ହିଟମ୍ୟାନଙ୍କ କ୍ଲବରେ ସାମିଲ ହେଲେ ଶୁଭମାନ ଗିଲ


ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ (India vs New Zealand 1st ODI Match) ଆଜି (ବୁଧବାର) ଅର୍ଥାତ ଜାନୁଆରୀ ୧୮ରେ ହାଇଦ୍ରାବାଦରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତୀୟ ଓପନର୍ ଶୁଭମାନ ଗିଲ (Shubman Gill) ଙ୍କ ବ୍ୟାଟରୁ ରନ ବର୍ଷା ହୋଇଛି । ସେ ଦିନିକିଆରେ ପ୍ରଥମ ଥର ପାଇଁ ଡବଲ ସେଞ୍ଚୁରୀ ହାସଲ କରିଛନ୍ତି । ଶୁଭମାନ ଗିଲ୍ (Shubman Gill) କିୱି ବୋଲରମାନଙ୍କ ବୋଲିଂ ଆଟାକକୁ ଧ୍ୱସ୍ତ କରି ଚମତ୍କାର ଦ୍ୱିଶତ ଶତକ ହାସଲ କରିଛନ୍ତି । ସେ ପ୍ରଥମେ ୮୭ଟି ବଲରେ ନିଜର ଶତକ ପୂରଣ କରିଥିଲେ, ଯେଉଁଥିରେ ୧୪ଟି ଚୌକା ଓ ୨ଟି ଛକା ସାମିଲ ରହିଛି । ଏହା ଶୁଭମାନ ଗିଲଙ୍କ ଦିନିକିଆ କ୍ୟାରିୟରରେ ତୃତୀୟ ତଥା ଲଗାତର ଦ୍ୱିତୀୟ ଶତକ ଥିଲା ।

ଶୁଭମାନ ଗିଲ (Shubman Gill) ହାଇଦ୍ରାବାଦରେ ଚମତ୍କାର କରିଛନ୍ତି । ଏହି ଡାହାଣହାତୀ ଓପନର୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଚମତ୍କାର ଦ୍ୱିଶତକ ହାସଲ କରିଥିଲେ । ଶୁଭମାନ ଗିଲ ମାତ୍ର ୧୪୫ ବଲରେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ୨୩ ବର୍ଷୀୟ ଶୁଭମାନ ଗିଲ୍ ୮ଟି ଛକା ଓ ୧୯ଟି ଚୌକ ସାହଯ୍ୟରେ ଏହି ବିଶେଷ ସଫଳତା ହାସଲ କରିଛନ୍ତି । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁଭମାନ ଗିଲ (Shubman Gill Double Century) ହେଉଛନ୍ତି ପଞ୍ଚମ ଭାରତୀୟ ଖେଳାଳି ।

ଭାରତୀୟ ଦଳ ପାଇଁ ରୋହିତ ଶର୍ମା (Rohit Sharma) ୩ଟି ଦ୍ୱିଶତକ ହାସଲ କରିଛନ୍ତି । ପ୍ରଥମେ ଏହି କୀର୍ତ୍ତିମାନ ସଚିନ ତେନ୍ଦୁଲକର (Sachin Tendulkar) ଙ୍କ ଦ୍ୱାରା କରାଯାଇଥିଲା । ଏହା ପରେ ବିରେନ୍ଦ୍ର ସେହୱାଗ ଓ ଇଶାନ କିଶନ ମଧ୍ୟ ଦ୍ୱିଶତକ ହାସଲ କରିଛନ୍ତି । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁଭମାନ ଗିଲ (Shubman Gill) ହେଉଛନ୍ତି ସର୍ବକନିଷ୍ଠ ଖେଳାଳି । ଏହି ଖେଳାଳୀ ୨୩ ବର୍ଷ ୧୩୨ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି । ଗତ ବର୍ଷ ବାଂଲାଦେଶ ବିପକ୍ଷରେ ଇଶାନ କିଶନ ଦ୍ୱିଶତକ ହାସଲ କରିଥିଲେ । ସେହି ସମୟରେ କିଶାନଙ୍କ ବୟସ ୨୪ ବର୍ଷ, ୧୪୫ ଦିନ ଥିଲା । ରୋହିତ ଶର୍ମା ୨୬ ବର୍ଷ, ୧୮୬ ଦିନ ବୟସରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ । ଏଠାରେ କହି ରଖୁଛୁ ଯେ, ୨୦୮ ରନର ଦମଦାର୍ ଇନିଂସ ଖେଳିବା ପରେ ଶୁଭମାନ ଗିଲ ଆଉଟ୍ ହୋଇଛନ୍ତି । ଶୁଭମାନ ଗିଲଙ୍କ ଏହି ଇନିଂସ ଆଧାରରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩୪୯ ରନ୍ ସ୍କୋର କରିଛନ୍ତି ।


Share It

Comments are closed.