ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବ ଆଲୋଚନା ଚକ୍ର


ଭୁବନେଶ୍ୱର-ତା.୨୮.୦୧.୨୦୨୪- ପ୍ରତ୍ୟେକ ଓଡ଼ିଆ ଜାତି ଆଜି ଗର୍ବିତ କାରଣ, ସମଗ୍ର ଭାରତ ବର୍ଷରେ ଭାଷାଭିତ୍ତିକ ରାଜ୍ୟମାନଙ୍କର ମଧ୍ୟରେ ଆମ ରାଜ୍ୟ ହେଉଛି ପ୍ରଥମ ଓ ଏହା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ । ଆମ ମାତୃଭାଷାର ପ୍ରଚାର, ପ୍ରସାର ଓ ବିକାଶ ପାଇଁ ଆମ ଭାଷାକୁ ସାରା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଆମ ରାଜ୍ୟ ସରକାର ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆସନ୍ତା ଫେବୃୟାରୀ ମାସ ୧ ଓ ୨ ତାରିଖରେ ‘ଓଡ଼ିଆ ଭାଷା ଓ ଓଡ଼ିଶାର କଳାସଂସ୍କୃତି’ ଶୀର୍ଷକ ଏକ ଦୁଇ ଦିବସୀୟ ଆଲେଚାନା ଚକ୍ର କେନ୍ଦ୍ରର ନିଜସ୍ୱ ପ୍ରେକ୍ଷାଳୟ ଉତ୍କଳ ରଂଗମଞ୍ଚରେ ଆୟୋଜିତ ହେଉଅଛି । ଏହା ଏକ ଗବେଷଣାତ୍ମକ ଆଲୋଚନା ଚକ୍ର । ବହୁ ବିଶିଷ୍ଟ ଭାଷାବିଜ୍ଞାନୀ, ଗବେଷକ, ସାହିତ୍ୟିକ, ସାରସ୍ୱତ ସାଧକ, ସଂଗୀତ ଏବଂ ନୃତ୍ୟ ସାଧକ/ସାଧିକା, ବିଶେଷଜ୍ଞ ଏବଂ ବୁଦ୍ଧିଜୀବୀ ଆଦି ଏହି ସମ୍ମିଳନୀରେ ଯୋଗଦାନ କରି ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିବେ । ପ୍ରତ୍ୟେହ ଦୁଇଟି ଅଧିବେଶନ ଅନୁଷ୍ଠିତ ହେବ । ପ୍ରଥମ ଅଧିବେଶନ ଦିନ ୧୧ ଟାରୁ ଅପରାହ୍ନ ୨ ଟା ଏବଂ ଦ୍ୱିତୀୟ ଅଧିବେଶନ ଅପରାହ୍ନ ୩ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ ।

ପ୍ରଥମ ଦିନର ଆଲୋଚ୍ୟ ବିଷୟ ଗୁଡ଼ିକ ହେଲା – ‘ଚର୍ଯ୍ୟାଗୀତିର ଭାଷା ଓ ସାଙ୍ଗୀତିକ ବିଭାବ ଏବଂ ରୀତିଯୁଗୀୟ କାବ୍ୟର ଗୀତିମୟ ଭାଷା’ । ବକ୍ତା ଭାବରେ ଡକ୍ଟର ବାବାଜୀ ପଟ୍ଟନାୟକ ଏବଂ ଡକ୍ଟର କୃଷ୍ଣକେଶବ ଷଡଙ୍ଗୀ ଯୋଗଦେବା ସହିତ ଏଥିରେ ଅଧ୍ୟକ୍ଷତା କରିବେ ଡକ୍ଟର ବସନ୍ତା ପଣ୍ଡା ଏବଂ ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ । ସେହିଭଳି ଦ୍ୱିତୀୟ ଦିବସର ଆଲୋଚ୍ୟ ପ୍ରସଙ୍ଗ ହେଲା – ‘ମଧ୍ୟଯୁଗୀୟ ଗୀତି କବିତାର ଭାଷା’ ଓ ‘ଓଡ଼ିଆ ଲୀଳା ଯାତ୍ରା ସାହିତ୍ୟର ଭାଷା ବିଭବ’ । ବକ୍ତା ଭାବରେ ଡକ୍ଟର ଶାନ୍ତନୁ ରଥ ଏବଂ ଡକ୍ଟର ଅଜୟ ମିଶ୍ର ଯୋଗଦେବା ସହିତ ଅଧ୍ୟକ୍ଷତା କରିବେ ଡକ୍ଟର ଶରତ ଚନ୍ଦ୍ର ରଥ ଏବଂ ଡକ୍ଟର ସଂଘମିତ୍ରା ମିଶ୍ର ।
ଅନ୍ୟମାନଙ୍କ ମଧ୍ୟରେ ବହୁ ବିଶିଷ୍ଟ ସାରସ୍ୱତ ସାଧକ, ନୃତ୍ୟ ଗୁରୁ ଏବଂ ସଂଗୀତ ବିଷାରଦ ପ୍ରମୁଖ ଯୋଗଦେବା ସହିତ କାର୍ଯ୍ୟକ୍ରମରେ ଗୁଗୁଲ୍ ମିଟ୍ ଜରିଆରେ ଆଭାଷି ମାଧ୍ୟମରେ ବହୁ ବିଶେଷଜ୍ଞ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।ଏଠାରେ ସୂଚନାଯୋଗ୍ୟ ଯେ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏହିଭଳି ଅନେକ ଗବେଷଣାତ୍ମକ କାର୍ଯ୍ୟ କରି ଆସୁଥିବା ବେଳେ କେନ୍ଦ୍ର ତରଫରୁ ଆଗକୁ ଆହୁରି ଅନେକ କାର୍ଯ୍ୟକ୍ରମ କରିବାର ଯୋଜନା ରହିଅଛି ।


Share It

Comments are closed.