ଦେଶରେ ହ୍ରାସ ପାଉଛି କରୋନାର ଦୈନିକ ସଂକ୍ରମଣ, ଗତ ୨୪ ଘଂଟା ମଧ୍ୟରେ ୬୧,୨୬୭ ପଜିଟିଭ ଚିହ୍ନଟ


ଭାରତରେ କରୋନା ଭାଇରସ ରୋଗରେ ଦେଖାଯାଉଥିବା ଦୈନିକ ବୃଦ୍ଧିର ଗତି ଏବେ ମନ୍ଥର ହୋଇଯାଇଛି । ତେବେ ସାମଗ୍ରିକ ଭାବେ କରୋନା ମାମଲା ବଢୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୬୬ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ୯୦ ହଜାର ଉପରେ ରହୁଥିବାବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୬୧ ହଜାର ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୬୬ ଲକ୍ଷ ୮୫ ହଜାରରେ ପହଞ୍ଚିଛି । ତେବେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୬୬,୮୫,୦୮୩ ରେ ପହଞ୍ଚିଛି । ଏହା ମଧ୍ୟରୁ ୯,୧୯,୦୨୩ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୩୫୬୯କୁ ବୃଦ୍ଧି ପାଇଛି । ତେବେ ଭଲ ଖବର ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୫୬୬୨୪୯୦ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଭାରତରେ ୬୧୨୬୭ ନୂଆ ମାମଲା ସାମନାକୁ ଆସିଛି ଓ ୮୮୪ ଜଣ ମୃତ୍ୟୁବରଣ କରିଛନ୍ତି ।

ଦେଶରେ ଗତ କାଲି ପ୍ରାୟ ୧୦,୮୯,୪୦୩ଟି କରୋନା ପରୀକ୍ଷା ହୋଇଛି । ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ ୮୧୦୭୧୭୯୭ଟି ନମୁନା ପରୀକ୍ଷା କରାଯାଇଛି ।

ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୬ ଲକ୍ଷ ଓ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ୪୫ ହଜାର ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୬.୭୯ ଲକ୍ଷ ଟପିଯାଇଛି, ଏହା ସହିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଯାଇଛି ।


Share It

Comments are closed.