ଏଂଟରପ୍ରାଇଜ୍ ଓଡ଼ିଶା, ଝାରସୁଗୁଡ଼ାରେ ୨୩,୩୮୯.୪୩ କୋଟି ଟଙ୍କାର ଏମ୍‌ଓୟୁ ସ୍ୱାକ୍ଷରିତ, ୧୫,୧୬୮ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ


ଭୁବନେଶ୍ୱର, ୧୯ ଜାନୁଆରି ୨୦୨୪: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା ଚାପ୍ଟର ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ ପ୍ରଥମ ଥର ପାଇଁ ଝାରସୁଗୁଡ଼ାରେ ସିଆଇଆଇ ଏଂଟରପ୍ରାଇଜ୍ ଓଡ଼ିଶା ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏହି ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସହିତ ୨୩,୩୮୯.୪୩ କୋଟି ଟଙ୍କା ପୁଞ୍ଜିିନିବେଶ ପ୍ରତିଶ୍ରୁତି ଥିବା ୧୧ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି । ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୫,୧୬୮ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ସମ୍ମିଳନୀରେ ଦୁଇ ଦିନ ମଧ୍ୟରେ ବହୁ ସଂଖ୍ୟାରେ ଜି୨ବି ଓ ବି୨ବି ବୈଠକ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ପୁଞ୍ଜିନିବେଶ ପ୍ରସ୍ତାବ ପରିମାଣ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି ।
୨୦୨୪ ଜାନୁଆରି ୧୯ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୪ତମ ଏଂଟରପ୍ରାଇଜ୍ ଓଡ଼ିଶା-୨୦୨୪କୁ ଝାରସୁଗୁଡ଼ାର ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତା ଜାରି କରି କହିଛନ୍ତି ଯେ ଶିଳ୍ପ ବିକାଶକୁ ରାଜ୍ୟର କୋଣ ଅନୁକୋଣରେ ପହଂଚାଇବା ଲାଗି ଆମ ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି କାର୍ଯ୍ୟକ୍ରମ । ଏହା ଦ୍ୱାରା ରାଜ୍ୟରେ ଅନ୍ତର ଦୂର ହେବ ଏବଂ ଅଭିବୃଦ୍ଧି ଆହୁରି ସୁଦୃଢ଼ ହେବ । ଝାରସୁଗୁଡ଼ା, ରାଉରକେଲା ଓ ସମ୍ବଲପୁର କେବଳ ଓଡ଼ିଶା ନୁହେଁ ସାରା ଦେଶରେ ବିକାଶର ମୁଳଦୁଆ ଭାବେ ଉଭା ହୋଇଛି । ବିଗତ ଦୁଇ ଦଶନ୍ଧି ଏହି ଅଂଚଳ ସମୃଦ୍ଧ ଓଡ଼ିଶାର ପ୍ରତୀକ ହୋଇପାରିଛି । ସାରା ଭାରତରେ ଓଡ଼ିଶା ଏବେ ଏକ ମାନୁଫାକ୍‌ଚରିଂ ମହାଶକ୍ତିରେ ପରିଣତ ହୋଇଛି । ରାଜ୍ୟରେ ବିପୁଳ ଖଣି ସମ୍ବଳ ରହିଥିବା ବେଳେ ମାନବ ସମ୍ବଳ ଆମ ପାଇଁ ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଝାରସୁଗୁଡ଼ା, ସମ୍ବଲପୁର ଓ ରାଉରକେଲା ସହ କୋରାପୁଟକୁ ଯୋଡ଼ୁଥିବା ବିଜୁ ଅର୍ଥନୈତିକ କରିଡର ଏହି ଅଂଚଳରେ ଉଦ୍ୟୋଗୀମାନଙ୍କ ପାଇଁ ଆଗକୁ ବଢ଼ିବା ଲାଗି ବିପୁଳ ସୁଯୋଗ ପ୍ରଦାନ କରିବ ।
ଏହି ଅବସରରେ ଶିଳ୍ପ ପ୍ରଦର୍ଶନୀକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ । ଏଥିରେ ୧୦୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କ ଉତ୍ପାଦ ଓ ସେବା ପ୍ରଦର୍ଶନ କରିଛନ୍ତି ।
ଏହି ଅବସରରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, “ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ କିଛି ବର୍ଷ ଭିତରେ ଏହା ୫ ଟ୍ରିଲିଅନ ଏବଂ କିଛି ବର୍ଷ ମଧ୍ୟରେ ୨୫-୩୦ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଛନ୍ତି । ଏହା ଦେଶର ଉଦ୍ୟୋଗୀ ବିଶେଷ କରି ଯୁବ ଉଦ୍ୟୋଗୀମାନଙ୍କ ଲାଗି ବିପୁଳ ସୁଯୋଗ ସୃଷ୍ଟି କରିବ ।’’ ନିବେଶକମାନଙ୍କୁ ଆହ୍ୱାନ ଦେଇ ସେ କହିଛନ୍ତି ଯେ ଆକର୍ଷଣୀୟ ନୀତି ଆଣିବା ଲାଗି ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଓଡ଼ିଶା କିନ୍ତୁ ସେମାନଙ୍କଠାରୁ ଏଥିପାଇଁ ଭିନ୍ନ କାରଣ ଏହା ଯାହା କହୁଛି ତାହା କରିଦେଖାଉଛି । ଓଡ଼ିଶା ହେଉଛି ଏକ ରାଜସ୍ୱ ବଳକା ରାଜ୍ୟ । ସରକାରଙ୍କ ପାଖରେ ୫୫,୦୦୦ କୋଟି ଟଙ୍କାର ନଗଦ ରାଶି ରହିଛି । ୬.୧୫% ଜିଏସ୍‌ଡିପିକୁ ଭିତିଭୂମିରେ ନିବେଶ କରାଯାଉଛି । ତାହାକୁ ୭.୫-୮%କୁ ବୃଦ୍ଧି କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ।’’
ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି ଯେ, “ଝାରସୁଗୁଡ଼ା ଏବେ ଓଡ଼ିଶାର ଶିଳ୍ପାୟନ ଓ ଅର୍ଥନୈତିକ ପ୍ରଗତିର ପ୍ରତିନିଧିତ୍ୱ କରୁଛି । ଓଡ଼୍‌ିଶାକୁ ଆସୁଥିବା ପୁଞ୍ଜିନିବେଶର ସିଂହ ଭାଗ ଝାରସୁଗୁଡ଼ା ଓ ଏହାର ଆଖପାଖ ଅଂଚଳରେ ନିବେଶ ହେଉଛି । ହିଣ୍ଡାଲ୍‌କୋ, ବେଦାନ୍ତ, ଏମ୍‌ସିଏଲ୍‌, ଜେଏସ୍‌ଡବ୍ଲୁ ଭଳି ଖ୍ୟାତନାମା କଂପାନି ଏହି ଅଂଚଳରେ ନିବେଶ କରିଛନ୍ତି । ତେଣୁ ଏହା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ଚୁମ୍ବକରେ ପରିଣତ ହୋଇଛି । ପଶ୍ଚିମ ଓଡ଼ିଶା ହେଉଛି ଦେଶର ଏଭଳି ଏକ ଅଂଚଳ ଯେଉଁଠାରେ ଇସ୍ପାତ, ଆଲୁମିନିୟମ, ସିମେଂଟ୍ ଓ ବିଦ୍ୟୁତ ଉତ୍ପାଦନର ସାନ୍ଧ୍ରତା ସର୍ବୋଚ୍ଚ ସ୍ତରରେ ରହିଛି । ସେଥିପାଇଁ ଏହା ବ୍ରାଣ୍ଡ୍‌ଗୁଡ଼ିକୁ ନିଜ ଆଡ଼କୁ ଆକୃଷ୍ଟ କରୁଛି ।’’
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ କହିଛନ୍ତି ଯେ, “ଦ୍ରୁତ ଗତିରେ ବହୁ ଆଗକୁ ବଢ଼ିବା ଲାଗି ଝାରସୁଗୁଡ଼ା ପାଖରେ ବ୍ୟାପକ ସୁଯୋଗ ରହିଛି । ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଏହା ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ପଶ୍ଚିମ ଓଡ଼ିଶାରେ ଥିବା ୧୧ଟି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ପ୍ରଦାନ କରିଛନ୍ତି । ଇନ୍ଦୀରା ଜଳସେଚନ ପ୍ରକଳ୍ପଠାରୁ ଆରମ୍ଭ କରି ସୁକତେଲ୍ ପ୍ରକଳ୍ପ ପର୍ଯ୍ୟନ୍ତ ଓଡ଼ିଶା ବିପୁଳ ପରିମାଣର ପୁଞ୍ଜିନିବେଶ କରିଛନ୍ତି । ସମ୍ବଲପୁରୀ ମନ୍ଦିରକୁ ପୁରୀ ଢାଂଚାରେ ବିକାଶ କରାଯାଉଛି । ୭୦୦୦ କୋଟି ଟଙ୍କା ନିବେଶରେ ବିଜୁ ଅର୍ଥନୈତିକ କରିଡର ବିକାଶ କରାଯାଉଛି । ପଶ୍ଚିମ ଓଡ଼ିଶାରେ କୃଷି, ପର୍ଯ୍ୟଟନ, ଶିଳ୍ପ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବାରୁ ଏହା ସରକାରଙ୍କ ଧ୍ୟାନ ଆକର୍ଷଣ କରିଛି ।’’
ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶଶି ଶେଖର ମହାନ୍ତି କହିଛନ୍ତି ଯେ, ଁଭାରତର ୪୦ତମ ଧନୀ ଜିଲ୍ଲା ଝାରସୁଗୁଡ଼ାରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ଏଂଟରପ୍ରାଇଜ୍ ଓଡ଼ିଶା ୨୦୨୪ରେ ବି୨ବି, ଜି୨ବି ବୈଠକ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ୧୦୦ ପ୍ରଦର୍ଶନକାରୀ, ୧୫୦ ସିଇଓ ଓ ସିଏକ୍ସଓ ଯୋଗ ଦେଇଛନ୍ତି ।’’
ସିଆଇଆଇ ପୂର୍ବାଚଂଳର ଅଧ୍ୟକ୍ଷ ଶିବ ସିଦ୍ଧାନ୍ତ ନାରାୟଣ କୌଲ କହିଛନ୍ତି ଯେ, “ଓଡ଼ିଶାର ବିକାଶ ବିଷୟରେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଇଡ଼ିଶା ସରକାର ନିବେଶ ଓ ଉଦ୍ୟମିତା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରିଛନ୍ତି । ଓଡ଼ିଶାରେ ବହୁ ଶିଳ୍ପ ହବ୍ ଥିବା ବେଳେ ଝାରସୁଗୁଡ଼ା ସେଥିରୁ ଅନ୍ୟତମ । ଆମର ଲକ୍ଷ୍ୟ ହେଉଛି ବୃହତ ଶିଳ୍ପ ସଂସ୍ଥା ଓ ଏମ୍‌ଏସଏମ୍‌ଇଗୁଡ଼ିକ ମଧ୍ୟରେ ରହିଥିବା ଅନ୍ତରକୁ ଦୂର କରି ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ।’’
ବେଦାନ୍ତ ଲିମିଟେଡ୍‌ର ଚିଫ୍ ଅପରେଟିଂ ଅଫିସର ଶ୍ରୀ ସୁନୀଲ ଗୁପ୍ତା ଝାରସୁୁଗୁଡ଼ା ଅଂଚଳର ବିକାଶ ଲାଗି କଂପାନି ଗ୍ରହଣ କରିଥିବା ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଯଥା ପ୍ରୋଜେକ୍ଟ ପଞ୍ଝି, ଡାଏଗ୍ନୋଷ୍ଟିକ୍ ସେଂଟର ଆଦି ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ର ଉଦୟ ଏ କାଓଲେ, ସିଆଇଆଇ ଓଡ଼ିଶାର ଉପାଧ୍ୟକ୍ଷ ଶୁଭେନ୍ଦ୍ର କୁମାର ବେହେରା, ଜେଏସଡବ୍ଲୁ ବିପିଏସ୍‌ଆଇର ସଭାପତି ଅନିଲ କୁମାର ସିଂହ ଓ ସିଆଇଆଇ ଓଡ଼ିଶାର ଉପାଧ୍ୟକ୍ଷ ଡକ୍ଟର ପ୍ରଦୀପ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ ।


Share It

Comments are closed.