ସପରିବାର ସହ ମାଳଦ୍ଵୀପ ପଳାୟନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି


ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫାର ସରକାରୀ ଘୋଷଣା ପୂର୍ବରୁ ଦେଶରୁ ପଳାୟନ କରିଛନ୍ତି । ଗୋଟାବାୟା ରାଜପକ୍ଷେ ମଙ୍ଗଳବାର ରାତିରେ ମାଳଦ୍ଵୀପରେ ପହଞ୍ଚିଛନ୍ତି । ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପୂର୍ବରୁ ପରିବାର ସମେତ ନିଜକୁ ସୁରକ୍ଷା ମାଗିଥିଲେ । ରାଜପକ୍ଷେ ସର୍ତ୍ତ ରଖି କହିଥିଲେ ଯେ, ସେ ପରିବାର ସମେତ ଦେଶରୁ ବାହାରିଯିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ସୁରକ୍ଷିତ ପଠାଇବାକୁ ସୁନିଶ୍ଚିତ କରାଯାଉ । ଗୋଟାବାୟାଙ୍କ ତରଫରୁ ୩ ଦିନ ପୂର୍ବରୁ ଏହି ଘୋଷଣା କରାଯାଇଥିଲା ଯେ, ଜୁଲାଇ ୧୩ ରେ ଇସ୍ତଫା ଦେବେ ।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫାପତ୍ରରେ ଦସ୍ତଖତ କରିସାରିଛନ୍ତି । ସଂସଦରେ ତାଙ୍କ ଇସ୍ତଫା ନେଇ ବୁଧବାର ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଘୋଷଣା ପରେ ଇସ୍ତଫାପତ୍ରକୁ ସଂସଦର ବାଚସ୍ପତିଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି । ଡେଲି ମିରର୍‌ ରିପୋର୍ଟ ମୁତାବକ ଜୁଲାଇ ୧୩ ତାରିଖ ଲେଖା ଥିବା ଇସ୍ତଫାପତ୍ରରେ ଗୋଟାବାୟା ସ୍ୱାକ୍ଷର କରିସାରିଛନ୍ତି । ସୋମବାର ହିଁ ସେ ସ୍ୱାକ୍ଷର କରିବା ପରେ ଏହାକୁ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ଦିଆଯାଇଛି । ଅଧିକାରୀ ଜଣକ ବୁଧବାର ବାଚସ୍ପତି ମହିନ୍ଦା ୟାପା ଅଭୟୱର୍ଦ୍ଧନଙ୍କୁ ଭେଟି ଏହାକୁ ହସ୍ତାନ୍ତର କରିବେ । ଏହାପରେ ବାଚସ୍ପତି ସାର୍ବଜନୀନ ଭାବେ ଗୋଟାବାୟାଙ୍କ ଇସ୍ତଫା ସଂକ୍ରାନ୍ତରେ ଘୋଷଣା କରିବେ । ଫଳରେ ଗୋଟାବାୟାଙ୍କ ରାଷ୍ଟ୍ରପତିତ୍ୱରେ ପୂର୍ଣ୍ଣଚ୍ଛେଦ ପଡ଼ିବ ।

କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂହେ ବୁଧବାର ସ୍ୱଳ୍ପ ସମୟ ପାଇଁ ଦେଶର ରାଷ୍ଟ୍ରପତି ଭାବେ ଶପଥ ନେବେ । ଆସନ୍ତା ୨୦ ତାରିଖରେ ନୂଆ ରାଷ୍ଟ୍ରପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟଭାର ଗ୍ରହଣ କରିବେ । ବିକ୍ରମସିଂହେ ନିଜ ଇସ୍ତଫା ବାବଦରେ ଘୋଷଣା କରିଥିଲେ ହେଁ ଏ ପର୍ଯ୍ୟନ୍ତ ସେ ଇସ୍ତଫାପତ୍ରରେ ସ୍ୱାକ୍ଷର କରିନାହାନ୍ତି । ତେଣୁ ସେ ହିଁ ଅସ୍ଥାୟୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇବେ ।

ଇସ୍ତଫା ଦେବା ପୂର୍ବରୁ ରାଷ୍ଟ୍ରପତି ଗୋଟାବାୟା ଏକ ସର୍ତ୍ତ ରଖିଥିଲେ। ସୂତ୍ର ମୁତାବକ ସେ ନିଜ ପରିବାର ସହ ସୁରକ୍ଷିତ ଭାବେ ଦେଶ ଛାଡ଼ିବାକୁ ଚାହୁଁଥିଲେ। ଏଥିପାଇଁ ଅନୁମତି ମିଳିଲେ ହେଁ ସେ ଇସ୍ତଫା ଦେବେ ବୋଲି କହିଥିଲେ । ୩ ଦିନ ତଳେ ସେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେବା ନେଇ ଜଣାଇଥିଲେ । ଏହାପରେ ଦେଶ ଛାଡ଼ି ଦୁବାଇ ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କୁ ରୋକାଯାଇଥିଲା ।


Share It

Comments are closed.