ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ


ବାଂଲାଦେଶ ଓ ପାକିସ୍ତାନ ପରେ ଭାରତ ବିଶ୍ୱର ତୃତୀୟ ପ୍ରଦୂଷିତ ରାଷ୍ଟ୍ର ବିବେଚିତ ହୋଇଛି। ସୁଇଜରଲ୍ୟାଣ୍ଡର କମ୍ପାନୀ ଆଇକ୍ୟୁ ଏୟାର ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୩ରେ ଭାରତର ବାୟୁ ପ୍ରଦୂଷଣ ମାତ୍ରା ବିଶ୍ୱର ତୃତୀୟ ସର୍ବାଧିକ। ଭାରତର ବାର୍ଷିକ ପାର୍ଟିକ୍ୟୁଲେଟ୍ ମ୍ୟାଟର (ପିଏମ୍) ୨.୫ ହାରାହାରି କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ୫୪.୪ ରହିଥିବାବେଳେ ପାକିସ୍ତାନର ୭୩.୭ କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ଏବଂ ବାଂଲାଦେଶର ୭୯.୯ କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ରହିଛି। ୧୩୪ଟି ଦେଶର ୭୮୧୨ଟି ସ୍ଥାନରେ ଥିବା ୩୦ହଜାର ବାୟୁମାନକ ନିୟନ୍ତ୍ରଣ କକ୍ଷର ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୨୦୨୨ରେ ଭାରତ ପ୍ରଦୂଷିତ ଦେଶ ତାଲିକାର ୮ମ ସ୍ଥାନରେ ରହିଥିଲା। ୨୦୨୨ ମସିହାରେ ଭାରତର ବାର୍ଷିକ ପିଏମ୍ ୨.୫ ହାରାହାରି ୫୩.୩ ଥିଲା। ରିପୋର୍ଟରୁ ଜଣାଯାଉଛି ଯେ ଦେଶରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଭାରତର ଜାତୀୟ ରାଜଧାନୀ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ। ଏପରିକି ବିଶ୍ବର ସବୁଠାରୁ ୫୦ଟି ପ୍ରଦୂଷିତ ସହର ମଧ୍ୟରୁ ୪୨ଟି ସହର ଭାରତରେ ରହିଛି। ନୂଆଦିଲ୍ଲୀର ପିଏମ୍ ୨.୫ ହାରାହାରି ୯୨.୭ ଥିଲା। ଏହା ପଛକୁ ବେଗୁସରାଇ ୯୦.୩ ରହିଥିଲା। ରିପୋର୍ଟରେ କୁହାଯାଇଛି ଯେ ୧୩୪ଟି ଦେଶ ମଧ୍ୟରୁ ୭ଟି ଦେଶ ଅଷ୍ଟ୍ରେଲିଆ, ଏଷ୍ଟୋନିଆ, ଫିନଲ୍ୟାଣ୍ଡ, ଗ୍ରେନାଡା, ଆଇସଲ୍ୟାଣ୍ଡ, ମରିସସ୍ ଏବଂ ନ୍ୟୁଜିଲ୍ୟାଣ୍ଡ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ଷିକ ପିଏମ୍ ୨.୫ ହାରାହାରି ୫୦.୩ କିମ୍ବା ତା’ଠାରୁ କମ୍। ଗ୍ରୀନପିସ୍ ଇଣ୍ଟରନ୍ୟାସନାଲର ବରିଷ୍ଠ ବାୟୁ ଗୁଣବତ୍ତା ବୈଜ୍ଞାନିକ ଏଡାନ୍ ଫାରୋ କହିଛନ୍ତି ଯେ ଏହି ରିପୋର୍ଟରେ ସ୍ଥାୟୀ ବାୟୁ ପ୍ରଦୂଷଣ ସଙ୍କଟର ଅନ୍ତର୍ଜାତୀୟ ପ୍ରକୃତି ଏବଂ ଅସମାନ ପରିଣାମକୁ ଦର୍ଶାଯାଇଛି। ଅଳ୍ପ ସମ୍ବଳ ଥିବା ସ୍ଥାନରେ ବାୟୁର ଗୁଣବତ୍ତା ଉପରେ ନଜର ରଖିବା, ଧୂଆଁର କାରଣ ପରିଚାଳନା ଏବଂ ଶକ୍ତି ଉତ୍ସ ଭାବରେ ଦହନ ଉପରେ ଆମର ନିର୍ଭରଶୀଳତା ହ୍ରାସ କରିବା ଦରକାର। ଏଥିପାଇଁ ସ୍ଥାନୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରୟାସର ତୁରନ୍ତ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ୨୦୨୩ରେ ବାୟୁ ପ୍ରଦୂଷଣ ଏକ ବିଶ୍ୱ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ହୋଇ ରହିଥିଲା। ଆଇକ୍ୟୁ ଏୟାରର ଏହି ଗ୍ଲୋବାଲ ଡାଟା ସେଟ୍ ଆମ ପାଇଁ ଏକ ଚେତାବନୀ। ଆଗାମୀ ଦିନରେ ଆମକୁ ବାୟୁ ପ୍ରଦୂଷଣ ମାନକୁ ନିୟନ୍ତ୍ରଣ କରିବା ଲାଗି ଆମକୁ ପଦକ୍ଷେପ ନେବାକୁ ହେବ। ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭର୍ଣ୍ଣମେଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦେଶିକା (ଗବେଷଣା ଓ ଆଡଭୋକେସି) ଅନୁମିତା ରାୟ ଚୌଧୁରୀ କହିଛନ୍ତି ଯେ ଏହି ରିପୋର୍ଟରେ ପୁଣି ଥରେ ଦର୍ଶାଯାଇଛି ଯେ ଦ୍ରୁତ ଗତିରେ ମୋଟରକରଣ ଏବଂ ସହରୀକରଣ ହେଉଥିବା ଭାରତୀୟ ସହରଗୁଡ଼ିକରେ ବାୟୁର ଗୁଣବତ୍ତା ଆହ୍ୱାନପୂର୍ଣ୍ଣ ରହିଛି। ଏହାକୁ ଠିକ୍ କରିବା ପାଇଁ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ କ୍ଷେତ୍ରରେ ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ ବହୁକ୍ଷେତ୍ରୀୟ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।


Share It

Comments are closed.