ଗୁରୁତର ବୃଦ୍ଧଙ୍କୁ ଷ୍ଟ୍ରେଚରରେ ବୋହିଆଣି ବଦାନ୍ୟତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ପୁରୀ: ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ଆଣି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧିନସ୍ଥ ଡେଣୁଆଁ ପଂଚାୟତର ବଳଭଦ୍ରପୁର ଗ୍ରାମ ନିବାସୀ ଲକ୍ଷ୍ମୀଧର ନାୟକ (୭୪ବର୍ଷ)ଙ୍କୁ ମେରୁଦଣ୍ଡ ଜନିତ ଆଘାତ ଲାଗିଥିଲା । ତେଣୁ ଗତ ୨୪ ତାରିଖ ସକାଳ ପ୍ରାୟ ୯ଟା ସମୟରେ ଉକ୍ତ ଗ୍ରାମର ସୁକାନ୍ତ କୁମାର ନାୟକ ୧୦୮ ଆମ୍ବୁଲାନ୍ସକୁ ଏହି ସଂକ୍ରାନ୍ତରେ ଯୋଗାଯୋଗ କରିଥିଲେ । ଖବର ପାଇବା ମାତ୍ରେ ଚାରିଛକ ଡାକ୍ତରଖାନାରୁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ ଗ୍ରାମ ଅଭିମୁଖେ ବାହାରି ଯାଇଥିଲା । ମାତ୍ର ଖରାପ ରାସ୍ତା କାରଣରୁ ଆମ୍ବୁଲାନ୍ସଟି ଆଗକୁ ବଢ଼ି ନପାରି ଅଧାବାଟରେ ଅଟକି ରହିଥିଲା । ତେଣୁ ୧୦୮ ଆମ୍ବୁଲାନ୍ସର ଇଏମଟି ସୁଶାନ୍ତ କୁମାର ବେହେରା, ଚାଳକ ପ୍ରତାପ କୁମାର ପରିଡ଼ା ଓ ସହାୟକ ଅସିତ କୁମାର ସ୍ୱାଇଁ ନିଜେ ଷ୍ଟ୍ରେଚର ଧରି ରୋଗୀଙ୍କ ନୀକଟକୁ ଯାଇଥିଲେ । ଏହାପରେ ରୋଗୀଙ୍କୁ ତାଙ୍କ ଘରଠାରୁ ପ୍ରାୟ ୧ କି.ମି ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୋହିଆଣି ୧୦୮ ଆମ୍ବୁଲାନ୍ସ ନୀକଟରେ ପହଂଚାଇଥିଲେ ଏବଂ ରୋଗୀଙ୍କୁ ଆଣି ନିମାପଡ଼ା ଡାକ୍ତରଖାନରେ ଭର୍ତି କରାଇଲେ । ବାସ୍ତବରେ ଏଭଳି ବିପଦ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ମାନବିକତା ନିଶ୍ଚିତ ରୂପେ ପ୍ରଶଂସନୀୟ ।


Share It

Comments are closed.