ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ନେଲା ୧୩ ଜୀବନ


ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁବାର ବଜ୍ରପାତ ଘଟି ୧୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । କୋରାପୁଟ ଜିଲ୍ଲାରେ ବାପ, ଝିଅ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨ କେନ୍ଦୁପତ୍ର ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୨ ଓ ଢେଙ୍କାନାଳ ଜିଲ୍ଲାରେ ୨ ଜଣଙ୍କ ଜୀବନ ଯାଇଛି । ନବରଙ୍ଗପୁର, କେନ୍ଦୁଝର, ବଲାଙ୍ଗୀର, ଜଗତସିଂହପୁର ଓ କଳାହାଣ୍ଡି ଜିଲ୍ଲାରେ ଜଣେ ଲେଖାଏଁ ଏପରି ୫ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ମୂର୍ତ୍ତାହାଣ୍ଡି ପଞ୍ଚାୟତର ଜିରା ଗାଁରେ ରାମଚନ୍ଦ୍ର ମାଝି (୩୦) ତାଙ୍କର ୧୧ ମାସର ଶିଶୁକନ୍ୟା ବନିତାକୁ ଧରି ଘର ପିଣ୍ଡାରେ ବସିଥିଲେ । ହଠାତ୍‌ ମାଡ଼ି ଆସିଥିଲା ବର୍ଷା, ବଜ୍ରପାତ ଯେଉଁଥିରେ କି ଉଭୟେ ପ୍ରାଣ ହରାଇଥିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଜଣେ ଯୁବତୀଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଗନ୍ନାଥପ୍ରସାଦରେ ଜଣେ ନାବାଳକ ଗୁରୁତର ହୋଇଛି । ମୃତକ ହେଲେ ଭଞ୍ଜନଗର ବ୍ଲକ୍‌ ହାତୀଗୁଡ଼ା ଗ୍ରାମର ଟିକି ପୋଲେଇ (୧୮) ଓ ବ୍ରାହ୍ମଣପଦର ଗ୍ରାମର ନୟନି ନାୟକ (୫୫) । ଗୁରୁତର ଆହତ ହେଲେ ରାଉତି ଗ୍ରାମର ସମୀର ନାଇକ (୧୫) । ଶତ୍ରୁଘ୍ନ ପୋଲେଇଙ୍କ ଝିଅ ଟିକି ବିଲରୁ ମୁଗ ଧରି ଘରକୁ ଫେରୁଥିଲା ବେଳେ ସେ ବଜ୍ରପାତର ଶିକାର ହୋଇଥିଲେ । ତାରସିଂ ଥାନା ବ୍ରାହ୍ମଣପଦର ଗଁର ନୟନି ନାୟକ ଜଙ୍ଗଲକୁ ଖଜୁରୀ ଆଣିବାକୁ ଯାଇଥିଲେ । ଘରକୁ ଫେରୁଥିବା ବେଳେ ଗାଁ ନିକଟ ଏକ ଖୋଲା ଜମିରେ ବଜ୍ରାଘାତର ଶିକାର ହୋଇଥିଲେ ।

ସୁନ୍ଦରଗଡ଼ରୁ ଖବର ମିଳିଛି, ଧରୁଆଡ଼ିହି ଥାନା ଘଣ୍ଟିବୁଡ଼ ଗାଁରେ ଦୁଇ କେନ୍ଦୁପତ୍ର ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ହେଲେ ବାବୁଲାଲ କିଷାନ ଓ ମଙ୍ଗଳୁ ନାଏକ ।଼ ଗ୍ରାମର କେନ୍ଦୁପତ୍ର କର୍ମଚାରୀମାନେ ବୁଦା କାଟିବା ପାଇଁ ଜଙ୍ଗଲକୁ ଯାଇଥିଲେ । ଅପରାହ୍ନରେ ହଠାତ୍‌ ଆକାଶରେ କଳା ହାଣ୍ଡିଆ ମେଘ ଢାଙ୍କି ଆସିଥିଲା । ସମସ୍ତେ ବର୍ଷାରୁ ବର୍ତ୍ତିବା ପାଇଁ ଗଛ ତଳେ ଆଶ୍ରୟ ନେଇଥିଲେ । ଗୋଟିଏ ଗଛ ତଳେ ବାବୁଲାଲ, ମଙ୍ଗଳୁ ଓ ରଘୁ ନନ୍ଦନ କିଷାନ ଠିଆ ହୋଇଥିବା ବେଳେ ହଠାତ ବଜ୍ରପାତ ହେବାରୁ ଟଳି ପଡ଼ିଥିଲେ ବାବୁଲାଲ ଓ ମଙ୍ଗଳୁ । ରଘୁ ନନ୍ଦନ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ସେହିପରି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଢ଼ଙ୍ଗୀ ଗାଁର ଚନ୍ଦ୍ରକାନ୍ତ ସାମଲ, ରଶ୍ମିରଞ୍ଜନ ସାମଲ ବଜ୍ରପାତରେ ପ୍ରାଣ ହରାଇଥିବା ଖବର ମିଳିଛି । ଦୁହେଁ କେନାଲ କ୍ୟାମ୍ପରେ ଥିଲେ। ବୈଦ୍ୟନାଥ ଦାସ, ଗଣେଶ ସାହୁ ଗୁରୁତର ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା କରୁଆମୁଣ୍ଡା ପଞ୍ଚାୟତ ସର୍ଗୁଲ ଗାଁରେ ଯୁଗେ ପରାଭୋଇ(୩୨) ଇଟା ଗଢ଼ୁଥିବା ବେଳେ ଝଡ଼ବର୍ଷା ସହ କୁଆପଥର ମାଡ଼ ହୋଇଥିଲା । ଫଳରେ ଯୁଗେଙ୍କ ମୃତ୍ୟୁ ହୋଇ ଯାଇଥିଲା । କେନ୍ଦୁଝର ଜିଲ୍ଲାରେ ବଜ୍ରପାତ ହେବାରୁ ବିଲରେ ଗୋରୁ ଚରାଉଥିବା ସଦର ଥାନା କଣ୍ଡରାପଶି ବୈଷ୍ଣବସାହିର କାଳନ୍ଦ୍ରୀ ନାୟକ (୫୫)ଙ୍କ ମୃତ୍ୟୁ ଘଟିଛି । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ବଟ୍‌କରି ଗାଁର ଜଣେ ଯୁବକ ବିଦ୍ୟାଧର ଗୋ÷ଡ଼ ଗୋରୁ ଗୋଠ ନେଇ ଚରେଇବାକୁ ଯାଇଥିଲେ । ହଠାତ୍‌ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ହେବାରୁ ବିଦ୍ୟାଧର ଟଳି ପଡ଼ିଥିଲେ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅପଣ୍ଡରା ଗାଁର ବାପି ନାୟକ ଇଟାଭାଟି ନିକଟ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଛନ୍ତି ।କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡ ଅଞ୍ଚଳରେ ଆଜି ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବଜ ଜଣକ ହେଲେ ଗୋଲାମୁଣ୍ଡା ବ୍ଲକ ବାଗ ମୁଣ୍ଡା ଗାଁର କୃଷ୍ଣ ନାଏକଙ୍କ ପୁଅ ଉଜ୍ୱଳ ନାଏକ (୩୩) । ଉଜ୍ୱଳ ନିଜ ଜମିରେ ମୁଗ, ବିରି ଆଦି ଫସଲ ଜଗିଥିଲେ । ବିଲରେ ଥିବା ଏକ ଗଛମୁଳେ ଅସ୍ଥାୟୀ ଝୁମ୍ପୁଡ଼ି କରି ସେ ଜଗି ରହିଥିଲେ । ଅପରାହ୍ନରେ ଝଡ଼ତୋଫାନ ଏବଂ ବର୍ଷା ହୋଇଥିଲା । ଏହି ସମୟରେ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ଉଜ୍ୱଳ ଟଳି ପଡ଼ିଥିଲେ ।


Share It

Comments are closed.