ଶୁଭାରମ୍ଭ ହେଲା “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ସଚେତନତା ରଥ


ଜନସାଧାରଣଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ । ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ଏହା ଉଦ୍ଧିଷ୍ଟ ।ଏହି ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଲୋକକଳା ମାଧ୍ୟମରେ ସଚେତନ କରିବା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ପ୍ରଚାର ରଥର ଶୁଭାରମ୍ଭ କରିଛନ୍ତି । ରାଜ୍ୟର କୋଣ-ଅନୁକୋଣରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କ ପାଖରେ ପହଂଚାଇବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଏହି ରଥ ଗଞ୍ଜାମ, ଖୋର୍ଦ୍ଧା , ସମ୍ବଲପୁର , ସୁନ୍ଦରଗଡ , କଳାହାଣ୍ଡି , ମୟୁରଭଞ୍ଜ , କେନ୍ଦୁଝର , କୋରାପୁଟ , କଟକ ଓ ବଲାଙ୍ଗିରି ଭଳି ୧୦ଟି ଜିଲ୍ଲାରେ ନିୟୋଜିତ କରାଯାଉଛି । ପରବର୍ତି ପର୍ଯ୍ୟାୟରେ ଅନ୍ୟ ସବୁ ଜିଲ୍ଲାକୁ ଯିବ । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଏହି ରଥ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧୀୟ ସମସ୍ତ ପ୍ରକାର ତଥ୍ୟ ସୂଚନା ଦେବା ସହିତ ଲୋକକଳା ଭଳି ଏକ ବଳିଷ୍ଠ ପ୍ରଚାର ମାଧ୍ୟମରେ ଜିଲ୍ଲା ଲୋକକଳା ସଂଘ , ବ୍ଲକ୍ ଲୋକକଳା ସଂଘ ଓ ସହରାଞ୍ଚଳ ଲୋକକଳା ସଂଘ ସଦସ୍ୟମାନେ ବୋଧଗମ୍ୟ ଭାଷା ଓ ଅଭିନୟ ମାଧ୍ୟମରେ ଏହି ଯୋଜନା ସଂପର୍କରେ ପ୍ରଚାର ପ୍ରସାର କରି ସଚେତନ କରାଇବେ । ଏହା ସ୍ଥାନୀୟ ସମୃଦ୍ଧ ଲୋକକଳାର ପାରଦର୍ଶିତା ବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ ।
ଗତ ଅଗଷ୍ଟ ୧୫ ତାରିଖରୁ ଏହି ଯୋଜନାର ଆରମ୍ଭ ହୋଇଛି । ଏଥିରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ପ୍ରତି ସ୍ୱତବ ଧ୍ୟାନ ଦିଆଯାଇଛି । ଓଡିଶାର ଜନସାଧାରଣଙ୍କୁ ଜାତି,ଧର୍ମ ,ବର୍ଣ୍ଣ,ଆୟ ଏବଂ ବାସ ସ୍ଥାନ ନିର୍ବିଶେଷରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓଡିଶାର ୭୦ ଲକ୍ଷ ପରିବାରଙ୍କ ନିମନ୍ତେ ପରିବାର ପିଛା ୫ ରଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରାଯିବ । ବିଜୁ କୃଷକ କଲ୍ୟାଣ ଯୋଜନା , ରଷ୍ଟ୍ରୀୟ ସ୍ୱାସ୍ଥ୍ୟ ବିମା ଯୋଜନା ଏବଂ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ପାଇଁ ଯୋଗ୍ୟ ବିବେଚିତ ସମସ୍ତ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଗତ ଅଗଷ୍ଟ ମାସ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରଥମ ମାସ ସୁଦ୍ଧା ୪୫ ଲକ୍ଷ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇ ଏକ ନୂତନ ଯୁଗର ଅୟାମାରମ୍ଭ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
ଏହି ରଥର ଶୁଭାରମ୍ଭ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା , ଜାତୀୟ ସ୍ୱାସ୍ଥୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।


Share It

Comments are closed.