ବ୍ୟବସାୟ କରିବାର ସହଜତା ଓ ସୁଗମତା ଦୃଷ୍ଟିରୁ ଓଡିଶା ଅନ୍ୟତମ ସର୍ବୋତମ ରାଜ୍ୟ: ଇପିକଲ ଏମ୍‌ଡି


ଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୪:  ଇପିକଲ ଓ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭୂପେନ୍ଦ୍ର ସିଂହ ପୁନିଆ ଓଡିଶାକୁ ବ୍ୟବସାୟ କରିବାର ଖର୍ଚ୍ଚ ଓ ସୁଗମ ବ୍ୟବସ୍ଥା ଦୃଷ୍ଟିରୁ ଦେଶର ଅନ୍ୟତମ ସର୍ବୋତମ ରାଜ୍ୟ ଭାବେ ଆଲୋକପାତ କରିଛନ୍ତି ।

ଆଜି (ବୁଧବାର) ଭୁବନେଶ୍ୱରରେ ଆସୋଚାମ ଦ୍ୱାରା ଆୟୋଜିତ ମାନୁଫ୍ୟାକ୍‌ଚରିଂ କନ୍‌କ୍ଲେଭରେ ନିଜର ମତବ୍ୟକ୍ତ କରି ଶ୍ରୀଯୁକ୍ତ ଭୂପେନ୍ଦ୍ର ସିଂହ ପୁନିଆ କହିଛନ୍ତି, “ଓଡିଶାକୁ ପାରମ୍ପରିକ ଭାବେ ଖଣି ଓ ଧାତୁ ଆଧାରିତ ଶିଳ୍ପ ରାଜ୍ୟ ଭାବେ ବିବେଚନା କରାଯାଇଥାଏ । ବର୍ତମାନ  ଆମେ ପୋଷାକ ନିର୍ମାଣ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ଅନ୍ୟାନ୍ୟ କ୍ଷେତ୍ରଗୁଡିକୁ ପ୍ରବେଶ କରି ବିବିଧୀକରଣ କରୁଛୁ । ଆମେ ଆଇଟି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରୁଛୁ । ଏଠାରେ ଶ୍ରମ ମୂଲ୍ୟ ପ୍ରତିଯୋଗୀପୂର୍ଣ୍ଣ ରହିଛି ଏବଂ ସ୍କିଲିଂ ଓ ରିସ୍କିଲିଙ୍ଗ ଉପରେ ଆମ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଆମେ ମଧ୍ୟ ବିଭିନ୍ନ କ୍ଷେତ୍ରର ଶିଳ୍ପଗୁଡିକୁ ଭଲ ପ୍ରୋତ୍ସାହନ ପ୍ରଦାନ କରୁଛୁ ।”

ଆସୋଚାମ୍‌ରେ ଓଡିଶା ରାଜ୍ୟ ବିକାଶ ପରିଷଦର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତୀ ଜାତୀୟ ହାରକୁ ଅତିକ୍ରମ କରିଥିବା ୭.୮୨%ର ଏକ ଉଲ୍ଲେଖନୀୟ ଅଭିବୃଦ୍ଧି ହାର ସହିତ ରାଜ୍ୟ ଜିଡିପିରେ ୧୪.୪୨%ର ଯୋଗଦାନ ଦେଉଥିବା  ଓଡିଶାର ଉନ୍ନତ ମାନୁଫ୍ୟାକ୍‌ଚରିଂ ବା ନିର୍ମାଣ କ୍ଷେତ୍ରକୁ ଆଲୋକପାତ କରିଥିଲେ । ସେ  ୨୦୧୫ରୁ ୨୦୨୨ ମଧ୍ୟରେ ୪.୭୪ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରବାହକୁ ଉଲ୍ଲେଖ କରିଥିଲେ ।

ଏହି କନ୍‌କ୍ଲେଭ୍ ବା ସମ୍ମିଳନୀରେ ଇଏସ୍‌ଜି, ସ୍ମାର୍ଟ ଲଜିଷ୍ଟିକ୍ସ, ସର୍‌କ୍ୟୁଲାରିଟି ଓ ଆଡ୍‌ଭାନ୍ସଡ୍ ଡିଜିଟାଇଜେଶନ ପ୍ରସଙ୍ଗରେ ଆଲୋଚନା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଆଲୋଚନା ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି କାରଣ ଭାରତ ୨୦୩୦ ସୁଦ୍ଧା ସଷ୍ଟେନେବୁଲ ଡେଭ୍‌ଲପ୍‌ମେଂଟ୍ ଗୋଲ୍ (ଏସ୍‌ଡିଜି) ଓ ୨୦୭୦ ଶୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରୟାସ କରୁଛି ।

ଆସୋଚାମ୍ ମାନୁଫ୍ୟାକ୍‌ଚରିଂ ହବ୍ କାଉନ୍ସିଲ, ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷ ଅରିଜିତ ବାସୁ  ଭାରତରେ ଉତ୍ପାଦନ କ୍ଷେତ୍ର ଯୋଗ କରୁଥିବା ମୋଟ  ମୂଲ୍ୟ କ୍ଷେତ୍ରରେ ସ୍ଥିର ଅଭିବୃଦ୍ଧିକୁ ହାଇଲାଇଟ୍ କରିଥିଲେ ଯାହାକି ଆସନ୍ତା ୫ ବର୍ଷରେ(୨୦୨୪-୨୦୨୮) ୮.୨୧%ର ଏକ କମ୍ପାଉଣ୍ଡ ଆନୁଆଲ ଗ୍ରୋଥ୍ ରେଟ (ସିଏଜିଆର୍‌) ସହିତ ୨୦୨୪ରେ ୨୬୬.୪୦ ବିଲିୟନ ଡଲାରରେ ପହଂଚିବ ବୋଳି ଆକଳନ କରାଯାଉଛି । ସେ ମଧ୍ୟ ୨୦୨୩ରେ  ହାରାହାରି ୪.୭%ର ଏକ ବାର୍ଷିକ ଉତ୍ପାଦନ ଅଭିବୃଦ୍ଧି ହାର ସହିତ ୨୦୨୪ରେ ଶିଳ୍ପ ଉତ୍ପାଦନ ପ୍ରାୟ ୧୩୬୦.୦୦ ବିଲିୟନ ଡଲାର ରହିବ ବୋଲି ଆଶା କରାଯାଉଥିବା ଉଲ୍ଲେଖ କରିଥିଲେ ।

ସମ୍ମିଳନୀକୁ ସମ୍ବୋଧିତ କରି ଆସୋଚାମ୍‌ର ବରିଷ୍ଠ ନିର୍ଦ୍ଦେଶକ ପର୍‌ମିନ୍ଦର ଜିତ୍ କୌର କହିଛନ୍ତି, “ଓଡିଶା  ସମଗ୍ର ବିଶ୍ୱକୁ କିଛି ମହାନ ଷ୍ଟାର୍ଟଅପ୍ ଲିଡର ଦେଇଛି ଯିଏକି ବ୍ୟବସାୟ କ୍ଷେତ୍ରରେ ବିପ୍ଳବ ଆଣିଛନ୍ତି । ହୋଟେଲ ଶିଳ୍ପରେ ବ୍ୟାଘାତ ସୃଷ୍ଟି କରିଥିବା ଓୟୋର ରିତେଶ ଅଗ୍ରୱାଲଙ୍କଠାରୁ ଆରମ୍ଭ କରି କୃଷକମାନଙ୍କ ସହ କାର୍ଯ୍ୟ କରୁଥିବା କଳାହାଣ୍ଡିର ଦମ୍ପତିଙ୍କ ପର୍ଯ୍ୟନ୍ତ,  ଆମ ନିକଟରେ ଆମ ମଧ୍ୟରେ ଅନେକ ମହାନ ବିଚାରଧାରାର ବ୍ୟକ୍ତି ରହିଛନ୍ତି ।” ଉଦ୍ଭାବନର ମହତ୍ୱକୁ ଗୁରୁତ୍ୱ ଦେଇ ସେ  ସମସ୍ତ ସଦସ୍ୟମାନଙ୍କୁ ସହଯୋଗିତା କରିବା ଏବଂ ଓଡିଶା ଓ ଭାରତରେ ମାନୁଫ୍ୟାକ୍‌ଚରିଂ ଇକୋସିଷ୍ଟମକୁ ମଜଭୁତ କରିବା ପାଇଁ ଆମନ୍ତ୍ରିତ କରିଛନ୍ତି ।

ଏହି କନ୍‌କ୍ଲେଭ୍  ଗ୍ଲୋବାଲାଇଜେଶନ ପ୍ରସଙ୍ଗରେ ନିର୍ମାଣ ଓ ଉତ୍ପାଦନ ସମୁଦାୟକୁ ଆଗକୁ ବଢାଇବା ପାଇଁ ଏକ ଦୂରଦୃଷ୍ଟି ହାସଲ କରିବାର ଲକ୍ଷ୍ୟ ସହିତ ରଣନୈତିକ ଚିନ୍ତାଧାରା, ସ୍ଥାୟୀ ପଦକ୍ଷେପ, ହିତାଧିକାରୀଙ୍କ ପ୍ରଭାବ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଆଲୋକପାତ କରିଥିଲା । ଏହାର ମିଳିତ ଲକ୍ଷ୍ୟ ହେଉଛି ନିବେଶକୁ ତ୍ୱରାନ୍ୱିତ କରିବା ଏବଂ ଜାରି ରହିଥିବା ଶିଳ୍ପାୟନ ପ୍ରକ୍ରିୟା କ୍ଷେତ୍ରରେ  ଉଲ୍ଲେଖନୀୟ ଇଏସ୍‌ଜି ଅଭ୍ୟାସ, ସ୍ମାର୍ଟ ଲଜିଷ୍ଟିକ, ଉଦ୍ଭାବନ, ସ୍ଥାୟିତ୍ୱ, ସମାବେଶୀୟ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ।

ଏହି ଅବସରରେ ଆସୋଚାମ ପକ୍ଷରୁ – ରିସର୍‌ଜେଂଟ୍‌; ରିଇମାଜିନିଙ୍ଗ ମାନୁଫ୍ୟାକ୍‌ଚରିଂ ସ୍ମାର୍ଟ ଆପ୍ରୋଚେସ ଫର୍ ନେକ୍ସଟ୍ ଫେଜ୍ ରିପୋର୍ଟସ୍‌’ ନାମକ ଏକ ରିପୋର୍ଟ ପ୍ରକାଶ କରାଯାଇଥିଲା ।

ଏହି ସମ୍ମିଳନୀରେ ଉପସ୍ଥିତ ଥିବା ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଏସ୍‌ଏନ୍‌ଏମ୍ ଗ୍ରୁପ୍‌ର ଅଧ୍ୟକ୍ଷ ଡଃ ପ୍ରଦୀପ୍ତ ମହାନ୍ତୀ, ରିସର୍‌ଜେଂଟ୍ ଇଣ୍ଡିଆ ଲିମିଟେଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ସଞ୍ଜିତ କୁମାର, ଆର୍‌ସେଲରମିତଲ ନିପ୍ପନ ଷ୍ଟିଲ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁରେଶ ଜି, ହିନ୍ଦୁସ୍ତାନ କୋକା କୋଲା ବେଭ୍‌ରେଜେସ୍‌ର ପବ୍ଲିକ ଆଫାୟାର୍ସ, କମ୍ୟୁନିକେଶନ୍ସ, ସଷ୍ଟେନାବିଲିଟି ବିଭାଗର ମୁଖ୍ୟ ଅଧିକାରୀ ଓ ଉପାଧ୍ୟକ୍ଷ ହିମାଂଶୁ ପ୍ରିୟଦର୍ଶୀ ଆଦି ନିଜର ମତବ୍ୟକ୍ତ କରିଥିଲେ ।


Share It

Comments are closed.