କୋହଲିଙ୍କ ଅବସରକୁ ନେଇ କିଛି ଏପରି କହିଲେ ଆଫ୍ରିଦି


ବିରାଟ କୋହଲି ଦୀର୍ଘ ୩ ବର୍ଷ ପରେ ପୂର୍ବ ଫର୍ମ ଫେରିପାଇଛନ୍ତି । ପଡିଆ ମଧ୍ୟରେ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ସମସ୍ତଙ୍କୁ ତାଜୁବ କରିଥିଲା । ଆଉ ଆଫଗାନିସ୍ତାନ ବିପକ୍ଷରେ ତାଙ୍କ ପ୍ରଥମ ଟ୍ୱେଣ୍ଟି ୨୦ ଶତକ ପୁଣି ଥରେ ପ୍ରମାଣିତ କରିଥିଲା ରନ୍‌ ମେସିନଙ୍କ ବ୍ୟାଟ୍‌ର ନିଆରା ଅନ୍ଦାଜ୍‌ । ଏବେ କୋହଲିଙ୍କ ଫର୍ମକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର ସାହିଦ ଆଫ୍ରିଦି ।

ଆଫ୍ରିଦି କହିଛନ୍ତି, ‘ବିରାଟ କୋହଲି ସଠିକ୍‌ ସମୟରେ ଅବସର ନିଅନ୍ତୁ । ଯେଉଁଭଳି ଭାବେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ ଠିକ୍‌ ସେମିତି ଗଲାବେଳେ ବି କ୍ରିକେଟ ପ୍ରେମୀଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡିଯିବେ । କୋହଲି ଯେତେବେଳେ ବି କ୍ରିକେଟରୁ ସନ୍ନ୍ୟାସ ନେବେ ସେତେବେଳେ ଭିନ୍ନ ଏକ ଷ୍ଟାଇଲରେ ଯିବା ଉଚିତ।’

ଆଫ୍ରିଦି କହିଛନ୍ତି, ଟିମ୍‌ରୁ ବାଦ୍‌ ପଡିବା ଭଳି ସ୍ଥିତି ଆସିବା ପୂର୍ବରୁ ହିଁ ନିଜ ଆଡୁ ଅବସର ନେଇଯିବା ଉଚିତ । ଫର୍ମରେ ଥିବା ସମୟରେ ହିଁ ଅବସର ନେବା ଉଚିତ । ଖୁବ କମ ଖେଳାଳି ଅଛନ୍ତି ଯେଉଁମାନେ ଏହା କରିଥାନ୍ତି । ବିଶେଷ କରି ଏସିଆରେ କ୍ରିକେଟ ଖେଳାଳିମାନେ ଫର୍ମରେ ଥିବା ବେଳେ ଅବସର ନେଇଥାନ୍ତି । ବିରାଟ କୋହଲି ମଧ୍ୟ ତାହା ହିଁ କରିବେ ବୋଲି ଆଶା କରୁଛି’।

୩୩ ବର୍ଷୀୟ କୋହଲି ବର୍ତ୍ତମାନ କୌଣସି ଫର୍ମାଟରୁ ଅବସର ନେବା ନେଇ କୌଣସି ଉଦ୍ଦେଶ୍ୟ ରଖିନାହାନ୍ତି । ଅବଶ୍ୟ ସେ ଅଧିନାୟକ ପଦ ଛାଡିସାରିଛନ୍ତି । ଗତ ବର୍ଷ କୋହଲି, ଟ୍ୱେଣ୍ଟି ୨୦ ଏବଂ ଟେଷ୍ଟ ଫର୍ମାଟ୍ ଅଧିନାୟକ ପଦ ଛାଡିଥିଲେ । ଚଳିତ ବର୍ଷ ଆରମ୍ଭରୁ ଦିନିକିଆ ଅଧିନାୟକ ପଦରୁ କୋହଲିଙ୍କୁ ହଟାଇଥିଲା ବିସିସିଆଇ । ଅଧିନାୟକ ପଦ ଯିବା ପରେ ବି ୩ଟି ଯାକ ଫର୍ମାଟରେ ଖେଳ ଜାରି ରଖିଥିଲେ କୋହଲି ।

ସୂଚନାଯୋଗ୍ୟ, ଗତ ୩ ବର୍ଷ ହେଲା ୭୧ତମ ଶତକ ପାଇଁ ସଂଘର୍ଷ କରୁଥିଲେ ବିରାଟ କୋହଲି । କ୍ୟାରିୟର ସବୁଠାରୁ ଖରାପ ଫର୍ମ ଦେଇ ଗତି କରୁଥିଲେ ସେ । ସ୍ଥିତି ଏମିତି ଆସିଲା ଯେ, ଅନେକ ପୂର୍ବତନ କ୍ରିକେଟର ତାଙ୍କୁ ଦଳରୁ ବାଦ୍‌ ଦେବା ପାଇଁ ମଧ୍ୟ କହିଥିଲେ । ୨୦୨୨ ଆଇପିଏଲରେ ମଧ୍ୟ ପୁରାପୁରି ଭାବେ ସେ ଫେଲ୍‌ ମାରିଥିଲେ । ଲାଗୁଥିଲା କୋହଲିଙ୍କ କ୍ୟାରିୟର ଶେଷ ହୋଇଗଲା । କିନ୍ତୁ ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ଗତ ଏସିଆ କପରେ ଧମାକାଦାର ଅନ୍ଦାଜରେ ବ୍ୟାଟିଂ କରିଥିଲେ ରନ୍‌ ମେସିନ୍‌ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ୭୧ତମ ଶତକ ମାରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲେ ।


Share It

Comments are closed.