୨୦୧୯ ନିର୍ବାଚନରେ ଓଡ଼ିଶା କଂଗ୍ରେସ କ’ଣ କରିପାରିବ?


ପାଖେଇ ଆସୁଛି ୨୦୧୯ର ସାଧାରଣ ନିର୍ବାଚନ । ଏଥି ସହିତ ସକ୍ରିୟ ହୋଇଉଠିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳର ନେତାମାନେ । ଓଡ଼ିଶାରେ ସାଧାରଣତଃ ତିନୋଟି ଦଳ ଭିତରେ ଲଢ଼େଇ ହୋଇଥାଏ । ତାହା ହେଉଛି ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି (ବିଜେପି) ଓ ଦେଶର ସବୁଠୁ ପୁରୁଣା ଦଳ କଂଗ୍ରେସ । ବର୍ତମାନ ସ୍ଥିତିରେ ରାଜ୍ୟରେ ସର୍ବଶକ୍ତିମାନ ଦଳ ହେଉଛି ବିଜେଡି । ଏହାକୁ ପରାସ୍ତ କରିବା ବହୁତ କଷ୍ଟକର ବୋଲି କହିଲେ ଭୁଲ ହେବନାହିଁ ।
ଓଡ଼ିଶାରେ କଂଗ୍ରେସର ସ୍ଥିତି ବିଷୟରେ କିଛି ନକହିବା ଭଲ । ଦୀର୍ଘବର୍ଷ ରାଜ୍ୟକୁ ଶାସନ କରିଥିବା ଏହି ଦଳ କୌଣସି ଗୋଟିଏ ବି ନିର୍ବାଚନରେ ଆଖିଦୃଶିଆ ପ୍ରଦର୍ଶନ କରିପାରୁନାହିଁ । ଏହାର ଏକ ପ୍ରମୁଖ କାରଣ ହେଉଛି ତୃଣମୂଳ ସ୍ତରରେ ସଂଗଠନ ଠିକ୍ ନାହିଁ । କଂଗ୍ରେସର ନେତାମାନେ ପୂର୍ବ ଭଳି ନିଜକୁ ସବଳ ମନେ କରୁନାହାନ୍ତି । ନିଜର ରାଜନୈତିକ ଜୀବନକୁ ନେଇ ସେମାନେ ସନ୍ଦେହରେ ରହିଛନ୍ତି । ବିଧାୟକ ହେବା ଭଳି କ୍ଷମତା ରଖିଥିବା କଂଗ୍ରେସର ନେତାମାନେ ୱାର୍ଡମେମ୍ବର ମଧ୍ୟ ହୋଇପାରୁନାହାନ୍ତି । ଏହାର ଏକ ପ୍ରମୁଖ କାରଣ ହେଉଛି କଂଗ୍ରେସ ପ୍ରତି ଲୋକମାନଙ୍କର କୌଣସି ପ୍ରକାର ଆଗ୍ରହ ନାହିଁ ।

୧- ଲୋକମାନେ କାହିଁକି କଂଗ୍ରେସଠାରୁ ଦୂରେଇ ଗଲେ?

ଦେଶ ସ୍ୱାଧୀନ ହେବା ପରଠାରୁୁ କଂଗ୍ରେସର ରାଜୁତି ଦୀର୍ଘବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ତାହାର ପ୍ରତିଫଳନ ସବୁ ରାଜ୍ୟଗୁଡ଼ିକରେ ଦେଖିବାକୁ ମିଳିଥିଲା । ଓଡ଼ିଶାରେ ମଧ୍ୟ ସେମିତି ଚାଲିଥିଲା । କଂଗ୍ରେସ ଦେଶର ପ୍ରତିଟି ଘରେ ଘରେ ପହଂଚିଥିଲା । ଆଜି ବି ଏଭଳି ଲୋକ ଗାଁ ଗଣ୍ଡାରେ ବାସ କରୁଛନ୍ତି ଯେଉଁମାନେ କଂଗ୍ରେସ ଛଡ଼ା ଅନ୍ୟ କାହାରିକୁ ଭୋଟ ଦିଅନ୍ତି ନାହିଁ । କଂଗ୍ରେସର ନେତାଙ୍କୁ ନୁହେଁ ବରଂ ଚିହ୍ନକୁ ଦେଖି ସେମାନେ ଭୋଟ୍ ଦିଅନ୍ତି । ଏଭଳି ଗତାନୁଗତି ଗତିରେ ନିର୍ବାଚନ ଚାଲିଥିଲା । ସମୟ ଅତିକ୍ରାନ୍ତ କରିବା ସହ ଅଶିରୁ ନବେ ଦଶକ ମଧ୍ୟରେ ଏକ ନୂତନ ପିଢ଼ିର ଅଭ୍ୟୁଦୟ ହେଲା । ସେହି ନୂତନ ପିଢ଼ି ଆଉ କେହି ନୁହନ୍ତି ବରଂ ମୂଳ କଂଗ୍ରେସିଆଙ୍କ ପୁଅ ଝିଅ ଓ ପୁତୁରା ଝିଆରିମାନେ । ସେହି ପୁଅ ଝିଅମାନେ ବଡ଼ ହେବା ସହିତ ଜାଣିପାରିଲେ ଯେ ସେମାନଙ୍କ ବାପା କିମ୍ବା ଜେଜେବାପା ଯେଉଁ କଂଗ୍ରେସ ପାଇଁ ଏତେ ପାଗଳ ସେମାନେ ବାସ୍ତବ ସ୍ଥିତି ବିଷୟରେ କିଛି ଜାଣନ୍ତି ନାହିଁ । ମୂଳରୁ ତାଙ୍କ ମୁଣ୍ଡରେ ଯାହା ପଶିଛି ତାହାକୁ ସେମାନେ ବଦଳାଇବାକୁ ଚାହୁଁନାହାନ୍ତି । ସେମାନେ ଥିଲେ ଅନ୍ଧ କଂଗ୍ରେସ ଭକ୍ତ । କଂଗ୍ରେସ ବିରୋଧରେ କୌଣସି କଥା ଶୁଣିବାକୁ ଚାହଁନଥିଲେ । ଏଭଳିକି କଂଗ୍ରେସକୁ ବିରୋଧ କରୁଥିବା ପୁଅ କିମ୍ବା ପୁତୁରାମାନଙ୍କୁ ଘର ଛାଡ଼ିବାକୁ ପଡୁଥିଲା । ସେହି ଅନ୍ଧ କଂଗ୍ରେସ ଭକ୍ତମାନଙ୍କ ଯୋଗୁଁ ନୂଆ ପିଢ଼ିର ଓଡ଼ିଆମାନେ ଏକ ବିକଳ୍ପ ଦଳ ସନ୍ଧାନରେ ଥିଲେ । ସେମାନେ କାଳକ୍ରମେ ଜନତା ଦଳ ପ୍ରତି ଆକୃଷ୍ଟ ହୋଇଥିଲେ । କାରଣ କଂଗ୍ରେସର ପ୍ରମୁଖ ପ୍ରତିଦ୍ୱନ୍ଦୀ ଭାବେ ଜନତା ଦଳର ଉତ୍ଥାନ ହୋଇଥିଲା । ଓଡ଼ିଶାରେ ଏହି ଦଳର ନେତୃତ୍ୱ ନେଇଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ । ବିଜୁ ପଟ୍ଟନାକୟଙ୍କ ନେତୃତ୍ୱରେ ଏହି ଦଳର ପ୍ରଦର୍ଶନ ବହୁତ ଭଲ ଥିଲା । କିନ୍ତୁ କର୍ମୀମାନଙ୍କୁ ଜୀବନ ଜୀବିକା ଓ ରୋଜଗାର ପ୍ରଦାନ କରିବାରେ ଜନତା ଦଳ କଂଗ୍ରେସ ଭଳି ପ୍ରଦର୍ଶନ ଦେଇପାରିନଥିଲା । ଅନ୍ୟ ପକ୍ଷରେ ଜନତା ଦଳର ନେତାମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ଯୋଗୁଁ ଦଳ ଜାତୀୟ ସ୍ତରରେ ଫାଳଫାଳ ହୋଇଗଲା ଓ ଜାତୀୟ ସ୍ତରରେ ପୁଣି ଶାସନ ଭାର କଂଗ୍ରେସ ହାତକୁ ଚାଲିଗଲା । ଜନତା ଦଳର ବିଭାଜନରୁ ସୃଷ୍ଟି ହୋଇଥିବା ସବୁଠୁ ବଡ଼ ଦଳ ହେଉଛି ଭାରତୀୟ ଜନତା ପାର୍ଟି ବା ବିଜେପି । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏହି ଦଳ ଏତେ ଜନପ୍ରିୟ ହୋଇଯାଇଥିଲା ଯାହା କଳନା ମଧ୍ୟ କରାଯାଇପାରିନାହିଁ । ନୂଆ ପିଢ଼ି ଭାବିିଥିଲେ ଯେ ଆମେ ଚାହୁଁଥିବା ଦଳଟିଏ ହେଉଛି ବିଜେପି । ଓଡ଼ିଶାରେ ମଧ୍ୟ ବାଜପେୟୀଙ୍କ ସମୟରେ ଅନେକ ଟାଣୁଆ ବିଜେପି ନେତା ସୃଷ୍ଟି ହୋଇଥିଲେ । ବିଶ୍ୱଭୂଷଣ ହରିଚନ୍ଦନ, ବିଜୟ ମହାପାତ୍ର, ଜୁଏଲ ଓରାମଙ୍କ ଭଳି ନେତା ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ । ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ବାଜପେୟୀ ସରକାର ନିର୍ବାଚନରେ ହାରିଯିବା ପରେ ବିଜେପି ପୁଣି ଦୁର୍ବଳ ହୋଇପଡ଼ିଲା । ବିଜେପି ଏହି ସମୟରେ କରିଥିବା ସବୁଠୁ ବଡ଼ ଭୁଲ ହେଉଛି ନିଜର ଭୋଟରଙ୍କୁ ପାଖରେ ରଖିପାରିଲା ନାହିଁ । ନିଜ କର୍ମୀଙ୍କ ଦେଖାଶୁଣା କରିବାରେ ଏହି ଦଳ ବିଫଳ ହୋଇଥିଲା । ଓଡ଼ିଶାରେ ବିଜେଡି ଓ ବିଜେପି ମିଳିତ ଭାବେ ନିର୍ବାଚନ ଲଢ଼ୁଥିଲେ । ଯେଉଁ ବର୍ଷଠାରୁ ବିଜେପିର ହାତକୁ ବିଜେଡି ଛାଡ଼ି ଦେଲା ସେହି ଦିନଠାରୁ ବିଜେପି ନିଜର କର୍ମୀଙ୍କୁ ଆଉ ପାଖରେ ରଖିପାରିଲେ ନାହିଁ ।

୨ -କର୍ମୀମାନେ ବାଟ ହୁଡ଼ିଲେ କାହିଁକି?

ମୋଟ ଉପରେ ଏହା କୁହାଯାଇପାରିବ ଯେ, ଯେଉଁ ନୂଆ ପିଢ଼ି କଂଗ୍ରେସିଆଙ୍କ ପୁଅ ପୁତୁରା ଥିଲେ ସେମାନେ ବିଜେପିକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ବିଜେପି ସେମାନଙ୍କୁ ପାଖରେ ରଖିପାରିଲା ନାହିଁ । ସେମାନଙ୍କ ମନକୁ ସବୁ ଦିନ ପାଇଁ ଜିତି ନେବାରେ ବିଜେପି ବିଫଳ ହୋଇଥିଲେ । ସେହି ସମୟରେ ଓଡ଼ିଶାରେ ବିଜେଡି ଏକ ଟାଣୁଆ ଦଳ ଭାବେ ଉଭା ହେଲା । ତେଣୁ ରାଜନୀତିରେ ରୁଚି ରଖୁଥିବା କର୍ମୀମାନେ ଅନ୍ୟ କୌଣସି ଉପାୟ ନପାଇ ବିଜେଡି ମୁହାଁ ହୋଇଥିଲେ । ଆଜି ଯେଉଁ ଲୋକମାନେ ନିଜକୁ ବିଜେଡି କର୍ମୀ ବୋଲି କହୁଛନ୍ତି ସେମାନେ ପ୍ରକୃତରେ ମୂଳ କଂଗ୍ରେସିଆ । କିଛି ଦିନ ବିଜେପି ଆଡକୁ ଢ଼ଳିଥିଲେ । କିନ୍ତୁ କୌଣସି ସ୍ଥାନରୁ ଆବଶ୍ୟକ ସୁଯୋଗ ନପାଇବାରୁ ବିଜେଡି ମୁହାଁ ହୋଇଛନ୍ତି । ବିଜେଡି ନିଜ କର୍ମୀମାନଙ୍କ ସୁଖ ଦୁଃଖ ବୁଝିପାରିଛି । ସେମାନଙ୍କୁ ଜୀବନ ଜୀବିକାର ସୁଯୋଗ ପ୍ରଦାନ କରିଛି । ଯେଉଁ ଅପାଠୁଆ ଓ ଅଶିକ୍ଷିତ କର୍ମୀମାନେ ବିଜେଡି ସହିତ ସାମିଲ ହୋଇଥିଲେ ସେମାନେ ଆଜି କୋଠା ବାଡ଼ି ଦାମୀ ଗାଡ଼ି ଚଢ଼ି ବୁଲୁଛନ୍ତି । ସ୍ଥାନୀୟ ଅଂଚଳର ଠିକା କାମଠାରୁ ଆରମ୍ଭ କରି ଚେକ୍ ଗେଟ୍ ଜଗିଆ, ଅସ୍ଥାୟୀ ନିର୍ମାଣ କାମର ଦେଖାଶୁଣା କରିବା ଓ ସରକାରୀ ପ୍ରକଳ୍ପଗୁଡ଼ିକର ଅଂଶ ହୋଇ ବିଜେଡି କର୍ମୀମାନେ ଲାଭବାନ ହୋଇଛନ୍ତି । ନିଜ ଜୀବନରେ କିଛି ବି କରିପାରିବାର ଆଶା ରଖିନଥିବା ବିଜେଡିର କର୍ମୀମାନେ ଯାହା ଆଶା କରିନଥିଲେ ତାହା ପାଇପାରିଛନ୍ତି ।

୩- ଏବେ କଂଗ୍ରେସ କ’ଣ କରିପାରିବ?

କର୍ମୀ ସଂଖ୍ୟାକୁ ଯଦି ବିଚାରକୁ ନିଆଯିବ ତେବେ କଂଗ୍ରେସ ଯେ ଓଡ଼ିଶାରେ ବିଜୟ ହାସଲ କରିପାରିବ ତାହାର କୌଣସି ସମ୍ଭାବନା ନାହିଁ । କିନ୍ତୁ ଏହା ନିର୍ବାଚନର ପଟ ପରିବର୍ତନ କରିବାର କ୍ଷମତା ରଖୁଛି । ଅତୀତରେ ଯେଭଳି ଏକ ନୂଆ ପିଢ଼ିର ଅଭ୍ୟୁଦୟ ଯୋଗୁୃଁ କଂଗ୍ରେସରୁ କର୍ମୀମାନଙ୍କ ମୋହ ଭଙ୍ଗ ହୋଇଥିଲା, ଏବେ ଓଡ଼ିଶାରେ ସେଭଳି ଏକ ଧାରା ଆରମ୍ଭ ହୋଇଥିବା ଦେଖିବାକୁ ମିଳୁଛି । ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଦୀର୍ଘ ଦିନ ଶାସନ କରିବା ପରେ କେବଳ ବିଜେଡି କର୍ମୀମାନେ ଲାଭବାନ ହେଉଛନ୍ତି ଓ ଜନସଂଖ୍ୟାର ଏକ ବଡ଼ ଭାଗ ବିକାଶର ଲାଭ ପାଉନାହାନ୍ତି । ସେହି କର୍ମୀମାନେ ଏବେ ଏକ ବିକଳ୍ପ ଦଳର ସନ୍ଧାନରେ ରହିଛନ୍ତି । ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଏହି କର୍ମୀମାନଙ୍କୁ ବିଜେପି ଆଡକୁ ଟାଣିଛି । କିନ୍ତୁ କର୍ମୀମାନଙ୍କୁ ଖୁସି କରିବାର କଳା ବିଜେପିକୁ ଭଲ ଭାବେ ଜଣାନାହିଁ । ଏହା କେବଳ ମୋଦିଙ୍କ ଲୋକପ୍ରିୟତା ବଳରେ ଆଗକୁ ମାଡ଼ି ଚାଲିଛି । ଯଦି କର୍ମୀମାନଙ୍କୁ ବିଜେଡି ଖୁସି କରିପାରୁଥାନ୍ତା ତେବେ ଏହାର ନେତା ଓ କର୍ମୀମାନେ ବିଜେଡିରେ ମିଶୁନଥାନ୍ତେ । ଓଡ଼ିଶାରେ ଅସନ୍ତୁଷ୍ଟ କର୍ମୀମାନଙ୍କ ପାଇଁ ଏବେ କୌଣସି ବାଟ ନାହିଁ । ସେମାନେ ବିଜେଡି ପାଖକୁ ଯାଇପାରୁନାହାନ୍ତି କିମ୍ବା ବିଜେପି ପାଖରେ ସନ୍ତୁଷ୍ଟ ନାହାନ୍ତି । କଂଗ୍ରେସର ଯାହା କ୍ଷତି ହେବା କଥା ହୋଇସାରିଛି । ଏବେ ଯଦି କ’ଣ ପରିବର୍ତନ ହେବ ତାହା ହେଉଛି ଏହି ଅସନ୍ତୁଷ୍ଟ କର୍ମୀମାନେ ପୁଣି ଥରେ କଂଗ୍ରେସ ମୁହାଁ ହୋଇପାରନ୍ତି । ତାହା ହେଲେ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ବିପ୍ଳବ ଦେଖାଦେବ । ସବୁ କିଛି କଂଗ୍ରେସ ଉପରେ ନିର୍ଭର କରୁଛି । ଏହି ଅସନ୍ତୁଷ୍ଟ କର୍ମୀମାନଙ୍କ ସଂଖ୍ୟା କିଛି କମ୍ ନୁହେଁ । ପ୍ରତି ବୁଥ୍ରେ ସେଭଳି ହଜାର ହଜାର ଅସନ୍ତୁଷ୍ଟ କର୍ମୀ ରହିଛନ୍ତି । ଯଦି ଏକ ସୁଚିନ୍ତିତ ରଣନୀତି ଜରିଆରେ କଂଗ୍ରେସ ସେମାନଙ୍କୁ ନିଜ ପାଖକୁ ଆଣିପାରିବ ତେବେ ଓଡ଼ିଶା ରାଜନୀତିରେ ଗତ ୨୦ ବର୍ଷରେ ଯେଉଁ ପରିବର୍ତନ ଦେଖାଦେଇନଥିଲା ତାହା ଦେଖିବାକୁ ମିଳିବ । ସବୁ କିଛି କଂଗ୍ରେସର ରଣନୀତି ଓ ଗୋଟିଚାଳନା ଉପରେ ନିର୍ଭର କରୁଛି ।


Share It

Comments are closed.