ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ, ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କଲେ ହଜାର ହଜାର ବିକ୍ଷୋଭକାରୀ


ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶ ଛାଡି ପଳାଇବା ପରେ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ ଯେ ସେ ୧୩ ଜୁଲାଇରେ ନିଜ ପଦରୁ ଇସ୍ତଫା ଦେବେ। ତେବେ ଦେଶରୁ ପଳାଇବା ପରେ ଏବେ ତାଙ୍କ ଇସ୍ତଫା ନେଇ ପ୍ରଶ୍ନ ଉଠିଛି। ଉଲ୍ଲେଖନୀୟ ଯେ, ଇସ୍ତଫା ପୂର୍ବରୁ ପରିବାର ସହିତ ରାଜପାକ୍ସେ ମାଲଦ୍ବୀପ ପଳାୟନ କରିଛନ୍ତି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଂହଙ୍କୁ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି କରାଯାଇଛି। ସେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହି ସମୟରେ କଲମ୍ବୋରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି।

ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ପଳାୟନ ପରେ କଲମ୍ବୋରେ ହଜାର ହଜାର ବିକ୍ଷୋଭକାରୀ ସଂସଦ ଭବନ ସହିତ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁୁ ଘେରାଉ କରିଛନ୍ତି। ବିକ୍ଷୋଭକାରୀମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିବାର ଦେଖାଯାଉଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବିକ୍ଷୋଭକାରୀ ଏକାଠି ହୋଇଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ହେଲିକପ୍ଟର ମାଧ୍ୟମରେ ନଜର ରଖାଯାଉଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ସଂସଦରେ ବାୟୁସେନା ହେଲିକପ୍ଟର ବୁଲୁଛି। ପ୍ରତିବାଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବହୁ ସଂଖ୍ୟକ ସୈନିକଙ୍କୁ ମୂତୟନ କରାଯାଇଛି। ଉଗ୍ର ଭିଡକୁ ହଟାଇବା ପାଇଁ ତାଙ୍କ ଉପରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଛି।


Share It

Comments are closed.