କୋଭିଡ ନିୟମ କଡାକଡି ପାଳନ କରି ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କର : ମନ୍ତ୍ରୀ ଶ୍ରୀ ସ୍ୱାଇଁ


ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ୟାକ୍ସ / ଲ୍ୟାମ୍ପସ ଜରିଆରେ ୧୭ ଟି ଜିଲ୍ଲାରୁ ଅଦ୍ୟାବିଧି ୪ ଲକ୍ଷ ୨୫ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ସୋସାଇଟି ଗୁଡିକରେ କୋଭିଡ ନିୟମକୁ କଡାକଡି ଭାବେ ଅନୁପାଳନ କରି ରବିଧାନ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ନାମ ପଂଜୀକରଣ କରିଥିବା ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ମଣ୍ଡିରେ ସେମାନଙ୍କ ଧାନ ବିକ୍ରି କରିପାରିବେ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ନେବା ପାଇଁ ପ୍ୟାକ୍ସ ଓ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଚଳିତ ବର୍ଷ ରବିଧାନ ସଂଗ୍ରହ ପାଇଁ ମୋଟ ୨ଲକ୍ଷ ୩୨ ହଜାର ୪୦୯ ଜଣ ଚାଷୀ ନାମ ପଂଜୀକରଣ କରିଥିଲେ । ତନ୍ମମଧ୍ୟରୁ ଅଦ୍ୟାବଧି ୨ ଲକ୍ଷ ୨୦ ହଜାର ୨୪୩ ଜଣ ଚାଷୀଙ୍କର ଜମିଜମା ବାବଦ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ, ଜଳସେଚିତ ଜମିର ପରିମାଣ ଇତ୍ୟାଦିର ଯାଞ୍ଚ ପ୍ରକ୍ରିୟା ସରିଛି । ଏଥି ମଧ୍ୟରୁ ଏ ପର୍ଯ୍ୟନ୍ତ ୬୩ ହଜାର ୮୨୭ ଜଣ ଚାଷୀଙ୍କ ଠାରୁ ମୋଟ ୪ ଲକ୍ଷ ୨୫ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି, ଯାହାର ମୂଲ୍ୟ ପ୍ରାୟ ୭୯୩ କୋଟି ଟଙ୍କା । ଚଳିତ ରବିରେ ଅଦ୍ୟାବିଧି ରାଜ୍ୟର ୧୦୨୦ଟି ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ରବିଧାନ ସଂଗ୍ରହ କରାଯାଉଅଛି । ବାଲେଶ୍ୱର, ବରଗଡ, ବଲାଙ୍ଗୀର, ବୌଦ୍ଧ ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ ସଂଗ୍ରହ କରାଯାଉଥିବାବେଳେ ଖୁବ ଶୀଘ୍ର ଅନ୍ୟ ତିନୋଟି ଜିଲ୍ଲା : କୋରାପୁଟ, ଖୋର୍ଦ୍ଧା, ଯାଜପୁରରୁ ରବିଧାନ କର୍ଯ୍ୟ ଆରମ୍ଭ କରାଯିବ । ମଇ ମାସରୁ ଆରମ୍ଭ ହୋଇଥିବା ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଅଦ୍ୟାବିଧି ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲା ମଧ୍ୟରେ ବରଗଡ ଜିଲ୍ଲାରେ ୨ ଲକ୍ଷ ୮ ହଜାର ୮୯ ମେଟ୍ରିକ ଟନ, ସୁବର୍ଣ୍ଣପୁରରେ ୮୧,୮୨୪ ମେଟ୍ରିକ ଟନ, ସମ୍ବଲପୁରରେ ୫୩,୬୩୦ ମେଟ୍ରିକ ଟନ ଓ କଳାହାଣ୍ଡି ଜିଲ୍ଲାରେ ୮୦,୬୧୦ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି ।


Share It

Comments are closed.