ଜେଏନୟୁରେ ରକ୍ତାକ୍ତ ସଂଘର୍ଷ, ଟ୍ୱିଟ କରି ନିନ୍ଦା ପ୍ରକାଶ କଲେ ଟ୍ୱିଙ୍କିଲ


ରବିବାର ସନ୍ଧ୍ୟାରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଶତାଧିକ ଅଜ୍ଞାତ ମୁଖାପିନ୍ଧା ଅଣଛାତ୍ର କ୍ୟାମ୍ପସ ପରିସରକୁ ପ୍ରବେଶ କରି ଛାତ୍ର ଓ ଶିକ୍ଷକମାନଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଛନ୍ତି । ଏଥିରେ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତିଙ୍କ ସମେତ ଅନେକ ଛାତ୍ର, ଅଧ୍ୟାପକ ଏବଂ ଅନ୍ୟାନ କର୍ମଚାରୀମାନେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣା ପରେ କ୍ୟାମ୍ପସ ପରିସରରେ ଚରମ ଉତ୍ତେଜନା ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ମୁତାବକ, ରବିବାର ସନ୍ଧ୍ୟା ୮ଟା ବେଳେ ଜେଏନୟୁ ଶିକ୍ଷକ ସଂଘ ପକ୍ଷରୁ ଡକାଯାଇଥିବା ଏକ ଆଲୋଚନା ସଭା ଚାଲିଥିବାବେଳେ କିଛି ମୁଖାପିନ୍ଧା ଅଣଛାତ୍ର ହାତରେ ଲାଠି, ହକି, ଲୁହା ରଡ ଓ ଅନ୍ୟାନ୍ୟ ମରଣାସ୍ତ୍ର ଧରି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ ଭିତରେ ପ୍ରବେଶ କରି ହଙ୍ଗାମା କରିଥିଲେ । ସେମାନଙ୍କ ଆକ୍ରମଣରେ ଜେଏନୟୁ ଛାତ୍ର ସଙ୍ଘର ସଭାପତି ଆଇଷା ଘୋଷ ଓ ସଂପାଦକ ସତୀଶ ଚନ୍ଦ୍ରଙ୍କ ସମେତ ଅନେକ ଛାତ୍ର ଓ ଶିକ୍ଷକ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା ପ୍ରକାଶ କରାଯାଉଥିବା ଏଥିରୁ ବାଦ ପଡିନାହାନ୍ତି ସିନେ ତାରକା । ବିଲଉଡ ଅଭିନେତା ଟ୍ୱିଙ୍କିଲ ଖନ୍ନା ଏହା ଘଟଣାକୁ ନେଇ ନିନ୍ଦା ପ୍ରକାଶ କରିବା ସହ ଟ୍ୱିଟ କରି କହିଛନ୍ତି ଯେ, “ଯେଉଁଠାରେ ଗାଇଙ୍କୁ ଛାତ୍ରଙ୍କ ଠାରୁ ଅଧିକ ସୁରକ୍ଷା ପ୍ରଦାନ କରାଯାଉଛି ଏହା ହେଉଛି ସେହି ଦେଶ ଯିଏକି ଡରିକରି ବଞ୍ଚିବା ଛାଡିଦେଇଛନ୍ତି । ଆପଣ ହିଂସା ଘଟାଇ ଲୋକଙ୍କ ସ୍ୱରକୁ ଦବାଇ ପାରିବେ ନାହିଁ…. ଆହୁରୀ ଅଧିକ ବିରୋଧ ହେବ, ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ଅଧିକ ହେବ, ଜନସାଧାରଣ ରାଜ ରାସ୍ତାକୁ ମଧ୍ୟ ଓହ୍ଲାଇବେ ।”

ପ୍ରକାଶ ଥାଉକି, ଟ୍ୱିଙ୍କିଲଙ୍କ ପୂର୍ବରୁ ସ୍ୱରା ଭାଷ୍କର, ସୋନମ କପୁର, ଶବନା ଆଜମୀ, ଅନୁରାଗ କଷ୍ୟପ, କୋଣକନ ସେନ, ରିଚା ଚଡ୍ଡା, ତାପସୀ ପନ୍ନୁ, ଜେଲେନିଆ ଦେଶମୁଖ, ରିତେଶ ଦେଶମୁଖଙ୍କ ଭଳି ଅନେକ ଅଭିନେତା ଏହି ଘଟଣାକୁ ଦୃଢ ନିନ୍ଦା କରିସାରଛନ୍ତି ।


Share It

Comments are closed.