ଓଡିଶାରେ ପହଂଚିଛି ‘ଇଞ୍ଜିନିୟର୍ସ ଟେକ୍ ରଥଯାତ୍ରା’


ଭୁବନେଶ୍ୱର : ବିଶ୍ୱ ରେକର୍ଡଧାରୀ ତଥା ଟେକ୍ନୋଲୋଜି ବିଶେଷଜ୍ଞ ବିମଲ ଦାଗା ଏକ ଅସାଧାରଣ ଅଭିଯାନ ‘୰ବି ଦ କ୍ରିଏଟର’ର ଉନ୍ମୋଚନ କରିଛନ୍ତି ଏବଂ ଓଡିଶାରେ ଔପଚାରିକ ଭାବେ ଜାତୀୟ ସ୍ତରୀୟ ‘ଇଞ୍ଜିନିୟର୍ସ ଟେକ୍ ଓଡିସି’ର ଉଦ୍‌ଘାଟନ କରିଛନ୍ତି । ଏହା ହେଉଛି ଟେକ୍ନୋଲୋଜି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଜାତୀୟସ୍ତରୀୟ ଅଭିଯାନ । ଜୟପୁର, ଉଦୟପୁର ଓ ଦିଲ୍ଲୀ ଅତିକ୍ରମ କରି ନିଜ ଯାତ୍ରା ସମ୍ପୂର୍ଣ୍ଣ କରିବା ପରେ ଏହି ଇଞ୍ଜିନିୟର୍ସ ଟେକ୍ ରଥଯାତ୍ରା ଓଡିଶାରେ ପହଂଚିଛି । ବର୍ତମାନ ଓଡିଶାରେ ଥିବା ଏହି ରଥଯାତ୍ରା ବୁର୍ଲାସ୍ଥିତ ଭିସୁଟ୍ କ୍ୟାମ୍ପସରେ ପହଂଚିଥିଲା ଯେଉଁଠାରେ ୫୦୦ରୁ ଅଧିକ ଉତ୍ସାହୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ଫ୍ୟାକଲ୍ଟି ଆଡ୍‌ଭାଇଜର ସୁରେଶ କୁମାର ଶ୍ରୀଚନ୍ଦନ, ଆଲିନା ମିଶ୍ର, ସ୍ୱେଚ୍ଛାସେବୀ ପ୍ରେରିତ ଅଗ୍ରୱାଲ, ପ୍ରେରିତ କୁମାର ଜୈନ, ସୋହମ ସାମନ୍ତରାୟ, ରୋହିତ କୁମାର, ଅନନ୍ୟା ମହାପାତ୍ର, ଦେବ କଲ୍ୟାଣ ମହାନ୍ତି ଉପସ୍ଥିତ ରହି ନିଜର ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଲବ୍ ଏନିଜ୍‌ମା, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ), ବୁର୍ଲା, ଓଡିଶା ଦ୍ୱାରା ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଲିନକ୍ସୱାର୍ଲ୍ଡ ଇନ୍‌ଫର୍ମେଟିକ୍ସର ମୁଖ୍ୟ ରଣନୀତି ଅଧିକାରୀ ପ୍ରୀତି ଚନ୍ଦକ ଯୋଗ ଦେଇଥିଲେ ।
ଏହି ଶିକ୍ଷଣୀୟ ପ୍ରୟାସର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ବୈଷୟିକ କ୍ଷେତ୍ରରେ ସଫଳତା ପାଇଁ ଆବଶ୍ୟକୀୟ ଦକ୍ଷତା ସହ ସୁସଜ୍ଜିତ କରିବା । ଇଞ୍ଜିନିୟର୍ସ ଟେକ୍ ଓଡିସି ସୁନିଶ୍ଚିତ କରୁଛି ଯେ, ନିଜର ସ୍ଥାନ ଓ ଆର୍ଥିକ ସ୍ଥିତି ନିର୍ବିଶେଷରେ ଛାତ୍ରଛାତ୍ରୀମାନେ ଟେକ୍ନୋଳୋଜି କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ପାଇଁ ପହଂଚ ହାସଲ କରିବେ । ଏହି ବୈପ୍ଳବିକ ଅଭିଯାନର ଉଦ୍‌ଘାଟନ କରି ବିଶ୍ୱ ରେକର୍ଡଧାରୀ, ଟେଡ୍‌ଏକ୍ସ ବକ୍ତା ଓ ଲିନକ୍ସୱାର୍ଲ୍ଡ ଇନ୍‌ଫର୍ମେଟିକ୍ସର ପ୍ରତିଷ୍ଠାତା ବିମଳ ଦାଗା କହିଛନ୍ତି, ‘ ପ୍ରଭାବକୁ ସର୍ବାଧିକ କରିବା ପାଇଁ ଆମେ ବ୍ୟାପକ ବ୍ୟବହାରିକ କର୍ମଶାଳାର ପରିଚାଳନା କରିଥିଲୁ, ଆମାଜନ ୱେବ୍ ସର୍ଭିସେସ (ଏଡବ୍ଲ୍ୟୁଏସ୍‌) କ୍ଲାଉଡ ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଉପରେ ଗୁରୁତ୍ୱ ଦେଉଛୁ । ଆମର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ସାମାଜିକ ସମସ୍ୟାର ସମାଧାନ କରୁଥିବା ପ୍ରକଳ୍ପ ସୃଷ୍ଟି କରିବା ପାଇଁ ଅନୁପ୍ରାଣିତ କରିବା ଯାହା କେବଳ ବୈଷୟିକ ଦକ୍ଷତା ନୁହେଁ ବରଂ ସମାନୁଭୂତି ଓ ସାମାଜିକ ଦାୟିତ୍ୱର ଏକ ଭାବନା ବିକଶିତ କରିବ ।’ ସେହିପରି କ୍ୟାରିୟର ଟ୍ରେନିଂ କୋଚ୍ ପ୍ରୀତି ଦାଗା କହିଛନ୍ତି, ‘ଏହି ଅଭିଯାନ ଛାତ୍ରଛାତ୍ରୀଙ୍କ ଅଭିବୃଦ୍ଧି ଓ କ୍ୟାରିୟର ମାର୍ଗରେ ଏକ ପ୍ରାରମ୍ଭିକ ପଦକ୍ଷେପ ଭାବେ କାର୍ଯ୍ୟ କରିବ । ଏହା ସେମାନଙ୍କୁ ନିଜର ଦକ୍ଷତାକୁ ପ୍ରଦର୍ଶିତ କରିବା, ସ୍ୱୀକୃତି ହାସଲ କରିବା ଓ ସମାନ ଚିନ୍ତାଧାରାର ବ୍ୟକ୍ତିଙ୍କ ସହ ସଂଯୋଜିତ ହେବା ପାଇଁ ଏକ ମଂଚ ପ୍ରଦାନ କରିବ ।’ ଏହି ଯାତ୍ରା ଆଗାମୀ ଦିଗରେ ଭୁବନେଶ୍ୱର, ଆଗ୍ରା, ବରେଲି, ଇନ୍ଦୋର, ଭୋପାଳ, କୋଲ୍‌କାତା, ପୁନେ, ହାଇଦ୍ରାବାଦ, ବେଙ୍ଗାଲୁରୁ, ବିଶାଖାପାଟ୍‌ନମ ଆଦି ସହରରେ ଅଟକିବ ।

 


Share It

Comments are closed.