ସୁପର ୩୦ ହିରୋ ଆନନ୍ଦ କୁମାରଙ୍କ ସଫଳତାର କାହାଣୀ


ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ । ପାଠ ପଢିବା ପାଇଁ ହେଉ କିମ୍ବା କୌଣସି କ୍ଷେତ୍ରରେ ଅଗ୍ରାଧିକାର ସ୍ଥାନ ଗ୍ରହଣ କରିବା ପାଇଁ ଇଚ୍ଛା ଶକ୍ତି ଖୁବ ଆବଶ୍ୟକ । ନିଜର ଇଚ୍ଛା ପୂରଣ କରିବାକୁ ହେଲେ ସଫଳତାର ପଥରେ ବହୁ ବାଧା ବିଘ୍ନ ମଧ୍ୟ ଆସିଥାଏ । କିନ୍ତୁ ଏସବୁ କୁ ଖାତିର ନକରି ଆଗକୁ ବଢିଚାଲିଲେ ଜଣେ ସଫଳତାର ଶୀର୍ଷରେ ପହଞ୍ଚିପାରିବ ବୋଲି ପ୍ରମାଣ କରିଛନ୍ତି ସୁପର ୩୦ ହିରୋ ଆନନ୍ଦ କୁମାର । ଆଇଆଇଟି କୋଚିଙ୍ଗ ପାଇଁ ବହୁ ମାତ୍ରାର ଟଙ୍କା ଆବଶ୍ୟକ କିନ୍ତୁ ଆଇଆଇଟି-ଜେଇଇ ପାଇଁ ଆଗ୍ରହୀ ଥିବା ଗରିବ ବିଦ୍ୟାର୍ଥୀମାନଙ୍କୁ ବିନା ମୂଲ୍ୟରେ କୋଚିଙ୍ଗ ଦବା ପାଇଁ ଏକ ଅଭିନବ ପ୍ରୟାସରେ ସେ ପ୍ରାରମ୍ଭ କରିଥିଲେ ସୁପର ୩୦ । ତାଙ୍କ ତତ୍ୱାବଧାନରେ ବହୁ ବିଦ୍ୟାର୍ଥୀ ଆଇଆଇଟି ପ୍ରବେଶିକାରେ ଅଗ୍ରଣୀ ସ୍ଥାନ ଗ୍ରହଣ କରିପାରିଛନ୍ତି ।
ଭାରତ ତଥା ସମ୍ପୂର୍ଣ୍ଣ ବିଶ୍ୱରେ ଏକ ପରିଚିତ ନାମ ଆନନ୍ଦ କୁମାର । ଭାରତୀୟ ଗଣିତଜ୍ଞ ଏବଂ ଜାତୀୟ ତଥା ଅର୍ନ୍ତଜାତୀୟ ଗଣିତ ଜର୍ଣ୍ଣାଲ ଏବଂ ମାଗାଜିନ୍ କଲ୍ୟୁମନିଷ୍ଟ ଆନନ୍ଦ କୁମାର ନିଜର ସୁପର ୩୦ କାର୍ଯ୍ୟକ୍ରମ ପାଇଁ ସମଗ୍ର ଭାରତ ତଥା ବିଶ୍ୱରେ ଖୁବ ପରିଚିତ । ମଧ୍ୟବିତ୍ତ ପରିବାରରୁ ଆସିଥିବା ଆନନ୍ଦଙ୍କ ଘର ବିହାର ସ୍ଥିତ ପାଟଣାରେ ।

ତାଙ୍କ ବାପା ପୋଷ୍ଟାଲ ବିଭାଗରେ ଏକ କ୍ଲର୍କ ଭାବେ କାମ କରୁଥିବା ବେଳେ ତାଙ୍କ ପିଲାଙ୍କୁ ପ୍ରାଇଭେଟ ସ୍କୁଲିଙ୍ଗ ପ୍ରଦାନ କରିବାକୁ ଅସମର୍ଥ ଥିଲେ । ତେଣୁ ଆନନ୍ଦ ହିନ୍ଦି ମିଡିୟମରେ ପଢୁଥିବା ବେଳେ ତାଙ୍କର ଗଣିତ ପ୍ରତି ଗଭୀର ଆଗ୍ରହ ଆସିଥିଲା । ଗ୍ରାଜୁଏସନରେ ସେ ନମ୍ବର ସିଷ୍ଟମ ଉପରେ ଏକ ପେପର କଲେଜରେ ଜମା କରିଥିଲେ ତାହା ମ୍ୟାଥମେଟିକାଲ ସ୍ପେକ୍ଟ୍ରମ ଏବଂ ଦ ମ୍ୟାଥମେଟିକାଲ ଗ୍ୟାଜେଟରେ ସ୍ଥାନ ପାଇଥିଲା । ଏହା ପରେ କୁମାରଙ୍କ ସଫଳତାର କାହାଣୀ ପ୍ରାରମ୍ଭ ହୋଇଥିଲା । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଆଡମିସନ ପାଇଥିଲେ ମଧ୍ୟ ଆର୍ଥିକ ସମସ୍ୟା ଏବଂ ବାପାଙ୍କ ମୃତ୍ୟୁ ହେତୁ ସେ ସେଠାରେ ଆଡମିସନ ନେଇନଥିଲେ । କିନ୍ତୁ କୁମାରଙ୍କ ଗଣିତ ପ୍ରତି ଗଭୀର ଇଚ୍ଛା ତାଙ୍କୁ ପରିଶ୍ରମ କରିବା ପାଇଁ ପ୍ରେରଣା ଯୋଗାଇଥିଲା । ଘରର ଆର୍ଥିକ ସମସ୍ୟା ସମାଧାନ କରିବା ପାଇଁ ସେ ତାଙ୍କ ମା ଙ୍କ ସହିତ ରାତିରେ ପାମ୍ପଡ ପ୍ରସ୍ତୁତ କରୁଥିଲେ ଏବଂ ଦିନ ବେଳା ଗଣିତ ଅଭ୍ୟାସ କରୁଥିଲେ । ସେ ମଧ୍ୟ କିଛି ଟଙ୍କା ରୋଜଗାର କରିବା ପାଇଁ ପିଲାମାନଙ୍କୁ ଗଣିତ ଶିକ୍ଷା ମଧ୍ୟ ଦେଉଥିଲେ । ପାଟଣା ବିଶ୍ୱବିଦ୍ୟାଳୟରେ ବିଦେଶ ଜର୍ଣ୍ଣାଲ ପଢିବାର ସୁବିଧା ନଥିବା ହେତୁ ସେ ପ୍ରତି ସପ୍ତାହରେ ବାରଣାସୀ ଯାତ୍ରା କରୁଥିଲେ ।

ଏହା ପରେ ଅଧିକରୁ ଅଧିକ ପିଲାଙ୍କୁ ଗଣିତ ଶିକ୍ଷା ଦେବା ପାଇଁ ୧୯୯୨ ମସିହାରେ ପ୍ରତି ମାସ ଟ.୫୦୦ର ଏକ ଘର ଭଡା ନେଇ ନିଜର ଏକ ଅନୁଷ୍ଠାନ ରାମାନୁଜନ ସ୍କୁଲ ଅଫ ମ୍ୟାଥେମେଟିକ୍ସର ପ୍ରାରମ୍ଭ କରିଥିଲେ । ସେ ଦୁଇଟି ଛାତ୍ରଙ୍କୁ ନେଇ ଶ୍ରେଣୀ ପ୍ରାରମ୍ଭ କରିଥିବା ବେଳେ ଗୋଟିଏ ବର୍ଷ ମଧ୍ୟରେ ୩୬ରେ ପହଞ୍ଚିଥିଲା ଏବଂ ୩ ବର୍ଷ ମଧ୍ୟରେ ୫୦୦ ଛାତ୍ର ହୋଇଥିଲେ । ୨୦୦୦ ମସିହାରେ ଏକ ଗରିବ ଛାତ୍ର ଆଇଆଇଟି-ଜେଇଇ ପ୍ରବେଶିକା କୋଚିଙ୍ଗ ପାଇଁ କହିବା ପରେ ଆନନ୍ଦ କୁମାର ସୁପର ୩୦ ପାଇଁ ପ୍ରେରଣା ପାଇଥିଲେ । ୨୦୦୨ ସମିହାରେ ସେ ନିଜର ସୁପର ୩୦ କାର୍ଯ୍ୟକ୍ରମର ପ୍ରାରମ୍ଭ କରିଥିଲେ ।
ସେହି ୨୦୦୨ ମସିହା ଠାରୁ ପ୍ରେତ୍ୟକ ବର୍ଷ ମେ ମାସରେ ସୁପର ୩୦ ପାଇଁ ୩୦ ଜଣଙ୍କୁ ଚୟନ କରିବା ପାଇଁ ଏକ ପ୍ରତିଯୋଗିତାମୂଳକ ପରୀକ୍ଷା ହୋଇଥାଏ । ବହୁ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ ମଧ୍ୟ ଆର୍ଥିକ ସମସ୍ୟା ଥିବା ୩୦ ଦକ୍ଷ ବିଦ୍ୟାର୍ଥୀମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ଆଇଆଇଟି ପ୍ରବେଶିକା ପାଇଁ ବର୍ଷକ ପାଇଁ ଶିକ୍ଷା ଏବଂ ମ୍ୟାଟେରିଆଲ ପ୍ରଦାନ କରାଯାଏ । କୁମାର ସେମାନଙ୍କୁ ଜେଇଇ ଏବଂ ଆଇଆଇଟି ପାଇଁ ପ୍ରଶିକ୍ଷଣ ଦେଇଥାନ୍ତି ଏବଂ ତାଙ୍କ ମା ଜୟନ୍ତୀ ଦେବୀ ପିଲାମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ।

୨୦୦୩ରୁ ୨୦୧୭ ମଧ୍ୟରେ ଆନନ୍ଦଙ୍କ ଅନୁଷ୍ଠାନରେ ୪୫୦ରୁ ୩୯୧ବିଦ୍ୟାର୍ଥୀ ଆଇଆଇଟିରେ ଅଗ୍ରଣୀ ସ୍ଥାନ ଗ୍ରହଣ କରିଛନ୍ତି । ମାର୍ଚ୍ଚ ୨୦୦୯ରେ ଡିସ୍କୋଭରି ଚ୍ୟାନେଲରେ ସୁପର ୩୦ ସମ୍ବନ୍ଧରେ ଏକ ଘଣ୍ଟିକିଆ କାର୍ଯ୍ୟକ୍ରମ ଆସିଥିବା ବେଳେ ଦ ନ୍ୟୁ ୟର୍କ ଟାଇମ୍ସରେ ଏହା ସ୍ଥାନ ପାଇଥିଲା । ତାଙ୍କର ଏହି ଉଦ୍ୟମ ପାଇଁ ଆନନ୍ଦ ଲିମକା ବୁକ ଅଫ ରେକର୍ଡରେ ମଧ୍ୟ ନିଜର ସ୍ଥାନ ଗ୍ରହଣ କରିପାରିଛନ୍ତି । ସୁପର ୩୦, ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ସ୍ୱତନ୍ତ୍ର ପ୍ରତିନିଧିଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ଏବଂ ଏହାକୁ ଦେଶର ଶ୍ରେଷ୍ଠ ଅନୁଷ୍ଠାନ ବୋଲି ମଧ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲା ।

ବଲିଉଡରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନକାହାଣୀ ସମ୍ବନ୍ଧରେ ଫିଲ୍ମ ପ୍ରସ୍ତୁତ କରାଯାଉଥିବା ବେଳେ କୁମାରଙ୍କ ଜୀବନ କାହାଣୀକୁ ନେଇ ହ୍ରିତିକ ରୋସନଙ୍କ ଦ୍ୱାରା ଏକ ଫିଲ୍ମ ୨୦୧୮ ନଭେମ୍ବର ୨୩ରେ ରିଲିଜ ହେବାର ଯୋଜନା ରହିଛି । ଏତିକି ନୁହେଁ, କାନ୍ନାଡାର ବିଜୁ ମାଥ୍ୟୁ କୁମାରଙ୍କ ସଂଘର୍ଷର କାହାଣୀ ଲେଖିଥିଲେ । ଆନନ୍ଦ ମଧ୍ୟ ନିଜର ଏହି କଠିନ ଅଧ୍ୟବସାୟ ପାଇଁ ୨୦୧୭, ଶିଶୁ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଷ୍ଟ୍ରିୟ ବାଳ କଲ୍ୟାଣ ପରୁସ୍କାର ଦ୍ୱାରା ସମ୍ମାନିତ ହୋଇଥିଲେ ।


Share It

Comments are closed.