ଗୁରୁତର ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ମାଲକାନଗିରି: ରକ୍ତହୀନତାରେ ପୀଡ଼ିତ ଜଣେ ଗୁରୁତର ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଘଟଣାନୁଯାୟୀ ପ୍ରକାଶ ଦୁରୁକା ନାମକ ଜଣେ ବ୍ୟକ୍ତି ଗୁରୁତର ରକ୍ତହୀନତାରେ ପୀଡ଼ିତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । କିନ୍ତୁ ସେଠାରେ ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଯାହାପରେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ତୁରନ୍ତ ବି’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ କହିଥିଲେ । ମାତ୍ର ଭାଗ୍ୟର ବିଡ଼ମ୍ବନା ଯେ ଏହି ସମୟରେ ଡାକ୍ତରଖାନାରେ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ଏଭଳି ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ନେଇ ସମାନ ଡାକ୍ତରଖାନାକୁ ଆସିଥିବା ୧୦୮ ଆମ୍ବୁଲାନ୍ସ ଚାଳକ ରାଜେଶ କୁମାର ବେହେରାଙ୍କ ସହ ରୋଗୀଙ୍କ ସମ୍ପର୍କୀୟଙ୍କର ଭେଟ ହୋଇଥିଲା । ତେଣୁ ସେ ତାଙ୍କୁ ଗୋଟିଏ ୟୁନିଟ ବି’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବା ପାଇଁ ଅନୁରୋଧ କରିଥିଲେ । ସୌଭାଗ୍ୟବଶତଃ ରାଜେଶଙ୍କ ବ୍ଲଡଗ୍ରୁପ ମଧ୍ୟ ବି’ପଜିଟିଭ ଥିଲା । ତେଣୁ ସେ ଆଉ କାଳ ବିଳମ୍ବ ନ କରି ତୁୁରନ୍ତି ଯାଇ ସେହି ଗୁରୁତର ରୋଗୀଙ୍କୁ ଗୋଟିଏ ୟୁନିଟ ବି’ପଜିଟିଭ ବ୍ଲଡଗ୍ରୁପ ରକ୍ତଦାନ କରିଥିଲେ । ତାଙ୍କର ଏଭଳି ମାନବିକତା ପାଇଁ ସେହି ରୋଗୀଜଣଙ୍କ ଆଜି ଏକ ନୂଆ ଜୀବନ ପାଇଛନ୍ତି ।


Share It

Comments are closed.