ବାଜିରେ ଲାଗିଛି ଭାରତ ଏବଂ ଅଷ୍ଟ୍ରେଲିଆ ଟି-୨୦ ସିରିଜ, ହୋଇପାରେ ଅନେକ ବଡ ରେକର୍ଡ


ଏକ ସମୟ ଥିଲା ଯେତେବେଳେ ଭାରତ ଏବଂ ତାହାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ରହୁଥିଲା । କିନ୍ତୁ ଏବେ ସମୟ ବଦଳି ଯାଇଛି କାରଣ ଦର୍ଶକମାନେ ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଲଢେଇକୁ ଦେଖିବା ପାଇଁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ।
କାଲି ଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ସିରିଜ । ଯେଉଁଥିରେ ଅନେକ ନୂଆ ରେକର୍ଡ ହେବାର ମଧ୍ୟ ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବେ ଏହି ଚାରୋଟି ରେକର୍ଡ ସଂପର୍କରେ, ଯାହାକୁ ଆଗାମୀ ମ୍ୟାଚ ଗୁଡିକ ମଧ୍ୟରେ ଆପଣ ଦେଖିବାକୁ ପାଇବେ । ରୋହିତ ଶର୍ମା ବର୍ତ୍ତମାନ ଟି-୨୦ର ସର୍ବଶ୍ରେଷ୍ଠ ଖେଳାଳୀ ହେବାର ଅପେକ୍ଷାରେ ରହିଛନ୍ତି ।
ବାସ୍ତବରେ ରୋହିତ ଏହି ରେସରେ ସବୁଠାରୁ ଆଗରେ ଥାଇପାରନ୍ତି କିନ୍ତୁ ତାଙ୍କର ଠିକ ପଛରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀ ଅଛନ୍ତି । ରୋହିତ ଟି-୨୦ କ୍ୟାରିୟରରେ ସବୁଠାରୁ ଅଧିକ ରନ କରିବା ଦିଗରେ ଆଇସିସି ସୂଚୀରେ ଦ୍ୱିତୀୟ (୮୭ଟି ମ୍ୟାଚରେ ୨୨୦୭) ସ୍ଥାନରେ ରହିଥିବାବେଳେ ୫ମ ସ୍ଥାନରେ ରହିଛନ୍ତି ବିରାଟ କୋହଲି । ଯିଏକି ୫୮ଟି ମ୍ୟାଚରେ ୨୧୦୨ ରନ ସଂଗ୍ରହ କରିଛନ୍ତି । ସେଥିପାଇଁ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଛି ଯେ, ଏହି ରେସରେ ସବୁଠାରୁ କିଏ ଆଗରେ ରହିଛି ।
ଟି-୨୦ରେ ସର୍ବାଧିକ ଛକା ମାରିବାର ରେକର୍ଡ (୧୦୩ ଛକା) ମାର୍ଟିନ ଗୁଫଟିଲଙ୍କ ନାମରେ ରହିଛି । ରୋହିତ ନିଜ ଟି-୨୦ କ୍ୟାରିୟରରେ ୯୬ଟି ଛକା ମାରି ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମାର୍ଟିନଙ୍କ ଏହି ରେକର୍ଡକୁ ଭାଙ୍ଗିବା ପାଇଁ ତାଙ୍କୁ ବେଶୀ ସମୟ ଲାଗି ନପାରେ ।
ଭାରତ, ଅଷ୍ଟ୍ରେଲିଆକୁ ତାହାର ଘରୋଇ ମାଟିରେ ଲଗାତାର ୪ଟି ଟି-୨୦ ମ୍ୟାଚରେ ମାତ ଦେଇଛି । ଦଳ ୨୦୧୫-୧୬ରେ ୩-୦ରେ ଅଷ୍ଟ୍ରେଲିଆ ଠାରୁ ଟି-୨୦ ସିରିଜ କବଜା କରିଥିବାବେଳେ ୨୦୧୧-୧୨ରେ ଗୋଟିଏ ଟି-୨୦ ମ୍ୟାଚ ଜିତିଥିଲା । ଯଦି ଭାରତ ବ୍ରିସବେନରେ ଏହି ସିରିଜର ପ୍ରଥମ ଟି-୨୦ ମ୍ୟାଚ ଜିତିଯାଏ ତେବେ ଅଷ୍ଟ୍ରେଲିଆକୁ ତାହାରି ମାଟିରେ ଲଗାତାର ୫ଟି ମ୍ୟାଚ ହରାଇବାର ପ୍ରଥମ ଦେଶ ପାଲଟିଯିବ ।
ଗତ ବର୍ଷ ଠାରୁ ଅଷ୍ଟ୍ରେଲିଆ, ଭାରତ ବିପକ୍ଷରେ ଗୋଟିଏ ବି ଟି-୨୦ ମ୍ୟାଚ ଜିତିପାରି ନାହିଁ । ସେ ୨୦୦୭-୦୮ରେ ନିଜର ଘରୋଇ ମାଟିରେ ଗୋଟେ ସିରିଜ ଜିତିଥିଲା । ବର୍ତ୍ତମାନ ଅଷ୍ଟ୍ରେଲିଆ ପାଖରେ ୧୦ ବର୍ଷ ପରେ ଏହି କୀର୍ତ୍ତି ହାସଲ କରିବାର ସୁଯୋଗ ମିଳିଛି, ଯାହକି ସେ ଜମାରୁ ବି ହାତ ଛଡା କରିବା ପାଇଁ ଚାହିଁବନି ।


Share It

Comments are closed.