛି ସ୍ପଷ୍ଟ ହୋଇନି । କିନ୍ତୁ ୨୦୨୩ ବିଶ୍ୱକପ୍‌ ପାଇଁ ସୁପର ଲିଗର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ୭ ଦଳ ସିଧାସଳଖ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିଛନ୍ତି । ସେମିତି ଭାରତ ଆୟୋଜକ ଭାବେ ଯୋଗ୍ୟତା ଲାଭ କରିଛି । ଅବଶିଷ୍ଟ ୨ଟି ଦଳ ଯୋଗ୍ୟତା ପର୍ଯ୍ୟାୟ ଜରିଆରେ ଟିକେଟ୍‌ ହାସଲ କରିବେ ।

ଜାରି ରହିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌
ଟେଷ୍ଟ କ୍ରିକେଟ୍‌ରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଜାରି ରହିବ । ଏହାକୁ ଆଇସିସି ବୋର୍ଡ ସମର୍ଥନ ଜଣାଇଛି । ପ୍ରଥମ ସଂସ୍କରଣର ଫାଇନାଲ ଆସନ୍ତା ୧୮ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନରେ ଆରମ୍ଭ ହେବ । ଫାଇନାଲ ଶେଷ ହେବା ପରେ ପରବର୍ତ୍ତୀ ସଂସ୍କରଣ ଆରମ୍ଭ ହେବ ।ମୋଟ୍‌ ୯ଟି ଦଳ ୬ଟି ସିରିଜ୍‌ ଖେଳିବେ । ପ୍ରତି ଦୁଇ ବର୍ଷରେ ଫାଇନାଲ ଖେଳାଯିବ । ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଶେଷ ହେବା ପରେ ପରବର୍ତ୍ତୀ ଫାଇନାଲ ୨୦୨୫, ୨୦୨୭, ୨୦୨୯ ଓ ୨୦୩୧ରେ ଖେଳାଯିବ ।

ମହିଳା ଟି-ଟ୍ୱେଣ୍ଟି ଚାମ୍ପିଅନ୍ସ ଟ୍ରଫି୍
ନୂଆ ସୂଚୀରେ ମହିଳା କ୍ରିକେଟରେ ଦୁଇଟି ଟି-ଟ୍ୱେଣ୍ଟି ଚାମ୍ପିଅନ୍ସ ଟ୍ରଫିକୁ ସାମିଲ କରାଯାଇଛି । ୨୦୨୭ ଓ ୨୦୩୧ରେ ଦୁଇଟି ସଂସ୍କରଣ ଖେଳାଯିବ । ସେମିତି ପ୍ରତି ଦୁଇ ବର୍ଷରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଛି । ୨୦୨୫ ଓ ୨୦୨୯ରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ ।

ବିସିସିଆଇକୁ ସମୟ
ଅକ୍ଟୋବର-ନଭେମ୍ବର ମାସରେ ଆୟୋଜିତ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ଏହି ବିଶ୍ୱକପ୍‌ର ଆୟୋଜନ କରିବ ଭାରତ । କରୋନା ମହାମାରୀ ପାଇଁ ଆଇପିଏଲ-୧୪ ଅଧାରୁ ସ୍ଥଗିତ ରଖିବାକୁ ବିସିସିଆଇ ବାଧ୍ୟ ହୋଇଥିଲା । ଜୈବ ସୁରକ୍ଷା ବଳୟରେ ଖେଳାଳି ସଂକ୍ରମିତ ହେବା ପରେ ଗତ ମାସ ୪ ତାରିଖରୁ ଆଇପିଏଲ୍‌ ସ୍ଥଗିତ ରହିଛି । ଆଇସିସିର ପ୍ରତିନିଧି ଦଳ ମହାମାରୀ ସମୟରେ ବିସିସିଆଇର ଆଇପିଏଲ ଆୟୋଜନ ଉପରେ ନଜର ରଖିଥିଲେ । କିନ୍ତୁ ବିସିସିଆଇ ଲିଗ୍‌କୁ ପୂର୍ଣ୍ଣାଙ୍ଗ କରିପାରି ନଥିଲା । ତେଣୁ ଭାରତରେ ଆଗକୁ ବିଶ୍ୱକପ୍‌ ଆୟୋଜନ ଆଶଙ୍କାରେ ରହିଛି । କିନ୍ତୁ ବିସିସିଆଇ ଚାହୁଁଛି ବିଶ୍ୱକପ୍‌କୁ ଘରୋଇ ଭେନ୍ୟୁରେ ଆୟୋଜନ କରିବ ।

ସେଥିପାଇଁ ଏ ସଂପର୍କରେ ନିଷ୍ପତ୍ତି ନେବା ପାଇଁ ଆଇସିସିକୁ ଅଧିକ ସମୟ ମାଗିଥିଲା ବୋର୍ଡ । ଆଇସିସି ମଧ୍ୟ ଏଥିରେ ରାଜି ହୋଇଛି । ବିସିସିଆଇ ଜୁନ ୨୮ ପର୍ଯ୍ୟନ୍ତ ସମୟ ଦେଇଛି । ଏହି ସମୟ ମଧ୍ୟରେ ବିଶ୍ୱକପ୍‌ କେଉଁଠି ଏବଂ କିପରି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ତାହା ବିସିସିଆଇ ନିଷ୍ପତ୍ତି ନେଇ ଆଇସିସିକୁ ଅବଗତ କରାଇବ ।

ଯାହା ସୂଚନା ରହିଛି, ବିଶ୍ୱକପ୍‌ ସଂପର୍କରେ ବିସିସିଆଇ ପୁଣି ଏକ ଏସ୍‌ଜିଏମ୍‌ ଡକାଇବ । ଦେଶରେ ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ସେପ୍ଟେମ୍ବର-ଅକ୍ଟୋବର ଆଡ଼କୁ ସଂକ୍ରମଣର ତୃତୀୟ ଲହରୀ ଆସିପାରେ । ଯାହା ଦ୍ୱିତୀୟ ଲହରୀଠୁ ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।ଯଦି ବିସିସିଆଇ ଘରୋଇ ଭେନ୍ୟୁରେ ବିଶ୍ୱକପ୍‌ ଆୟୋଜନ କରି ନପାରେ ତେବେ ୟୁଏଇ କିମ୍ବା ଓମାନର ରାଜଧାନୀ ମସ୍କଟରେ କରିବ । ୟୁଏଇରେ ଆୟୋଜନ ଦ୍ୱାରା ବୋର୍ଡ କିଛି ଆର୍ଥିକ କ୍ଷତି ସହିବ ।ଏହି କ୍ଷତିକୁ ଏଡ଼ାଇବା ପାଇଁ ବିସିସିଆଇ ଘରୋଇ ଭେନ୍ୟୁରେ ଆୟୋଜନ ନେଇ ପ୍ରୟାସ କରୁଛି ।

ଭେନ୍ୟୁ ତାଲିକାରେ ମୁମ୍ବାଇ, ଅହମ୍ମଦାବାଦ
ବିଶ୍ୱକପ୍‌ ଆୟୋଜନ ସଂପର୍କରେ ବିସିସିଆଇ କେନ୍ଦ୍ର ସରକାରଙ୍କ ସହ ଆୟୋଜନ କରିବ । ବୋର୍ଡର ଯୋଜନା ଅନୁସାରେ, ଏକାଧିକ ସହରରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନକରି କେବଳ ଗୋଟିଏ ସହରରେ ସୀମିତ ରହିବ । ମୁମ୍ବାଇ ଏହି ତାଲିକାରେ ରହିଛି । ମୁମ୍ବାଇରେ ୩ଟି ଷ୍ଟାଡିୟମ ରହିଛି, ତେଣୁ ଲିଗ୍‌ ପର୍ଯ୍ୟାୟ ଏଠାରେ ଖେଳାଯାଇ ପାରିବ । ସେମିତି ପୁନେକୁ ଏଥିରେ ସାମିଲ କରାଯାଇ ପାରେ । କାରଣ ପୁନେକୁ ମାତ୍ର ଦୁଇ ଘଣ୍ଟାର ଦୂରତା । ସେମିତି ଅହମ୍ମଦାବାଦରେ ନକ୍‌ଆଉଟ୍‌ ଓ ଫାଇନାଲ ଖେଳାଯିବାର ଯୋଜନା ହେଉଛି


Share It

Comments are closed.