ଏଆଇସି-ନାଳନ୍ଦା ପକ୍ଷରୁ ନୂଆ ଷ୍ଟାର୍ଟଅପ୍ “ସେଫ୍ ଜଙ୍କ୍‌ସନ୍‌’ର ଶୁଭାରମ୍ଭ


ଭୁବନେଶ୍ୱର: ଷ୍ଟାର୍ଟଅପ୍ ଓ ଉଦ୍ୟମିତାର ବିକାଶ ଲାଗି ରାଜ୍ୟର ଅଗ୍ରଣୀ ଇନ୍‌କୁବେସନ୍ ସେଂଟର୍ “ଅଟଳ ଇନକୁବେସନ ସେଂଟର-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ’ (ଏଆଇସି-ନାଳନ୍ଦା) ପକ୍ଷରୁ ନୂଆ ଷ୍ଟାର୍ଟଅପ୍ ସଂସ୍ଥା “ସେଫ୍ ଜଙ୍କସନ୍‌’ର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି । ଭାରତ ସରକାରଙ୍କ ସଂସ୍ଥା ନିତି ଆୟୋଗର ଏଆଇଏମ୍ ସହାୟତା ହାସଲ କରିଥିବା ଏଆଇସି-ନାଳନ୍ଦା ପକ୍ଷରୁ ଏଥିପାଇଁ “ଷ୍ଟାର୍ଟଅପ୍ ଲଂଚ୍‌ପ୍ୟାଡ୍ ସିରିଜ୍‌’ର ଚତୁର୍ଥ ପର୍ଯ୍ୟାୟ ଆୟୋଜନ କରାଯାଇଥିଲା । ସେଫ୍ ଜଙ୍କସନ୍ ହେଉଛି ଏକ ଖାଦ୍ୟ ଡେଲିଭରି ଦେଉଥିବା ପ୍ଲାଟଫର୍ମ ଯାହା ଗ୍ରାହକଙ୍କ ପାଖରେ ରନ୍ଧା ଖାଦ୍ୟ ପହଂଚାଉଛି । ଏହି ସଂସ୍ଥା ଏଆଇସି-ନାଳନାରେ ଇନ୍‌କୁବେସନ୍‌ରେ ଥିଲା ।

୨୦୨୦ରେ ମହାମାରୀ ବ୍ୟାପିବା ସମୟରେ ସେଫ୍ ଜଙ୍କସନ୍ ଏହାର ଯାତ୍ରା ଆରମ୍ଭ କରିଥିଲା ଏବଂ ଏହା ସାରା ସହରରୁ ହାତଗଣତି ହୋମ୍ ସେଫ୍‌ଙ୍କୁ ଚିହ୍ନଟ କରି ସେମାନେ ସ୍ୱଚ୍ଛତାର ସହ ପ୍ରସ୍ତୁତ କରୁଥିବା ରନ୍ଧା ଖାଦ୍ୟଗୁଡ଼ିକୁ ଗ୍ରାହକଙ୍କ ନିକଟରେ ପହଂଚାଉଛି । ଗ୍ରାହକମାନେ ଏହାର ଆପ୍ ଜରିଆରେ ଖାଦ୍ୟ ବରାଦ କରୁଛନ୍ତି । ସେଫ୍ ଜଙ୍କସନ୍‌ର ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର୍ ଓ ଆପଲ୍ ଆପ୍ ଷ୍ଟୋର୍‌ରେ ଉପଲବ୍ଧ ହୋଇଛି । ଏହା ଅଧୀନରେ ଶତାଧିକ ହୋମ୍ ସେଫ୍ ରହିଛନ୍ତି ଏବଂ ସେମାନେ ୧୦୦୦ରୁ ଅଧିକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ପ୍ଲାଟଫର୍ମ ଜରିଆରେ ଗ୍ରାହକଙ୍କ ନିକଟରେ ପହଂଚାଉଛନ୍ତି । ଅନ୍ୟ ଖାଦ୍ୟ ଡେଲିଭରି ଆପ୍‌ଗୁଡ଼ିକ ଠାରୁ ଭିନ୍ନ ଥିବା ସେଫ୍ ଜଙ୍କସନ୍ ଘରେ ଉଚ୍ଚ ଗୁଣାତ୍ମକ ମାନ ଓ ସ୍ୱଚ୍ଛତାକୁ ବଜାୟ ରଖି ପ୍ରସ୍ତୁତ କରାଯାଉଥିବା ବିବିଧ ଖାଦ୍ୟ ଯଥା ପୋହା ଠାରୁ ପିଜା ପର୍ଯ୍ୟନ୍ତ ବହୁତ କିଛି ଲୋକଙ୍କ ନିକଟରେ ପହଂଚାଉଛି ।

ଏହି ଅବସରରେ ସେଫ୍ ଜଙ୍କସନ୍‌ର ସହ ପ୍ରତିଷ୍ଠାତା ସୂର୍ଯ୍ୟାଂଶୁ ପଣ୍ଡା କହିଛନ୍ତି ଯେ, “ସେଫ୍ ଜଙ୍କସନ୍ “ଘରୁ ଘର ପର୍ଯ୍ୟନ୍ତ’ ଭାବ ଉପରେ କାର୍ଯ୍ୟ କରି ସହରକୁ ସ୍ୱାବଲମ୍ବୀ କରିଛି ଏବଂ ବହୁ ମହିଳାଙ୍କୁ ହୋମ୍ ସେଫ୍ ହେବା ଲାଗି ଅନୁପ୍ରାଣିତ କରି ସେମାନଙ୍କୁ ନିୟମିତ ଆୟ ଉତ୍ସବ ଦେଇ ଆର୍ଥିକ ସ୍ତରରେ ସ୍ୱାଧୀନ କରିପାରିଛି । ଏହି ଅବସରରେ ସେ ଲୋକମାନଙ୍କୁ ସେଫ୍ ଜଙ୍କସନ୍ ଆପ୍ ଡାଉନ୍‌ଲୋଡ୍ କରି ଘର ତିଆରି ଖାଦ୍ୟ ଘରେ ମଗାଇ ଖାଇବାକୁ ଆହ୍ୱାନ ଦେଇଛନ୍ତି ।’’

ଏହି ଅବସରରେ ବହୁ ସେଲିବ୍ରିଟି ଓ ଫୁଡ୍ ବ୍ଲଗର ଅଂଶଗ୍ରହଣ କରି ସେଫ୍ ଜଙ୍କସନ୍‌ର ଉଦ୍ୟମକୁ ପ୍ରଶଂସା କରିବା ସହ ଏହାର ସଫଳତା କାମନା କରିଛନ୍ତି ।
ଏଆଇସି-ନାଳନ୍ଦା ହେଉଛି ଭୁବନେଶ୍ୱର ସ୍ଥିତ ଏକ ଷ୍ଟେଟ-ଅଫ୍‌-ଆର୍ଟ ଇନକୁବେସନ ସେଂଟର୍ ଯେଉଁଥିରେ ୩୫ଟି ଷ୍ଟାର୍ଟଅପ୍ ଇନକୁବେସନ ସୁବିଧା ପାଉଛନ୍ତି । ଷ୍ଟାର୍ଟଅପ୍ ଲଂଚ୍‌ପ୍ୟାଡ୍ ସିରିଜ୍ ହେଉଛି ଏଆଇସି ନାଳନ୍ଦାର ଏକ ଅଭିଯାନ ଯାହା ଜରିଆରେ ବଜାରରେ ଉପସ୍ଥାପନ ହେବା ଲାଗି ପ୍ରସ୍ତୁତ ହୋଇଯାଇଥିବା ଉଦ୍ୟୋଗୀଙ୍କ ଉତ୍ପାଦ/ ସେବାକୁ ଉନ୍ମୋଚନ କରାଯାଉଛି । ଏହି ପ୍ଲାଟଫର୍ମ ଷ୍ଟାର୍ଟଅପ୍‌ଗୁଡ଼ିକୁ ଶିଳ୍ପ, ବ୍ୟବହାରକାରୀ ଗୋଷ୍ଠୀ, ଗଣମାଧ୍ୟମ ଓ ସାର୍ବଜନୀନ ମଂଚ ଆଦିରେ ବ୍ୟାପକ ଭାବେ ପହଂଚିବାର ସୁଯୋଗ ପ୍ରଦାନ କରୁଛି ।


Share It

Comments are closed.