କୌଣସି ପ୍ରକାରର ବକେୟା ବିଦ୍ୟୁତ୍ ଦେୟ ଛାଡ଼ କରିବା ଟିପିଡବ୍ଲୁଓଡିଏଲର ଅଧିକାର ପରିସରଭୁକ୍ତ ନୁହେଁ


ବୁର୍ଲା/ସମ୍ବଲପୁର: ପଶ୍ଚିମ ଓଡିଶାର ବିଦ୍ୟୁତ୍ ବିତରକ କମ୍ପାନୀ ଟିପିଡବ୍ଲୁଓଡିଏଲ ଜନସାଧାରଣ ତଥା ଏହାର ସମସ୍ତ ଗ୍ରାହକଙ୍କ ଅବଗତ ନିମନ୍ତେ ଏହା ପ୍ରକାଶ କରୁଅଛି ଯେ, ବିଗତ କିଛି ଦିନ ଧରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଗ୍ରାମଞ୍ଚଳରେ ଏକ ବିଭ୍ରାନ୍ତିକର ତଥ୍ୟ କିଛି ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ଅପପ୍ରଚାର କରାଯାଉଅଛି କି, ବିତରକ କମ୍ପାନୀ ଆଗାମୀ ଦିନରେ ବକେୟା ବିଦ୍ୟୁତ୍ ଦେୟ ଛାଡ଼ କରିଦେବ । ତେଣୁ ବିଦ୍ୟୁତ୍ ବିଲ୍ ପୈଠ ନ କରିବା ନେଇ ଉକ୍ତ ଅସାଧୁ ବ୍ୟକ୍ତିମାନେ ଗ୍ରାହକମାନଙ୍କୁ ମନ୍ତ୍ରଣା ଦେଉଅଛନ୍ତି ।

ଏତଦ୍ ଦ୍ୱାରା ଟିପିଡବ୍ଲୁଓଡିଏଲ୍ ଏହି ସ୍ପଷ୍ଟୀକରଣ ପ୍ରଦାନ କରୁଅଛି ଯେ, କୌଣସି ପ୍ରକାରର (ଘରୋଇ, ବାଣିଜ୍ୟିକ, ଶିଳ୍ପ କିମ୍ବା କୃଷି) ଅନ୍ତର୍ଭୂକ୍ତ ଗ୍ରାହକଙ୍କ ବକେୟା ବିଦ୍ୟୁତ୍ ଦେୟ ଛାଡ଼ କରିବା ବିତରକ ସଂସ୍ଥାର ଅଧିକାର ପରିସରଭୁକ୍ତ ନୁହେଁ । ମାନ୍ୟବର OERCଙ୍କ BST ଏବଂ RST ନିୟମାବଳୀ 2022 ର ସମସ୍ତ ସର୍ତ୍ତ ପାଳନ ପୂର୍ବକ ବିତରକ କମ୍ପାନୀ ସଠିକ୍ ସମୟରେ ମାସିକ ବିଦ୍ୟୁତ୍ ବିଲ୍ ପ୍ରଦାନ କରିବା ଏବଂ ଦେୟ ଆଦାୟ କରିବା ପାଇଁ ବିଭିନ୍ନ ପ୍ରକାର ମାଧ୍ୟମ ପ୍ରଚଳନ କରିଅଛି । ସମସ୍ତ ଗ୍ରାହକ ପ୍ରଚଳିତ (ଅନଲାଇନ୍ ଏବଂ ଅଫଲାଇନ୍) ମାଧ୍ୟମରେ ମାସିକ ଦେୟ ତଥା ପୂର୍ବ ବକେୟା ସହିତ ବିଲ୍ ପୈଠ କରିବା ଆବଶ୍ୟକ ।

ଏଠାରେ ପ୍ରକାଶ କରାଯାଉଅଛି ଯେ, ମାନ୍ୟବର ଆୟୋଗ ବ୍ୟବସାୟର ବିଭିନ୍ନ ପକ୍ଷକୁ ଅନୁଧ୍ୟାନ କରି ପ୍ରତ୍ୟେକ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରିଥାନ୍ତି । ଏହିପରି ଭାବେ ଆଗାମୀ ଆର୍ଥିକ ବର୍ଷ 2024-25 ନିମନ୍ତେ ମାନ୍ୟବର ଆୟୋଗ ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରିସାରିଛନ୍ତି । ଯାହା ବିଗତ ଦିନରେ ବିଭିନ୍ନ ଗଣମାଧ୍ୟମରେ ବିତରକ କମ୍ପାନୀ ଦ୍ୱାରା ପ୍ରକାଶିତ କରାଯାଇଅଛି । ସେହିପରି ଗ୍ରାହକଙ୍କ ସୁବିଧା ନିମନ୍ତେ କମ୍ପାନୀ ହଜାର ହଜାର ବ୍ୟକ୍ତିଙ୍କୁ ବିଭିନ୍ନ ମାଧ୍ୟମରେ ନିଯୁକ୍ତି କରି ସେମାନଙ୍କୁ ଗ୍ରାହକଙ୍କ ଘର ଘର ବୁଲି ବିଲ୍ ଯୋଗାଇବା ତଥା ଦେୟ ଆଦାୟ କରିବା କାର୍ଯ୍ୟରେ ନିୟୋଜିତ କରାଇଅଛି । ଗ୍ରାହକମାନେ ମଧ୍ୟ ସମସ୍ତ ଅନଲାଇନ୍ ମାଧ୍ୟମରେ ନିଜର ଚଳିତ ତଥା ବକେୟା ବିଦ୍ୟୁତ୍ ଦେୟ ପୈଠ କରିପାରିବେ ଏବଂ ମାନ୍ୟବର ଆୟୋଗଙ୍କ ଦ୍ୱାରା ଧାର୍ଯ୍ୟ ରିହାତ ମଧ୍ୟ ପାଇପାରିବେ ।

ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ଟାଟା ସମୂହ ସଂସ୍ଥାର ଏକ ଅଂଶୀଦାର ଭାବେ ସରକାର ଏବଂ ମାନ୍ୟବର ଆୟୋଗଙ୍କ ନିର୍ଦ୍ଦେଶକୁ ପ୍ରତ୍ୟେକ ସମୟରେ ଅକ୍ଷରେ ଅକ୍ଷରେ ପାଳନ କରୁଅଛି । ଏଣୁ, ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଉଅଛି ଯେ, କୌଣସି ପ୍ରକାରର ଅପପ୍ରଚାରକୁ ଗ୍ରହଣ ନ କରି ଗ୍ରାହକମାନେ ସଠିକ୍ ସମୟରେ ବିଦ୍ୟୁତ୍ ଦେୟ କମ୍ପାନୀ ଦ୍ୱାରା ନିୟୋଜିତ ଏଜେଣ୍ଟ ତଥା ଅନଲାଇନ ମାଧ୍ୟମରେ କିମ୍ବା ଟିପିଡବ୍ଲୁଓଡିଏଲର ନିକଟସ୍ଥ କାର୍ଯ୍ୟାଳୟରେ ପୈଠ କରି ରିହାତି ତଥା ଅନବରତ ବିଦ୍ୟୁତ୍ ସେବାର ଲାଭ ଉଠାନ୍ତୁ ।

ଯଦି କୌଣସି ଗ୍ରାହକ ନିର୍ଦ୍ଦିଷ୍ଟ ଭାବେ ବିଦ୍ୟୁତ୍ ଦେୟ ପୈଠ କରିବା ନେଇ କୌଣସି ପ୍ରକାରର ସ୍ପଷ୍ଟୀକରଣ ଚାହାଁନ୍ତି, ତେବେ ସେମାନେ ନିଦ୍ୱନ୍ଦରେ ଟିପିଡବ୍ଲୁଓଡିଏଲର ନିକଟସ୍ଥ କାର୍ଯ୍ୟାଳୟରେ ଯୋଗାଯୋଗ କରିପାରିବେ ତଥା କମ୍ପାନୀ ଦ୍ୱାରା ପ୍ରଦତ ନିଶୁଳ୍କ ନମ୍ବର: 1800-3456-798 କୁ ଫୋନ୍ କରିପାରିବେ । ସେହିପରି ଅଧିକ ବିବରଣୀ ଜାଣିବା ପାଇଁ ଗ୍ରାହକମାନେ https://www.tpwesternodisha.com କମ୍ପାନୀର ଅଫିସିଆଲ୍ ୱେବସାଇଟରେ ପରିଦର୍ଶନ କରିପାରିବେ ।


Share It

Comments are closed.