କାର ଦୁର୍ଘଟଣା ପରେ ପ୍ରଥମଥର ପାଇଁ ସମସ୍ତଙ୍କ ସାମ୍ନାରେ ପ୍ରତିକ୍ରିୟା ରଖିଲେ ଋଷଭ ପନ୍ତ


ଭାରତର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ତାଙ୍କ କାର ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ନିଜ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାର ୧୭ ଦିନ ପରେ ପନ୍ତ ସୋସିଆଲ ମିଡିଆରେ କହିଛନ୍ତି ଯେ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି । ଏଥିସହ ତାଙ୍କୁ କଷ୍ଟ ସମୟରେ ତାଙ୍କୁ ସମର୍ଥନ କରିଥିବାରୁ ସେ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି । ୩୦ ଡିସେମ୍ବରରେ ପନ୍ତଙ୍କ କାର ଦୁର୍ଘଟଣା ଘଟିଥିଲା ​​। ସେ କାର ଚଳାଇ ଘରକୁ ଫେରିବା ସମୟରେ ଦିଲ୍ଲୀ-ଦେହରାଡୁନ୍ ରାଜପଥର ଡିଭାଇଡର୍ ପିଟି ହୋଇ ଆହତ ହୋଇଥିଲେ ।

କାର ଦୁର୍ଘଟଣା ପରେ ପ୍ରଥମେ ପନ୍ତଙ୍କୁ ଡେହରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପିଠି, ଗୋଡ ଓ ଲିଗାମେଣ୍ଟରେ ଆଘାତ ଲାଗିଥିଲା । କିଛି ସମୟ ଡେହରାଦୁନରେ ରହିବା ପରେ ଋଷଭ ପନ୍ତଙ୍କୁ ମୁମ୍ବାଇକୁ ବିମାନରେ ସ୍ତାନାନ୍ତର କରାଯାଇଥିଲା । ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ପନ୍ତଙ୍କ ଲିଗାମେଣ୍ଟ ସର୍ଜରୀ କରାଯାଇଥିଲା । ବିସିସିଆଇ ନିଜେ ପନ୍ତଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିଥିଲା । ବର୍ତ୍ତମାନ ଋଷଭ ପନ୍ତ ଟ୍ୱିଟ୍ କରି ଲେଖିଛନ୍ତି, ‘ମୋତେ ମିଳିଥିବା ସମର୍ଥନ, ପ୍ରେମ ଓ ଆଶୀର୍ବାଦ ପାଇଁ ମୁଁ କୃତଜ୍ଞ । ମୁଁ ଜଣାଇ ଖୁସି ଅନୁଭବ କରୁଛି ଯେ ମୋର ଅସ୍ତ୍ରୋପଚାର ସଫଳ ହୋଇଛି ଓ ବର୍ତ୍ତମାନ ମୁଁ ଋକଭରୀ ପାଇଁ ପ୍ରସ୍ତୁତ ଅଛି । ମୁଁ ଆଗାମୀ ସମସ୍ତ ଆହ୍ୱାନର ସାମ୍ନା କରିବାକୁ ପ୍ରସ୍ତୁତ । ବିସିସିଆଇ ଜୟ ଶାହା ଓ ସରକାରଙ୍କୁ ସେମାନଙ୍କ ସମର୍ଥନ ପାଇଁ ଅନେକ ଅନେକ ଧନ୍ୟବାଦ ।’

୨୦୨୩ ରେ ଋଷଭ ପନ୍ତ କ୍ରିକେଟ ଗ୍ରାଉଣ୍ଡ ଠାରୁ ଦୂରରେ ରହିପାରିବେ । ସେ ଲିଗାମେଣ୍ଟ ସର୍ଜରୀ କରିଛନ୍ତି । ତେବେ ଏହି ଅସ୍ତ୍ରୋପଚାରରୁ ସୁସ୍ଥ ହେବାକୁ କେତେ ସମୟ ଲାଗିବ ତାହା ବର୍ତ୍ତମାନ ସ୍ଥିର ହୋଇନାହିଁ । ଯଦିଓ ଏହା ସ୍ପଷ୍ଟ ଯେ ପନ୍ତ ଆଇପିଏଲ ଖେଳିବାକୁ ସକ୍ଷମ ହେବେ ନାହିଁ । ପନ୍ତ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲର ଅଧିନାୟକ । ଏହି ସିଜନରେ ତାଙ୍କ ଦଳ ବର୍ତ୍ତମାନ ଜଣେ ନୂଆ ଅଧିନାୟକଙ୍କ ସହ ପଡ଼ିଆକୁ ଓହ୍ଲାଇବ ।


Share It

Comments are closed.