ଖ୍ରୀଷ୍ଟ କଲେଜରେ କ୍ରୀସ୍‌ମାସ୍ କ୍ୟାରୋଲ ଉତ୍ସବ ପାଳିତ


କଟକ, ୧୫.୧୨.୨୦୨୩ : ଆଲୋକମାଳାରେ ସୁସଜ୍ଜିତ ଐତିହ୍ୟପୂର୍ଣ୍ଣ ସଂଖ୍ୟାଲଘୁ ଖ୍ରୀଷ୍ଟକଲେଜରେ ପରମପିତା ପ୍ରଭୁଯୀଶୁଙ୍କ ଜନ୍ମୋତ୍ସବ ଉପଲକ୍ଷେ କ୍ରୀସ୍‌ମାସ କ୍ୟାରୋଲ ଉତ୍ସବ ନୃତ୍ୟ, ଗୀତ ସହିତ ପ୍ରେମ ଓ ଆନନ୍ଦମୟ ପରିବେଶ ମଧ୍ୟରେ ପାଳନ କରାଯାଇଛି । କଲେଜର ଏନ୍‌ସିସି ଆର୍ମି ଓ ନାଭାଲ୍ କ୍ୟାଡେଟ୍‌ମାନଙ୍କର ଗାର୍ଡ ଅଫ୍ ଅନର ମଧ୍ୟରେ ଅତିଥିମାନେ ମଂଚାସୀନ ହେବା ପରେ ପରିଚାଳନା ସମିତିର ସମ୍ପାଦକ ଶ୍ରୀ ବିକାଶଚନ୍ଦ୍ର ରାଉତ ଉଦ୍‌ଘାଟନୀ ପ୍ରାର୍ଥନା ଉତ୍ସର୍ଗ କରିଥିଲେ । ଉପସ୍ଥିତ ସଭାସଦ୍‌ମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତଭାଷଣ ପ୍ରଦାନ କରିଥିଲେ କଲେଜର ଅଧ୍ୟକ୍ଷା ଶ୍ରୀମତୀ ମଧୁମିତା ପାତ୍ର । ଅଧ୍ୟାପିକା ଶ୍ରୀମତୀ ମଧୁସ୍ମିତା ଯାଚକ ଆନୁଷ୍ଠାନିକ ଭାବେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ପରେ କ୍ୟାରୋଲ୍ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ ଡଃ ବିନୀତା ନନ୍ଦ । କଟକ ଇଂରାଜୀ ବାପଟିଷ୍ଟ ଚର୍ଚ୍ଚର କୋଏର ଗ୍ରୁପ୍ କଣ୍ଠଶିଳ୍ପୀମାନେ ପରିବେଷଣ କରିଥିଲେ କ୍ୟାରୋଲ୍ ଭକ୍ତି ସଙ୍ଗୀତ ।

ଏହାପରେ ପରିଚାଳନା ସମିତି ତରଫରୁ ଅତିଥିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମ୍ମାନୀତ ଅତିଥି କଟକ ଜିଲ୍ଲାର ବିଜେଡି ସଭାପତି ତଥା ବାରବାଟୀ-କଟକର ପୂର୍ବତନ ବିଧାୟକ ଶ୍ରୀ ଦେବାଶୀଷ ସାମନ୍ତରାୟ ଏବଂ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ଶ୍ରୀ ଅରିନ୍ଦମ ରୟ କଟକ ସହରର ଭାଇଚାରା ସଂସ୍କୃତିରେ କ୍ୟାରୋଲ ଉତ୍ସବ ଓ ଖ୍ରୀଷ୍ଟକଲେଜର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ପରିଚାଳନା ସମିତି ସଭାପତି ଶ୍ରୀ ଅନୁପମ ପାତ୍ର କ୍ୟାରୋଲ ଉତ୍ସବର ସ୍ୱତନ୍ତ୍ରତା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଶ୍ରୀ ସଞ୍ଜିବ ସାମନ୍ତରାୟ ପବିତ୍ର ବାଇବଲ ଗ୍ରନ୍ଥର ନିର୍ବାଚିତ ଅଂଶ ପାଠ କରିବା ପରେ ପାଷ୍ଟର ରେଭ୍‌. ତୁଷାରକାନ୍ତ ବେହେରା ପରମେଶ୍ୱରଙ୍କ ବାର୍ତା ପ୍ରଦାନ କରିଥିଲେ । ସାକ୍‌ସୋଫୋନ୍ ଦ୍ୱାରା ପରିବେଷିତ ନୀରବ ରାତିର କ୍ୟାରୋଲ୍ ସଙ୍ଗୀତ ଓ କ୍ୟାଣ୍ଡେଲ୍ ଲାଇଟ୍ ବାତାବରଣକୁ ମନ୍ତ୍ରମୁଗ୍ଧ କରିଥିଲା ।

ସଭା କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ଅଧ୍ୟାପିକା ରିଙ୍କୁ ମହାପାତ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ଡଃ ଦୈତ୍ୟାରି ଶୁକ୍ଳ । ଡଃ ଜିତା ରାୟଙ୍କ ସଂଯୋଜନାରେ ବିବିଧ ଅନୁଷ୍ଠାନ ଦ୍ୱାରା ପରିବେଷିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ନୃତ୍ୟ, ଗୀତ ସହ ସାନ୍ତାକ୍ଲଜ୍‌ଙ୍କ ଶାନ୍ତିର ବାର୍ତା ଦର୍ଶକମାନଙ୍କୁ ଆନନ୍ଦିତ କରିଥିଲା ।

ଏହି ଉତ୍ସବକୁ ସାମଗ୍ରିକ ଭାବେ ପରିଚାଳନା କରିଥିଲେ ପରିଚାଳନା ସମିତିର ସଭ୍ୟ ବିଧାନ ଚନ୍ଦ୍ର ରାଉତ, ଶୁଭାଶୀଷ ସାହୁ, ଚନ୍ଦନ ଦାସ, ସୌମେନ୍ଦ୍ର ଦାସ, ପ୍ରଶାସନିକ ବର୍ସାର ଅଧ୍ୟାପକ ସୁମନ ରଏ, ଡଃ ଦେବଯାନୀ ଦାଶ, ଉପାଧ୍ୟକ୍ଷା ଡଃ କ୍ଷଣପ୍ରଭା ନନ୍ଦ, ଆକାଉନ୍‌ଟସ୍ ବର୍ସାର ଅଧ୍ୟାପକ ସୁବ୍ରତ ବଳ,ପ୍ରାଧ୍ୟାପକ ଶୋଭନ ପଣ୍ଡା, ଡଃ ବିଜୟ ଭୁଷଣ ଆଚାର୍ଯ୍ୟ, ଡଃ ପ୍ରଶାନ୍ତ ମହାନ୍ତି, ଡଃ ସାରଦା ପ୍ରସାଦ କର, ଡଃ ପ୍ରଦ୍ୟୁମ୍ନ ଦାଶ, ଡଃ ଅଶୋକ କୁମାର ସାହୁ, ଡଃ ଜ୍ଞାନେଶ୍ୱର ରଥ ଓ ମୁଖ୍ୟ କିରାଣୀ ସୁରେନ୍ଦ୍ର କୁମାର ସାହୁ । କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀମାନଙ୍କ ସହିତ ସହରର ଅନେକ ଧର୍ମାନୁରାଗୀ ଯୋଗଦେଇ ଈଶ୍ୱରୀୟ ପ୍ରେମରେ ଉଦ୍‌ବୁଦ୍ଧ ହୋଇଥିଲେ ।


Share It

Comments are closed.