ତେଜସ୍ୱିନୀ: ନାରୀ ସଶକ୍ତିକରଣର ଅନନ୍ୟ ପ୍ରୟାସ; ଉଦିତନଗର ବିଦ୍ୟୁତ୍ ଉପଖଣ୍ଡକୁ କେବଳ ମହିଳା କର୍ମଚାରୀଙ୍କ ପାଇଁ ଉତ୍ସର୍ଗୀକୃତ କରିଛି ଟିପିଡବ୍ଲ୍ୟୁଡିଏଲ୍


ବୁର୍ଲା/ରାଉରକେଲା, 08.08.2024: ନାରୀ ସଶକ୍ତିକରଣର ଏକ ଅନନ୍ୟ ପ୍ରୟାସ ଭାବେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲ୍ୟୁଡିଏଲ୍) ରାଉରକେଲା ସହର ସ୍ଥିତ ଉଦିତନଗର ବିଦ୍ୟୁତ୍ ଉପଖଣ୍ଡକୁ ଆନୁଷ୍ଠାନିକ ଭାବେ କେବଳ ମହିଳା କର୍ମଚାରୀଙ୍କ ପାଇଁ ଉତ୍ସର୍ଗୀକୃତ କରିଅଛି । ଏହି ଅଗ୍ରଗାମୀ ପଦକ୍ଷପଟି ଜନସାଧାରଣ ତଥା ସମାଜରେ ନାରୀଶକ୍ତିକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏହି ଯୁଗାନ୍ତାକାରୀ ପଦକ୍ଷପର ସଫଳ ରୂପାନ୍ତରଣର ଆନୁଷ୍ଠାନିକ ଆରମ୍ଭ ପୂର୍ବକ ଆଜି (ତା.08.08.2024 ରିଖ) ଦିନ ରାଉରକେଲା ସହର ସ୍ଥିତ ଟିପିଡବ୍ଲ୍ୟୁଡିଏଲର ଉଦିତନଗର ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ମହାନଗର ନିଗମର ଯୁଗ୍ମ କମିଶନର ଶ୍ରୀମତୀ ପଲ୍ଲବୀ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଯୋଗଦେଇ କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଅଛନ୍ତି । ଟିପିଡବ୍ଲ୍ୟୁଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବର୍ମା ଏବଂ କମ୍ପାନୀର ବରିଷ୍ଠ ଅଧିକାରୀ ତଥା କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହିତ ଖୁସି ବ୍ୟକ୍ତ କରିଛନ୍ତି ।

ଏହି ଅଗ୍ରଗାମୀ ଚିନ୍ତାଧାରା କର୍ମକ୍ଷେତ୍ରରେ ମହିଳାଙ୍କୁ ଅଧିକ ସଶକ୍ତ କରିବାରେ ଏକ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଯେଉଁଠାରେ ମହିଳାମାନେ ସେମାନଙ୍କର ବୃତ୍ତିଗତ ଭୂମିକାକୁ ଉନ୍ନତ ଏବଂ ଉତ୍କର୍ଷ କରିପାରିବେ । ଉଦିତନଗର ବିଦ୍ୟୁତ୍ ଉପଖଣ୍ଡକୁ କେବଳ ମହିଳାଙ୍କ କାର୍ଯ୍ୟକ୍ଷେତ୍ରରେ ପରିଣତ କରି, ଟିପିଡବ୍ଲ୍ୟୁଡିଏଲ୍ ଏକ ସମାବେଶୀ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ ସମସ୍ତ କର୍ମଚାରୀଙ୍କୁ ସମାନ ସୁଯୋଗ ପ୍ରଦାନ କରି ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଅଛି ।

ଉଲ୍ଲେଖଯୋଗ୍ୟ ଯେ, ଉଦିତନଗର ବିଦ୍ୟୁତ୍ ଉପଖଣ୍ଡ ଅଧିନରେ ଆସୁଥିବା ସମସ୍ତ ବିଦ୍ୟୁତ୍ କାର୍ଯ୍ୟାଳୟରେ ମହିଳା କର୍ମଚାରୀ ମାନେ ବିଦ୍ୟୁତ୍ ବିତରଣର ଭାର ବହନ କରିବେ । ଉଦିତନଗର ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟଳୟର ଉପଖଣ୍ଡ ଯନ୍ତ୍ରୀଙ୍କ ସମେତ ଏହା ଅଧିନରେ ଆସୁଥିବା ସମସ୍ତ 4 ସେକ୍ସନ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ, କମର୍ସିଆଲ୍ ଅଫିସର୍ ତଥା ଅନ୍ୟନ୍ୟ କର୍ମଚାରୀମାନେ ମଧ୍ୟ ଜଣେ ଜଣେ ମହିଳା ଅଟନ୍ତି । ତେଣୁ ଉଦିତନଗର ବିଦ୍ୟୁତ୍ ଉପଖଣ୍ଡ ଏହି ନୂତନ ମହିଳା ଟିମର ନାମ ତେଜସ୍ୱିନୀ ରଖାଯାଇଅଛି । ଉଦିତନଗର କାର୍ଯାୟଳୟକୁ ମହିଳା କର୍ମଚାରୀମାନଙ୍କ ଶ୍ରମଶକ୍ତିର ଆବଶ୍ୟକତା ଅନୁଯାୟୀ ଆଧୁନିକ ସୁବିଧା ଏବଂ ସମ୍ବଳ ସହିତ ସଜ୍ଜିତ ହୋଇଅଛି, ଯାହା ଏକ ଅନୁକୂଳ ଏବଂ ଆରାମଦାୟକ କାର୍ଯ୍ୟକ୍ଷେତ୍ର ହୋଇପାରିଅଛି । ଟିପିଡବ୍ଲୁଓଡିଏଲ୍ ମହିଳା କର୍ମଚାରୀ ମାନଙ୍କ କ୍ୟାରିୟରର ଉନ୍ନତିକୁ ସମର୍ଥନ କରିବା ପାଇଁ ଲକ୍ଷ୍ୟବଦ୍ଧ ତାଲିମ କାର୍ଯ୍ୟକ୍ରମ ଏବଂ ପରାମର୍ଶଦାତା ସୁଯୋଗ କାର୍ଯ୍ୟକାରୀ କରିବ, ଯାହା ସେମାନଙ୍କୁ ସେମାନଙ୍କର ବୃତ୍ତିଗତ ଆକାଂକ୍ଷା ହାସଲ କରିବାରେ ସାହାଯ୍ୟ କରିବ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ରାଉରକେଲା ମହାନଗର ନିଗମର ଯୁଗ୍ମ କମିଶନର ଶ୍ରୀମତୀ ପଲ୍ଲବୀ ନାୟକ ଖୁସି ବ୍ୟକ୍ତକରି କହିଛନ୍ତି, ଉଦିତନଗର ବିଦ୍ୟୁତ୍ ଉପଖଣ୍ଡର ଏହି ନାରୀ ଶକ୍ତିକୁ ମୋର ଶୁଭେଚ୍ଛା । ରାଉରକେଲା ସହରର ପାଇଁ ତଥା ସାରା ପଶ୍ଚିମ ଓଡ଼ିଶାରେ ଉଦିତନଗର ବିଦ୍ୟୁତ୍ ଉପଖଣ୍ଡର ଏହି ତେଜସ୍ୱିନୀ ଟିମ୍ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିବ ବୋଲି ମୋର ଆଶା ରହିଛି ।

ଏହି ଅବସରରେ ଟିପିଡବ୍ଲ୍ୟୁଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବର୍ମା ଖୁସି ବ୍ୟକ୍ତ କରିବା ସହ ପ୍ରକାଶ କରିଅଛନ୍ତି ଯେ, ଏହି ମାଇଲଖୁଣ୍ଟ ବିବିଧତା ଏବଂ ସମାବେଶୀତା ପ୍ରତି ଆମର ପ୍ରତିବଦ୍ଧତାର ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ପ୍ରତିନିଧିତ୍ୱ କରେ । ଉଦିତନଗର ବିଦ୍ୟୁତ୍ ଉପଖଣ୍ଡକୁ କେବଳ ମହିଳାମାନଙ୍କ ପାଇଁ ଉତ୍ସର୍ଗ କରି ଆମେ କେବଳ ଯେ ଏକ ସନ୍ତୁଳିତ କାର୍ଯ୍ୟକ୍ଷେତ୍ରକୁ ପ୍ରୋତ୍ସାହିତ କରୁନାହୁଁ ବରଂ ଆମର ମହିଳା କର୍ମଚାରୀଙ୍କୁ ନେତୃତ୍ୱ ଏବଂ ଉଦ୍ଭାବନ ପାଇଁ ସଶକ୍ତ ମଧ୍ୟ କରୁଅଛୁ ।


Share It

Comments are closed.