ଏବେ ଭାରତୀୟ ଆଥଲେଟିକ ସୁପରଷ୍ଟାର ତଥା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରାଙ୍କ ଉପରେ ସାରା ବିଶ୍ୱର ନଜର ରହିଛି। ୨୬ ବର୍ଷୀୟ ନୀରଜ ଚଳିତ ପ୍ୟାରିସ ଅଲିମ୍ପିକ ଜାଭେଲିନ ଇଭେଣ୍ଟର ଫାଇନାଲ ମୁକାବିଲାରେ ଗୁରୁବାର ଅବତୀର୍ଣ୍ଣ ହେବେ। ଗତ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣିମ ସଫଳତା ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ପ୍ରଥମ ଭାରତୀୟ ଆଥଲେଟ ଭାବେ ସେ ଅଲିମ୍ପିକ ଦୌଡ଼କୁଦରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏଥର ପ୍ୟାରିସରେ ସେ ଏହି ସଫଳତା ଦୋହରାଇ କ୍ରମାଗତ ଦ୍ୱିତୀୟ ପଦକ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି।
ମଙ୍ଗଳବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ନୀରଜ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଜାଭେଲିନ ଫିଙ୍ଗି ସିଧାସଳଖ ଫାଇନାଲକୁ ଉଠିଥିଲୋ। ଅଲିମ୍ପିକ ଫାଇନାଲ ରାଉଣ୍ଡ ପାଇଁ କ୍ୱାଲିଫିକେସନ ଷ୍ଟାଣ୍ଡାର୍ଡ ବା ମାର୍କ ୮୪ ମିଟର ରହିଛି। ତେଣୁ ସେ ଏହାଠାରୁ ଅଧିକ ଦୂରତା ଜାଭେଲିନ୍ ଫିଙ୍ଗିବା ସହ କ୍ୱାଲିଫିକେସନ ରାଉଣ୍ଡରେ ଶୀର୍ଷରେ ରହିଥିଲେ। କିନ୍ତୁ ସ୍ୱର୍ଣ୍ଣ ପଦକ ହାସଲ କରିବାକୁ ହେଲେ ତାଙ୍କୁ ଏହି ସଫଳତା ଗୁରୁବାର ଦୋହରାଇବାକୁ ପଡିବ। ୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ସେ ୮୭.୫୮ ମିଟର ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ହାସଲ କରିଥିଲେ।
୫ମ ଖେଳାଳି ଭାବେ କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ସୁଯୋଗ
ଏଥର ସଫଳ ହେଲେ ସେ ଭାରତର ପ୍ରଥମ ଖେଳାଳି ଭାବେ ବ୍ୟକ୍ତିଗତ ବର୍ଗରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିବେ। ପୁଣି ସେ ବିଶ୍ୱର ୫ମ ପୁରୁଷ ଖେଳାଳି ଭାବେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବଜାୟ ରଖିବେ। ପୂର୍ବରୁ ସ୍ୱିଡେନ ଏରିକ ଲେମିଙ୍ଗ୍ (୧୯୦୮, ୧୯୧୨), ଫିନଲାଣ୍ଡର ଜୋନି ମିରା (୧୯୨୦, ୧୯୨୪), ଚେକ ଗଣରାଜ୍ୟର ଜାନ ଜେଲେଞ୍ଜି (୧୯୯୨, ୧୯୯୬, ୨୦୦୦) ଓ ନରୱେର ଆନ୍ଦ୍ରିଆସ ଥୋରକିଲଡସେନ (୨୦୦୪ ଓ ୨୦୦୮) ଜାଭେଲିନ୍ରେ ଅଲିମ୍ପିକ୍ସ ପଦକ ବଜାୟ ରଖିବାରେ ସଫଳ ହୋଇଥିଲେ। ସ୍ୱର୍ଣ୍ଣ ଜିତିଲେ ନୀରଜ ଭାରତୀୟ ଆଥଲେଟିକ ଇତିହାସର ସବୁଠାରୁ ସଫଳ ତଥା ଓଜନଦାର ଆଥଲେଟର ମର୍ଯ୍ୟାଦା ହାସଲ କରିବେ ଓ ଦୁଇଟି ଅଲିମ୍ପିକ୍ସ ପଦକ ହାସଲ କରିବାରେ ଚତୁର୍ଥ ଭାରତୀୟ ଖେଳାଳି ସାବ୍ୟସ୍ତ ହେବେ। ପୂର୍ବରୁ ପିଭି ସିନ୍ଧୁ, ସୁଶୀଲ କୁମାର, ମନୁ ଭାକର ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି।
ନୀରଜଙ୍କ ଆଗରେ କଡ଼ା ଚ୍ୟାଲେଞ୍ଜ
ଫାଇନାଲରେ ନୀରଜ କଡ଼ା ପରୀକ୍ଷାର ସମ୍ମୁଖୀନ ହେବେ। କ୍ୱାଲିଫିକେସନରେ ଗ୍ରୁପ୍ ଏ ଓ ବି’ରେ ଶୀର୍ଷରେ ରହିଥିଲେ ମଧ୍ୟ ତାଙ୍କ ପାଇଁ ରାସ୍ତା ସହଜ ହେବନାହିଁ। ଫାଇନାଲରେ ତାଙ୍କୁ ଗ୍ରେନେଡାର ଆଣ୍ଡରସନ ପିଟର୍ସ, ପାକିସ୍ତାନର ଅର୍ଶାଦ ନଦୀମ କଡ଼ା ଚ୍ୟାଲେଞ୍ଜ ଦେବେ। ସେହିପରି ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ଚେକ୍ ଗଣରାଜ୍ୟର ଜାକୁବ ଭାଡଲେଚ୍ ମଧ୍ୟ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବେ। ଫାଇନାଲରେ ନୀରଜ ୯୦ ମିଟର ପାର କରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ୨୦୨୨ ଷ୍ଟକହାମ ଡାଇମଣ୍ଡ ଲିଗ୍ରେ ସେ ୮୯. ୯୪ ମିଟର ଥ୍ରୋ କରି କ୍ୟାରିଅରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏଥର ଏହାକୁ ପାର କରିବା ଲକ୍ଷ୍ୟରେ ସେ ରହିଛନ୍ତି।
Comments are closed.