NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲାଣି ୩୯ ରାଜନୈତିକ ଦଳଙ୍କ ସମର୍ଥନ


ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ । ମୋଟ ୫୬ ଜଣ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କିନ୍ତୁ ଦୁଇ ଜଣ ପ୍ରାର୍ଥୀ ରେସରେ ରହିଛନ୍ତି । ନେସନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ (ଏନଡିଏ) ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିପକ୍ଷ ମେଣ୍ଟ ଯଶଓ୍ବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛି । ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ । ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ବିଭିନ୍ନ ରାଜ୍ୟ ବୁଲି ସମର୍ଥନ ଗୋଟାଇବାରେ ଲାଗିପଡିଛନ୍ତି ।

ଅନେକ ରାଜ୍ୟ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଜଣାଇସାରିଛନ୍ତି । ବଡ କଥା ହେଉଛି ଏବେ ବି ଅନେକ ରାଜନୈତିକ ଦଳ କାହାକୁ ସମର୍ଥନ ଦେବେ ସେ ନେଇ ସସପେନ୍ସରେ ରହିଛନ୍ତି । ଜଣେ ଆଦିବାସୀ ଚେହେରାଙ୍କୁ ରାଷ୍ଟ୍ରପତି ଭାବେ ଆଗକୁ ଆଣି ସମର୍ଥନ ଗୋଟାଇବାରେ ବେଶ ସଫଳ ହୋଇଛି ବିଜେପି ।

ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବର୍ତ୍ତମାନ ସୁଦ୍ଧା ମୋଟ ୩୯ଟି ରାଜନୈତିକ ଦଳ ସମର୍ଥନ ଘୋଷଣା କରିସାରିଛନ୍ତି । ପ୍ରମୁଖ ରାଜନୈତିକ ଦଳମାନଙ୍କ ମଧ୍ୟରେ ବିଜେପି, ନୀତିଶ କୁମାରଙ୍କ ଜେଡିୟୁ, ତାମିଲନାଡୁର ଏଆଇଏଡିଏମ୍‌କେ, ବିଜେଡି, ମାୟାବତୀଙ୍କ ବିଏସପି ସମର୍ଥନ ଘୋଷଣା କରିସାରିଛନ୍ତି । ଏହି ଭଳି ମୋଟ ୩୯ଟି ଦଳ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେବା ସ୍ପଷ୍ଟ । ଆହୁରି କିଛି ଦଳ ମଧ୍ୟ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଢଳୁଥିବା ଦେଖିବାକୁ ମିଳୁଛି ।

ଏହା ବାଦ୍‌ ଝାଡଖଣ୍ଡରେ କଂଗ୍ରେସ ସହ ମେଣ୍ଟ କରିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍) ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିପାରେ । ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିନଥିବା ବେଳେ ଏନଡିଏ ଆଡକୁ ଢଳୁଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଝାଡଖଣ୍ଡରେ ଆଦିବାସୀ ଭୋଟ ବ୍ୟାଙ୍କ ଅଧିକ । ଏହା ସହିତ ନିଜେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ସେହି ସମ୍ପ୍ରଦାୟର । ତେଣୁ ଭୋଟ ବ୍ୟାଙ୍କକୁ ଦୃଷ୍ଟିରେ ରଖି ସେ ମୁର୍ମୁଙ୍କୁ ସମର୍ଥନ ଦେବେ ବୋଲି ଆଶା କରାଯାଉଛି ।


Share It

Comments are closed.