ରାହୁଲଙ୍କ ଭାରତ ଯୋଡ’ ଯାତ୍ରାରେ ଯୋଗ ଦେଲେ ପ୍ରିୟଙ୍କା


କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି । ଏହି ଯାତ୍ରାର ନେତୃତ୍ୱ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଏବେର ସାଂସଦ ରାହୁଲ ଗାନ୍ଧୀ ନେଉଛନ୍ତି । ଏହି ଯାତ୍ରାରେ ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନେକ ବରିଷ୍ଠ ନେତା ପର୍ଯ୍ୟାୟକ୍ରମେ ଯୋଗ ଦେଉଥିବା ବେଳେ ଆଜି ପ୍ରଥମ ଥର ପାଇଁ ଭଉଣୀ ପ୍ରିୟଙ୍କା ଗାନ୍ଧୀ ରାହୁଲଙ୍କ ସହ ଯୋଡି ହୋଇଛନ୍ତି । ମହାରାଷ୍ଟ୍ର ପରେ ଏବେ ଏହି ଯାତ୍ରା ମଧ୍ୟପ୍ରଦେଶର ପଡାବ ଠାରେ ପହଂଚିଛି ।

କଂଗ୍ରେସର ଭାରତ ଯୋଡ ଯାତ୍ରା ଆଜି ମଧ୍ୟପ୍ରଦେଶରେ ଦ୍ୱିତୀୟ ଦିନରେ ଚାଲିଛି । ଏହି ଯାତ୍ରାରେ ଆଜି ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଭାଦ୍ରା ଯୋଗ ଦେଇଛନ୍ତି । ଏହାସହ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ କଂଗ୍ରେସର ଯୁବନେତା ସଚ୍ଚିନ ପାଇଲଟ ବି ରାହୁଲ ସହ ପଦଯାତ୍ରା କରୁଛନ୍ତି । ଆଜି ଏହି ଯାତ୍ରା ୨୩ କିଲୋମିଟର ପର୍ଯ୍ୟନ୍ତ ଚାଲିବ । ସେପଟେ ରାହୁଲଙ୍କୁ ହତ୍ୟା ଧମକ ମିଳିବା ପରେ ଏବେ ତାଙ୍କର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମଧ୍ୟପ୍ରଦେଶରେ ରାହୁଲଙ୍କ ଏହି ଯାତ୍ରାରେ ଅଧିକ ଭିଡ ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ପ୍ରଶାସନ ତରଫରୁ ଅଧିକରୁ ଅଧିକ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଛି । କହିରଖୁ କି ମଧ୍ୟପ୍ରଦେଶରେ ଭାରତ ଯୋଡ ଯାତ୍ରା ୩୮୦ କିଲୋମିଟର ଅତିକ୍ରମ କରିବା ପରେ ଡିସେମ୍ବର ୪ ତାରିଖରେ ଏହି ଯାତ୍ରା ରାଜସ୍ଥାନରେ ପହଂଚିବ । ହେଲେ ରାଜସ୍ଥାନରେ ସଚ୍ଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦ ହେତୁ ସେଠାରେ ଗୁଜର ସଂପ୍ରଦାୟ ରାହୁଲଙ୍କ ଭାରତ ଯୋଡ ଯାତ୍ରାକୁ ବିରୋଧ କରିଛନ୍ତି ।

 


Share It

Comments are closed.