ଯୋଗ କରୁଥିବା ବ୍ୟକ୍ତିମାନେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ


ସୁସ୍ଥ ରହିବା ପାଇଁ ବର୍ତ୍ତମାନ ଲୋକମାନେ ଯୋଗ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଅନେକ ଜିମ୍ ମଧ୍ୟ ଯାଇଥାଆନ୍ତି । ଏହାଦ୍ୱାରା ଶରୀର ସତେଜ ରହିବା ସହ ଅବସାଦ ଓ ଥକାପଣ ଦୂର ହୋଇଥାଏ । ସେଥିପାଇଁ ଶରୀରକୁ ରୋଗମୁକ୍ତ ଓ ଫିଟ୍ ରଖିବା ପାଇଁ ଆମେ ଯୋଗର ସାହାଯ୍ୟ ନେଇଥାଉ । କିନ୍ତୁ ଯୋଗ କରିବା ସମୟରେ ଆମକୁ କିଛି ନିୟମ ମାନିବାକୁ ପଡ଼ିଥାଏ, ଯାହାପ୍ରତି ସମସ୍ତେ ଅବଗତ ନଥାନ୍ତି । ଏହି ନିୟମଗୁଡ଼ିକୁ ଜାଣି ଆପଣମାନେ ସଚେତନ ରହିବା ଦରକାର । ତେବେ ଆସନ୍ତୁ ନଜର ପକାଇବା ଏପରି କେତେକ ନିୟମଗୁଡ଼ିକ ଉପରେ ।
• ଯୋଗ କରିବା ପୂର୍ବରୁ କିଛି ହାଲୁକା ବ୍ୟାୟାମ କରନ୍ତୁ, ଯେପରିକି ଆପଣଙ୍କ ଶରୀର ନମନୀୟ ହେବ । ଏହା ପରେ ଯୋଗ ଆରମ୍ଭ କରନ୍ତୁ ।
• ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଯୋଗ କରନ୍ତୁ ନାହିଁ । ଖାଲି ପେଟରେ ଅଥବା ଖାଇବାର ଅନ୍ୟୁନ ୩-୪ ଘଣ୍ଟା ପରେ ଯୋଗ କରନ୍ତୁ ।
• ପ୍ରଶିକ୍ଷକ ଶିଖାଇଥିବା ଶୈଳୀରେ ଯୋଗ କରନ୍ତୁ । ଭୁଲ୍ ଭାବରେ ଯୋଗ ଆସନ କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏହା ଆପଣଙ୍କ ଆଣ୍ଠୁଗଣ୍ଠି, ମାଂସପେଶୀ ଓ ଶରୀରର ଅନ୍ୟାନ୍ୟ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ ।
• ଯୋଗ କରୁଥିଲେ ନିଜର ଖାଦ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଫାଷ୍ଟଫୁଡ ତଥା ଅଧିକ ଚର୍ବି ଜାତୀୟ ଖାଦ୍ୟ ନଖାଇ ସୁଷମ, ସନ୍ତୁଳିତ ଓ ହାଲୁକା ଆହାର ଗ୍ରହଣ କରନ୍ତୁ । ପନିପରିବା ଓ ଫଳ ଖାଇବା ଦିଗରେ ଅଧିକ ଦୃଷ୍ଟି ଦିଅନ୍ତୁ ।
• ଏକ ସମୟରେ ଯୋଗ କରନ୍ତୁ । ଯୋଗ କରିବା ମଝିରେ ଯାଇ ଅନ୍ୟ କାର୍ଯ୍ୟ କରନ୍ତୁ ନାହିଁ କିମ୍ବା ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ ।
• ସୂର୍ଯ୍ୟୋଦୟ ପୂର୍ବରୁ ଯୋଗ କରିବା ଅତ୍ୟନ୍ତ ଉପାଦେୟ । ନିୟମିତ ଭାବେ ଯୋଗ କରନ୍ତୁ । ଯୋଗର ଅନିୟମିତତା ଆପଣଙ୍କ ଶରୀର ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ ।
• ଯୋଗ କରିବା ପରେ ସଙ୍ଗେ ସଙ୍ଗେ ଗାଧାନ୍ତୁ ନାହିଁ । କାରଣ ଯୋଗ ଅଥବା ବ୍ୟାୟାମ କରି ସାରିବା ପରେ ଶରୀର ଗରମ ରହିଥାଏ । ଏହି ସମୟରେ ଶରୀର ଯଦି ଜଳ ସଂସ୍ପର୍ଶରେ ଆସେ ତେବେ ଏହା ଆମକୁ କ୍ଷତି ପହଞ୍ଚାଇଥାଏ ।


Share It

Comments are closed.