ପଞ୍ଚମ ଦିନିକିଆରେ ଶତକ ଲଗାଇ ଆଉ ଏକ ରେକର୍ଡ ହାସଲ କରିପାରନ୍ତି ବିରାଟ


ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଯେତେବେଳେ ବି କ୍ରିଜକୁ ବ୍ୟାଟିଙ୍ଗ ପାଇଁ ଓହ୍ଲାନ୍ତି ସେ କିଛି ନା କିଛି ନୂଆ ରେକର୍ଡ ନିଜ ନାମରେ ନିଶ୍ଚିତ କରିଥାନ୍ତି । ଆଜି ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ୫ମ ଦିନିକିଆରେ ସେ ପୁଣି ଏକ ନୂଆ ରେକର୍ଡ କରିବାର ସୁଯୋଗ ମଧ୍ୟ ରହିିଛି । ଯଦି ବିରାଟ ଆଜି ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ୫ମ ଦିନିକିଆରେ ଶତକ ଲଗାଇ ଦିଅନ୍ତି, ତେବେ ସେ ଗୋଟିଏ ବାଇଲେଟ୍ରାଲ ସିରିଜରେ ୪ଟି ଶତକ ଲଗାଇଥିବା ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଯିବେ ।
ବିରାଟ କୋହଲିଙ୍କ ପୂର୍ବରୁ ୮ ଜଣ ବ୍ୟାଟ୍ସମ୍ୟାନ ବାଇଲେଟ୍ରାଲ ସିରିଜରେ ୩ଟି ଶତକ ଲଗାଇସାରିଛନ୍ତି । ବିରାଟ ଦୁଇ ଥର ଦିନିକିଆ ସିରିଜରେ ୩ଟି ଶତକ ଲଗାଇବାର କାରନାମା କରିସାରିଛନ୍ତି । ଏହି ବର୍ଷ ସାଉଥ ଆଫ୍ରିକା ଗସ୍ତ ସମୟରେ ହୋଇଥିବା ଦିନିକିଆ ସିରିଜରେ ବିରାଟ ୩ଟି ଶତକ ଲଗାଇଥିଲେ ।
ଯଦି ଆମେ ବିରାଟଙ୍କ ବର୍ତ୍ତମାନ ଫର୍ମ ଉପରେ ନଜର ପକାଇବା ତେବେ ତାଙ୍କ ପାଇଁ ଏହି ଶତକ ହାସଲ କରିବା କିଛି ବଡ କଥା ନୁହେଁ । ବିରାଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଏହି ସିରିଜରେ ୪ଟି ମ୍ୟାଚରେ ତିନୋଟି ଶତକ ଲଗାଇ ୪୨୦ ରନ ହାସଲ କରିସାରିଲେଣି । ଏହା ସହିତ ତାଙ୍କର ଷ୍ଟ୍ରାଇକ ରେଟ ୧୧୨.୯୦ରେ ଆସି ପହଞ୍ଚିସାରିଲାଣି ।
ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ୫ମ ଦିନିକିଆ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଭାରତ ପୂର୍ବରୁ ୨ଟି ଦିନିକିଆ ଜିତି ସାରିଥିବାବେଳେ ଏହାକୁ ଜିତି ସିରିଜ କବଜା କରିବାକୁ ନିଶ୍ଚିତ ଚାହିଁବ । ଯାହା ଫଳରେ ଭାରତ ନିଜ ଘରୋଇ ମାଟିରେ ଲଗାତର ଷଷ୍ଠତମ ଦିନିକିଆ ସିରିଜ ଜିତିବାର ସୌଭାଗ୍ୟ ପାଇବ । ଯଦି ୱେଷ୍ଟଇଣ୍ଡିଜ ଏହି ମ୍ୟାଚଟି ଜିତି ଯାଏ ତେବେ ସିରିଜ ଡ୍ର ହୋଇଯିବ କାରଣ ପୂର୍ବରୁ ୱେଷ୍ଟଇଣ୍ଡିଜ ଗୋଟେ ମ୍ୟାଚ ଜିତିଥିବା ବେଳେ ଅନ୍ୟ ଏକ ମ୍ୟାଚ ଚାଇ ହୋଇଯାଇଥିଲା । ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଟଚ ଜିତି ବ୍ୟାଟିଂ ପାଇଁ ନିଷ୍ପତି ନେଇଛି ।


Share It

Comments are closed.