ଫେବୃଆରୀ ୭ ତାରିଖରେ ତିନି ଦିନିଆ ଓଡିଶା ଟ୍ରାଭେଲ ବାଜାର୍ ୨୦୨୩-୨୪ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ


ଭୁବନେଶ୍ୱର : ଭାରତ ଓ ସମଗ୍ର ବିଶ୍ୱରେ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଏଫ୍‌ଆଇସିସିଆଇ) ମିଳିତ ଭାବେ ଆସନ୍ତା ଫେବୃଆରୀ ୭ରୁ୯ ତାରିଖ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍ କୋଣାର୍କଠାରେ ଓଡିଶା ଟ୍ରାଭେଲ ବାଜାର୍ (ଓଟିବି) ୨୦୨୩-୨୪ର ୫ମ ସଂସ୍କରଣର ଆୟୋଜନ କରିବେ । ଆସନ୍ତା ଫେବୃଆରୀ ୭ ତାରିଖରେ ଏହି ପ୍ରଦର୍ଶନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିବେ ।
ଭାରତର ଘରୋଇ ଗ୍ରାହକଙ୍କ ସମେତ ଆନ୍ତର୍ଜାତୀୟ ବଜାରଗୁଡିକ ପାଇଁ ଓଡିଶାରେ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀକୁ ପ୍ରୋତ୍ସାହିତ କରିବା ଲାଗି ଏକ ପ୍ଲାଟ୍‌ଫର୍ମ ସୃଷ୍ଟି କରିବା ଓଡିଶା ଟ୍ରାଭେଲ ବାଜାର ୨୦୨୩-୨୪ର ପ୍ରାଥମିକ ଉଦ୍ଦେଶ୍ୟ ହେବ । ଏହି ପ୍ରସଙ୍ଗରେ ରାଜ୍ୟର ଏକ ସମ୍ପୂର୍ଣ୍ଣ ନୂତନ ଦୃଷ୍ଟିକୋଣକୁ ଉପସ୍ଥାପନ କରି ଓଡିଶାକୁ ଆନ୍ତର୍ଜାତୀୟ ମାନକ ବିଶିଷ୍ଟ ଏକ ବହୁମୂଖୀ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ରଣନୈତିକ ପଦକ୍ଷେପ ଗ୍ରହଣ କରିଛି ।
ଏହି କାର୍ଯ୍ୟକ୍ରମ ଡୋମେଷ୍ଟିକ ଟୁର୍ ଅପରେଟର (ଡିଟିଓ) ଏବଂ ଫରେନ୍ ଟୁର୍ ଅପରେଟର (ଏଫ୍‌ଟିଓ)ଙ୍କ ସହ ଟୁରିଜିମ୍ ଫ୍ରାଟର୍ନିଟି ଅଫ୍ ଓଡିଶା (ସେଲର୍‌)ର ବି୨ବି ବୈଠକଗୁଡିକ ସମେତ ଓଡିଶାର ବିଭିନ୍ନ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀକୁ ଟ୍ରିପ୍ ଉପରେ ଗୁରୁତ୍ୱ ଦେବ । ଏହି କାର୍ଯ୍ୟକ୍ରମରେ ନିବେଶକ ଓ ଏୟାରଲାଇନ ଅପରେଟରମାନଙ୍କ ସହ ବି୨ଜି ବୈଠକର ଯୋଜନା ମଧ୍ୟ ରହିଛି । ସେଲରମାନେ ୩ ଦିନର ପ୍ରଦର୍ଶନୀ ସମୟରେ ନିଜର ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବା ପାଇଁ ସୁଯୋଗ ପାଇବେ ।
ଏହି ପରିପ୍ରେକ୍ଷୀରେ ଆଜି ସ୍ୱସ୍ତି ପ୍ରିମିୟମ, ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ୍ ମହାନ୍ତି ମିଡିଆ ସହ ଆଲୋଚନା କରିବା ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ଦ୍ୱାରା କରାଯାଉଥିବା ବିଭିନ୍ନ ପ୍ରୟାସଗୁଡିକୁ ଏବଂ ରାଜ୍ୟର ଅଣଆବିଷ୍କୃତ ଗନ୍ତବ୍ୟସ୍ଥଳୀଗୁଡିକୁ ଲୋକପ୍ରିୟ କରିବା ପାଇଁ ଭ୍ରମଣ ଓ ପର୍ଯ୍ୟଟନ ଶିଳ୍ପର ହିତାଧିକାରୀମାନଙ୍କ ସକ୍ରିୟ ସହଭାଗିତାର ଆବଶ୍ୟକତାକୁ ଆଲୋକପାତ କରିଥିଲେ ।
ଏହି ଅବସରରେ ଓଡିଶା, ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଆଇଏଏସ୍ ଶ୍ରୀ ସୁରେନ୍ଦ୍ର କୁମାର, ଓଡିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ, ଆଇଏଏସ୍ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଏଫ୍‌ଆଇସିସିଆଇ ଟ୍ରାଭେଲ, ଟୁରିଜିମ୍ ଓ ହସ୍ପିଟାଲିଟି କମିଟି ଉପାଧ୍ୟକ୍ଷ ଏବଂ ସ୍ୱସ୍ତି ହୋଟେଲ୍ସର ସିଏମ୍‌ଡି ଶ୍ରୀ ଜେ.କେ. ମହାନ୍ତ୍ରି ଗଣମାଧ୍ୟମ କର୍ମକର୍ତାଙ୍କୁ ସମ୍ବୋଧିତ କରିଥିଲେ । ସେମାନେ ସମଗ୍ର ବିଶ୍ୱର ଭ୍ରମଣ ଓ ପର୍ଯ୍ୟଟନ ଶିଳ୍ପର ହିତାଧିକାରୀଙ୍କ ସହିତ ଯୋଗାଯୋଗ କରିବା ପାଇଁ ଏକ ପ୍ଲାଟ୍‌ଫର୍ମ ପ୍ରଦାନ କରିବା ଏବଂ ସେମାନଙ୍କୁ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ଅନୁଭୂତି ପାଇବାରେ ସାହାଯ୍ୟ କରିବା ପ୍ରସଙ୍ଗରେ ଓଡିଶା ଟ୍ରାଭେଲ ବାଜାର୍‌ର ମହତ୍ୱ ଉପରେ କହିଥିଲେ, ଯାହାଫଳରେ ଭ୍ରମଣ ସମୁଦାୟ ହେଉ କିମ୍ବା ନିବେଶକ, ଲକ୍ଷିତ ଦର୍ଶକଙ୍କ ନିକଟରେ ଓଡିଶା ପର୍ଯ୍ୟଟନର ଉନ୍ନତ ପ୍ରଚାର ପ୍ରସାର ହୋଇପାରିବ ।


Share It

Comments are closed.