ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ‘ମାଇଁ ଓଡ଼ିଶା, ଇଣ୍ଡିଆଜ ପ୍ରାଇଡ’ ପ୍ରତିଯୋଗିତାର ବିଜେତାଙ୍କୁ ସମ୍ବର୍ଦ୍ଧନା


-ପ୍ରତିଭା ଚିହ୍ନଟ: ବିଭିନ୍ନ ବୟସ ବର୍ଗର ବିଜେତା ପୁରସ୍କୃତ, ଓଡ଼ିଶାର ଯୁବପିଢିଙ୍କ ମଧ୍ୟରେ ଅଭିନବ ସୃଜନଶୀଳତା ଓ ସାଂସ୍କୃତିକ ପ୍ରଶଂସାର ପ୍ରସାର

ସ୍ଥାୟୀତ୍ୱ ଗୁରୁତ୍ୱ: କାର୍ଯ୍ୟକ୍ରମରେ ପରିବେଶ ସଚେତନତାର ପ୍ରସାର, ଟାଟା ପାୱାରର ସ୍ୱଚ୍ଛ ଶକ୍ତି ଆମ୍ବାସାଡରଙ୍କ ସହ ଏକ ସ୍ଥାୟୀତ୍ୱ ଶପଥପାଠ ଓ ଆଲୋଚନା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ
ଭୁବନେଶ୍ୱର: ସୃଜନଶୀଳତା ଓ ସାଂସ୍କୃତିକ ଗୌରବର ଚମତ୍କାର ପ୍ରଦର୍ଶନ ସ୍ୱରୂପ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମଗୁଡ଼ିକ ପକ୍ଷରୁ ‘ମାଇଁ ଓଡ଼ିଶା, ଇଣ୍ଡିଆଜ୍ ପ୍ରାଇଡ୍‌’ ପ୍ରତିଯୋଗିତାର ବିଜେତାମାନଙ୍କୁ ଗର୍ବର ସହ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଅଭିଯାନ ସହ ମିଶି ଆରମ୍ଭ ହୋଇଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସାରା ଓଡ଼ିଶାର ପିଲାମାନଙ୍କ ସୃଜନଶୀଳତାର ପରିପ୍ରକାଶ କରିବା ଏବଂ ରାଜ୍ୟର ସମୃଦ୍ଧ ଐତିହ୍ୟର ସୌନ୍ଦର‌୍ୟ୍ୟକୁ ପାଳନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ।
ଚିତ୍ରାଙ୍କନ, ସ୍କେଚିଂ, ପ୍ରବନ୍ଧ, ଗଳ୍ପ ଓ କବିତା ସମେତ ବିଭିନ୍ନ କଳା ମାଧ୍ୟମରେ ଆବେଦନ ଆହ୍ୱାନ କରି ଆୟୋଜନ କରାଯାଇଥିବା ଏହି ପ୍ରତିଯୋଗିତାକୁ ସବୁ ଅଞ୍ଚଳର ଯୁବବର୍ଗଙ୍କ ଭଲ ପ୍ରତିକ୍ରିୟା ମିଳିଥିଲା । ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ବିଶିଷ୍ଟ ବିଚାରକ ମଣ୍ଡଳୀ ଦ୍ୱାରା ସମୀକ୍ଷା ପରେ ଭୁବନେଶ୍ୱର ଏମଡିସିଠାରେ ଆୟୋଜିତ ଏହି ସମାରୋହରେ ୩୦ ଜଣ ବିଜେତା ଓ ୨୦ ଜଣ ଶ୍ରେଷ୍ଠ ଯୋଗଦାନକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ବିଜେତାମାନଙ୍କୁ ସେମାନଙ୍କ ବୟସ ବର୍ଗ (୮-୧୨ ଓ ୧୩-୧୬) ଏବଂ ଚିତ୍ରାଙ୍କନ, ସ୍କେଚିଂ (ଚିତ୍ରକଳା), ପ୍ରବନ୍ଧ, ଗଳ୍ପ ଓ କବିତା ସମେତ କଳାତ୍ମକ ଅଭିବ୍ୟକ୍ତି ଆଧାରରେ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଥିଲା । ପ୍ରତ୍ୟେକ ବିଜେତାଙ୍କୁ ଟ୍ରଫି ସହ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ୫୦ ଜଣ ମାନୋନୀତ ଆବେଦନକୁ ୨୦୦୦ ଟଙ୍କା ଲେଖାଏଁ ଗିଫ୍ଟ ଭାଉଚର ଓ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଟ୍‌ର କୁଳପତି ପ୍ରଫେସର (ଡ.) ଶରଣଜିତ୍ ସିଂହ ଯୋଗ ଦେଇଥିବା ବେଳେ କିଟ୍‌ର ପ୍ଲେସମେଣ୍ଟ ଅଧିକାରୀ ତ୍ରିପତି ପ୍ରସାଦ ବକ୍ସି ଉପସ୍ଥିତ ଥିଲେ । ଯୁବ ପ୍ରତିଭାମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସିଂହ ସେମାନଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ପିଲାମାନେ, ଅଭିଭାବକ ଓ ଟାଟା ପାୱାରର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
ନିରନ୍ତରତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପିଲାମାନଙ୍କୁ ପରିବେଶ ସଂରକ୍ଷଣ ବିଷୟରେ ଶିକ୍ଷା ଦିଆଯାଇଥିଲା ଏବଂ ଏହି କାର‌୍ୟ୍ୟକ୍ରମରେ ସ୍ଥାୟୀତ୍ୱ ପାଇଁ ଶପଥ ନିଆଯାଇଥିଲା । ସ୍ଥାୟୀ ଭବିଷ୍ୟତ ପାଇଁ କଂପାନିର ପ୍ରତିବଦ୍ଧତାର ପ୍ରତୀକ ‘ଦୁନିଆ ଆପକେ ହାୱାଲେ’ର ଏକ ଭିଡିଓକୁ ମଧ୍ୟ ପ୍ରଦର୍ଶନ କରାଯାଇଥିଲା ।
‘ମାଇଁ ଓଡ଼ିଶା, ଇଣ୍ଡିଆଜ ପ୍ରାଇଡ’ ପ୍ରତିଯୋଗିତା କେବଳ କଳାତ୍ମକ ଅଭିବ୍ୟକ୍ତି ପାଇଁ ଏକ ମଞ୍ଚ ପ୍ରଦାନ କରିନଥିଲା ବରଂ ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ ଗର୍ବ ଓ ନିଜର ଭାବନା ଜାଗ୍ରତ କରିଥିଲା ।


Share It

Comments are closed.