ଉଚ୍ଚ ଦରମାଯୁକ୍ତ ନିଯୁକ୍ତି ପାଇ ଟେଲରଙ୍କ ପୁଅ ସାଜିଲେ ଉଦାହରଣ


ପରିଶ୍ରମ ସଫଳତାର ଚାବିକାଠି ବୋଲି ଆମ୍ଭେମାନେ ସମସ୍ତେ ଜାଣିଛୁ । କଠିନ ପରିଶ୍ରମ କରି ମଧ୍ୟ ଖୁବ କମ ଲୋକ ସଫଳତାର ଶୀଢି ଚଢି ଶୀର୍ଷରେ ପହଞ୍ଚିପାରିଛନ୍ତି । ଆମ୍ଭେମାନେ ସାଧାରଣ ଆବଶ୍ୟକତାଭାବେ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଆବଶ୍ୟକ କରୁଥିବା ବେଳେ ଯଦି ଏଥି ମଧ୍ୟରୁ କୌଣସିଟି କମ ହୋଇଯାଏ ତେବେ ଏହା ସଫଳତାର ପଥରେ ବାଧା ସାଜିବାର କାରଣ ମଧ୍ୟ ହୋଇପାରେ । ଅର୍ଥର ଅଭାବ ସଫଳତାର ପଥରେ ବାଧା ମଧ୍ୟ ସୃଷ୍ଟି କରିଥାଏ । ଏହି କଥାଟି ଗପ ଲାଗୁଥିଲେ ମଧ୍ୟ ଏହା ବାସ୍ତବରେ ପରିଣତ ହୋଇପାରିଛି । ଏହି କଥାକୁ ବାସ୍ତବ ରୂପ ଦେଇଛନ୍ତି କେରଳର ୨୭ ବର୍ଷିୟ ଯୁବକ ଜଷ୍ଟିନ ଫର୍ଣ୍ଣାଡିଜ । ଜଣେ ଟେଲରଙ୍କ ପୁଅ ହୋଇ ମଧ୍ୟ ନିଜେ ଆଇଆଇଏମ-ନାଗପୁର ଭଳି ଶ୍ରେଷ୍ଠ ଶିକ୍ଷା ଅନୁଷ୍ଠାନରେ ସର୍ବୋଚ୍ଚ ଦରମା ପ୍ୟାକେଜରେ ନିଯୁକ୍ତି ପାଇଛନ୍ତି ।
ପିଢିଗତଭାବେ ଟେଲର ଭାବେ କାମ କରୁଥିବା ଜଷ୍ଟିନ ଫର୍ଣ୍ଣାଡିଜ କେରଳର ବାସିନ୍ଦା । ଜଷ୍ଟିନଙ୍କ ପିତା ମଧ୍ୟ ଜଣେ ଟେଲର ଭାବେ କାମ କରନ୍ତି । ବର୍ତ୍ତମାନ ବଜାରରେ ରେଡି-ମେଡ ବସ୍ତ୍ର ଉପଲବ୍ଧ ହେବା ପରେ ତାଙ୍କର ଆୟ ବାର୍ଷିକ ପାଖା ପାଖି ୫୦,୦୦୦ରୁ କମ ହେଉଥିଲା । ତେଣୁ ପରିବାର ସଠିକ ଭାବେ ଖାଦ୍ୟ ଯୋଗାଇବା ଦୂରର କଥା ପିଲାଙ୍କୁ ଶିକ୍ଷା ପ୍ରଦାନ କରିବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ । ତେଣୁ ଜଷ୍ଟିନଙ୍କ ପାଇଁ ତାଙ୍କ ପିଉଶି ଭଗବାନ ସଦୃଶ ହୋଇ ତାଙ୍କୁ ଏବଂ ତାଙ୍କୁ ଭଉଣୀକୁ ଉଚ୍ଚ ଶିକ୍ଷା ଯୋଗାଇବା ପାଇଁ ଟଙ୍କା ଯୋଗାଇଥିଲେ । ସେ ଜଷ୍ଟିନଙ୍କର ହାଇ-ସ୍କୁଲ ପର୍ଯ୍ୟନ୍ତ ଟଙ୍କା ଯୋଗାଇଥିଲେ ଏବଂ ଏହା ପରେ ସେ ଏକ ସରକାରୀ କଲେଜରେ ବି.ଟେକ କରିଥିଲେ । ସେ ଏକ ସଫ୍ଟଓୟାର କମ୍ପାନୀରେ ଦୁଇ ବର୍ଷ କାମ କରିବା ସହିତ ଆଇଆଇଏମ ପାଇଁ ପ୍ରସ୍ତୁତ ମଧ୍ୟ ହେଉଥିଲେ । ଇତିହାସ ସୃଷ୍ଟି ହୋଇଥିଲା ଯେବେ ସେ ଆଇଆଇଏମ ଦ୍ୱାରା ବାର୍ଷିକ ୧୯ ଲକ୍ଷ ପ୍ୟାକେଜରେ ହାଇଦ୍ରାବାଦରେ ଆସୋସିଏଟ ଡାଇରେକ୍ଟରଭାବେ ଚୟନ ହୋଇଥିଲେ ।

ଜଷ୍ଟିନଙ୍କ ନିଜର କଠିନ ପରିଶ୍ରମ ବଳରେ ଜୀବନରେ ବହୁ ବାଧା ବିଘ୍ନକୁ ମଧ୍ୟ ଅତିକ୍ରମ କରି ସଫଳତାର ଶୀର୍ଷରେ ପହଞ୍ଚିପାରିଥିଲେ । ସେ ଦେଶର ବିଭିନ୍ନ ଯୁବ ପିଢିଙ୍କ ପାଇଁ ଏକ ପ୍ରେରଣା ହୋଇପାରିଛନ୍ତି । ସବୁ କିଛି ସୁବିଧା ସୁଯୋଗ ଥାଇ ମଧ୍ୟ ଅବଶୋଷ କରୁଥିବା ବର୍ତ୍ତମାନର ଯୁବ ପିଢିଙ୍କ ପାଇଁ ସେ ଏକ ଉଦାହରଣ ସ୍ୱରୂପ ।


Share It

Comments are closed.