ଆଜି ଭାରତ-ନ୍ୟୁଜିଲାଣ୍ଡ ୩ୟ ଦିନିକିଆ


ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ବର୍ଷା ବାଧାପ୍ରାପ୍ତ ଟି୨୦ ଶୃଙ୍ଖଳାକୁ ଭାରତ ୧-୦ରେ ଜିତିଥିବା ବେଳେ ଦିନିକିଆ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି। ୨ୟ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ବୁଧବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତି ଭାରତ ଶୃଙ୍ଖଳା ପରାଜୟରୁ ବଞ୍ଚିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଏହି ଶୃଙ୍ଖଳା ଜିତି ଟି୨୦ ଶୃଙ୍ଖଳା ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ। ଖ୍ରୀଷ୍ଟଚର୍ଚ୍ଚର ହାଗ୍‌ଲି ଓଭାଲ୍‌ରେ ଭାରତ ଆଦୌ ଦିନିକିଆ ଖେଳିନାହିଁ। ହେଲେ ଏଠାରେ ଘରୋଇ ନ୍ୟୁଜିଲାଣ୍ଡର ରେକର୍ଡ ବହୁତ ଭଲ। ନ୍ୟୁଜିଲାଣ୍ଡ ଏଠାରେ ୧୧ଟି ଦିନିକିଆ ଖେଳି ୧୦ଟି ଜିତିଛି। ପ୍ରଥମ ଦିନିକିଆରେ ୩୦୭ ରନ୍‌ର ପିଛାକରି ନ୍ୟୁଜିଲାଣ୍ଡ ୮୮ ରନ୍‌ରେ ୩ଟି ୱିକେଟ ହରାଇବା ସତ୍ତ୍ବେ ୧୭ଟି ବଲ୍‌ ବାକିଥାଇ ଜିତିବା ଭାରତୀୟ ବୋଲିଂର ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ତେଣୁ ଭାରତ ଉନ୍ନତ ବୋଲିଂ ଲକ୍ଷ୍ୟରେ ରହିଛି। ବୁଧବାର ମଧ୍ୟ ବର୍ଷାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଓଭର କମିଲେ ଟସ୍‌ର ଗୁରୁତ୍ବ ବଢ଼ିଯିବ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଗତ ୫ଟି ଦିନିକିଆ ଖେଳି ପରାସ୍ତ ହୋଇଛି। ତେଣୁ ଶିଖର ଧାୱନଙ୍କ ଦଳ ଏହି ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି। ଏଠାରେ ଗତ ୩ଟି ଦିନିକିଆରେ ରନ୍‌ର ପିଛା କରିଥିବା ଦଳ ବିଜୟୀ ହୋଇଛନ୍ତି। ୨ୟ ଦିନିକିଆ ବାତିଲ ହୋଇଥିଲେ ହେଁ ଶୁବ୍‌ମାନ ଗିଲ୍‌ ଓ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଭାରତକୁ ଉତ୍ସାହିତ କରିଛି। ଭାରତର ବୋଲିଂ ଆକ୍ରମଣ ସେପରି ମଜ୍‌ଭୁତ ନଥିବାରୁ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ବଡ଼ ସ୍କୋର୍ କରିବାକୁ ପଡ଼ିବ। ଭାରତ ପରି ନ୍ୟୁଜିଲାଣ୍ଡ ମଧ୍ୟ ୨୦୨୩ ଦିନିକିଆ ବିଶ୍ବକପ୍‌ ପାଇଁ ପ୍ରସ୍ତୁତି କରୁଛି। ନ୍ୟୁଜିଲାଣ୍ଡ ବିଶ୍ବର ୧ନଂ ଦିିନିକିଆ ଦଳ। ପୁଣି ୨୦୧୯ ଆରମ୍ଭରୁ ଅଦ୍ୟାବଧି ନିଜ ମାଟିରେ ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳା ହାରିନାହିଁ। ପେସ୍‌ ବୋଲର ଆଡାମ୍ ମିଲ୍‌ନଙ୍କ ସ୍ଥାନରେ ଅଫ୍‌ସ୍ପିନର ମାଇକେଲ ବ୍ରେସ୍‌ୱେଲ୍‌ ଖେଳିଥିଲେ। ତେବେ ଭାରତ ବିପକ୍ଷରେ ପେସ୍‌ ବୋଲିଂ ଉପଯୋଗୀ ପିଚ୍‌ରେ ବ୍ରେସ୍‌ୱେଲଙ୍କୁ ପୁଣି ସୁଯୋଗ ମିଳୁଛି କି ନାହିଁ; ତାହା ଦେଖିବାର କଥା। ଅଧିନାୟକ କେନ୍‌ ୱିଲିୟମ୍‌ସନ, ଟମ୍ ଲାଥାମ୍ ଓ ଡେଭନ୍ କନ୍‌ୱେଙ୍କୁ ଛାଡ଼ି ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନ୍‌ରେ ସେପରି ଅଭିଜ୍ଞତା ନାହିଁ। ହେଲେ ଦକ୍ଷତାରେ ସେମାନେ କାହାଠାରୁ କମ୍ ନୁହନ୍ତି । ପ୍ରଥମ ଦିନିକିଆରେ ସଞ୍ଜୁ ସାମ୍‌ସନ ଭଲ ବ୍ୟାଟିଂକରିବା ସତ୍ତ୍ବେ ୨ୟ ଦିନିିକିଆରୁ ତାଙ୍କୁ ବାଦ୍‌ଦେବା ଯୋଗୁଁ ବହୁତ ସମାଲୋଚନା ହୋଇଥିଲା। ୬ଷ୍ଠ ବୋଲରଙ୍କ ଅଭାବ ପୂରଣ ପାଇଁ ଦୀପକ ହୁଡାଙ୍କୁ ଖେଳା ଯାଇଥିଲା। ଟ୍ବେଣ୍ଟି୨୦ ସହ ପ୍ରଥମ ଦିନିକିଆରେ ବିଫଳ ହୋଇଥିବା ଯୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ବାମହାତି ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ ଖେଳିପାରନ୍ତି।


Share It

Comments are closed.