ପତ୍ନୀ ଅନୁଷ୍କା ଓ ଝିଅ ବାମିକାଙ୍କ ସହ ପ୍ୟାରିସ୍‌ରେ ଛୁଟି କାଟୁଛନ୍ତି ବିରାଟ


ମାସିକିଆ ଛୁଟିରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ବିରାଟ କୋହଲି। ପତ୍ନୀ ଅନୁଷ୍କା ଶର୍ମା ଓ ଝିଅ ବାମିକା ସହ ପ୍ୟାରିସ୍‌ରେ ଛୁଟି କାଟୁଛନ୍ତି ବିରାଟ କୋହଲି। ଏହି ଖବର ଅନୁଷ୍କା ଶର୍ମା ତାଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। ଅନୁଷ୍କା ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ହ୍ୟାଲୋ ପ୍ୟାରିସ୍। କୋହଲି ପରିବାର ଏବେ ପ୍ୟାରିସ୍‌ରେ ଛୁଟି କାଟୁଛନ୍ତି ବୋଲି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।

ଇଂଲଣ୍ଡ ବିପକ୍ଷରେ ଟେଷ୍ଟ, ଟି ୨୦ ଏବଂ ୱାନ ଡେ ମ୍ୟାଚ୍ ଖେଳିବା ପରେ ବିରାଟ କୋହଲି ଏବେ ଫ୍ରି ହୋଇଯାଇଛନ୍ତି। ଆସନ୍ତା ଏକ ମାସ ଯାଏଁ କୌଣସି ସିରିଜ୍ ଖେଳିବାର ଯୋଜନା ନାହିଁ। ଅଗଷ୍ଟରେ ଟିମ୍ ଇଣ୍ଡିଆ ଜିମ୍ଵାୱେ ଗସ୍ତରେ ଯିବ। ଏହା ସହ ଏଶିୟା କପ୍ ପାଇଁ ଖେଳିବ। ତେବେ ଏହି ଦୁଇ ମ୍ୟାଚ୍‌ର ସିଡ୍ୟୁଲ୍ ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ। ତେଣୁ କୋହଲିଙ୍କ ପାଇଁ ଏହା ଲମ୍ଵା ବ୍ରେକ୍ ହୋଇପାରେ ବୋଲି ଅନୁମାନ କରାଯାଉଛି।

ପ୍ରକାଶ ଥାଉକି, ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ବିରାଟ କୋହଲି ୩୧(୧୧,୨୦) ରନ୍ କରିଥିଲେ। ଏହାପରେ ଦୁଇଟି ଟି ୨୦ ମ୍ୟାଚ୍‌ରେ କେବଳ ୧୨(୧,୧୧) ରନ୍ କରିପାରି ଥିଲେ। ଏତଦ୍ ବ୍ୟତୀତ ଇଂଲଣ୍ଡ ବିପକ୍ଷରେ ବିରାଟ ୱାନଡେ ସିରିଜ୍ ଖେଳିଥିଲେ। ଏହି ମ୍ୟାଚ୍‌ରେ କେବଳ ୩୩(୧୬,୧୭) ରନ୍ କରିପାରିଥିଲେ। ଗତ ଅଢେଇ ବର୍ଷ ମଧ୍ୟରେ କୋହଲି ଆନ୍ତର୍ଜାତୀୟ ଶତକ ଏବଂ ଗତ ୫ ମାସ ମଧ୍ୟରେ ଅର୍ଦ୍ଧଶତକ କରିବାରେ ବିଫଳ ହୋଇଛନ୍ତି। ଶେଷ ଥର ପାଇଁ କୋହଲି ୨୦୧୯ ନଭେମ୍ଵରରେ ବାଙ୍ଗଲାଦେଶ ବିପକ୍ଷରେ କୋଲକାତାରେ ହୋଇଥିବା ଡେ-ନାଇଟ୍ ଟେଷ୍ଟରେ ଶତକ କରିପାରିଥିଲେ। ସେହି ସମୟରେ ବିରାଟ ୧୩୬ ରନ୍ କରି ରେକର୍ଡ ହାସଲ କରିଥିଲେ। ସେହିପରି ଅର୍ଦ୍ଧଶତକ କଥା କହିବାକୁ ଗଲେ ବିରାଟ ଶେଷ ଥର ପାଇଁ ୨୦୨୨ ଫେବୃଆରୀ ୧୮ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି ୨୦ ମ୍ୟାଚ୍‌ରେ ଅର୍ଦ୍ଧଶତକ କରିଥିଲେ।


Share It

Comments are closed.