ଭାରତର ଗୌରବମୟ ଐତିହ୍ୟର ମୁକସାକ୍ଷୀ ଅଜନ୍ତା ଓ ଏଲୋରା


ଅଜନ୍ତା ଓ ଏଲୋରା ଗୁମ୍ଫା ହେଉଛି ଦୁଇଟି ଲୋକପ୍ରିୟ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଯେଉଁମାନେ ଭାରତର ସୁନ୍ଦର ଐତିହ୍ୟକୁ ବହନ କରିଥାଆନ୍ତି । ଏଗୁଡ଼ିକ ଚମତ୍କାର କଳା, ଭାସ୍କର୍ଯ୍ୟ ଓ କାରୁକାର୍ଯ୍ୟରେ ପରିପୂର୍ଣ୍ଣ । ପ୍ରତିଦିନ ଏଠାକୁ ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରୁ ଶହ ଶହ ପର୍ଯ୍ୟଟକ ଭ୍ରମଣ କରିବାକୁ ଆସିଥାଆନ୍ତି । ଏହି ଗୁମ୍ଫା ଦ୍ୱୟ ୟୁନେସ୍କୋ ଦ୍ୱାରା ୱାର୍ଲଡ ହେରିଟେଜ୍ ସାଇଟ୍ ତାଲିକାରେ ସ୍ଥାନ ପାଇଛି । ଉଭୟ ଅଜନ୍ତା ଓ ଏଲୋରା ଗୁମ୍ଫା ମହାରାଷ୍ଟ୍ରର ଔରଙ୍ଗାବାଦ୍ ସହର ନିକଟସ୍ଥ ସାହ୍ୟଦ୍ରି ପାହାଡ଼ ଉପରେ ଅବସ୍ଥିତ ।
ଅଜନ୍ତା ଗୁମ୍ଫା ଏକ ବୌଦ୍ଧ ପୀଠ ଓ ଏହା ଖ୍ରୀଷ୍ଟପୂର୍ବ ୨ରୁ ଷଷ୍ଠ ଖ୍ରୀଷ୍ଟାବ୍ଦୀ ମଧ୍ୟରେ ନିର୍ମିିତ ହୋଇଥିଲା । ଏଥିରେ ରହିଛି ୨୯ଟି ଛୋଟବଡ଼ ଗୁମ୍ଫା, ଯେଉଁମାନେ ସେମାନଙ୍କ ଚିତାକର୍ଷକ ଚିତ୍ରକଳା ଦ୍ୱାରା ପରିଚିତ । ଏହି ଚିତ୍ରକଳାଗୁଡ଼ିକ ବୌଦ୍ଧ ଧର୍ମର କାହାଣୀକୁ ଦର୍ଶାଇଥାଏ । ଏଗୁଡ଼ିକରେ ବ୍ୟବହୃତ ହୋଇଥିବା ରଙ୍ଗ ପ୍ରାକୃତକି ହୋଇଥାଏ । ଏଥିରେ ଥିବା ଗୁମ୍ଫାମାନଙ୍କରେ ଭଗବାନ ବୁଦ୍ଧଙ୍କ ବିଭିନ୍ନ ଭଙ୍ଗୀର ମୁର୍ତ୍ତୀ ରହିଛି ଏବଂ ଏମାନଙ୍କୁ ହାତୁଡ଼ି ଓ ଶେଣୀ ବ୍ୟବହାର କରି ଖୋଦନ କରାଯାଇଥିଲା ।
ସେହିପରି ଏଲୋରା ଗୁମ୍ଫା ୩୫୦ରୁ ୭୦୦ ଖ୍ରୀଷ୍ଟାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିଲା, ଯେଉଁଥିରେ ରହିଛି ୩୪ଟି ଗୁମ୍ଫା । ଏହି ଗୁମ୍ଫା ମଧ୍ୟରେ ବୌଦ୍ଧ, ହିନ୍ଦୁ ଓ ଜୈନ ଧର୍ମ ସମ୍ବନ୍ଧୀୟ କଳା ଓ କାରୁକାର୍ଯ୍ୟ ରହିଛି । ଏହି ୩୪ ଗୁମ୍ଫାଗୁଡ଼ିକ ମଧ୍ୟରୁ ୧୨ଟି ବୌଦ୍ଧ, ୫ଟି ହିନ୍ଦୁ ଓ ୧୭ଟି ଜୈନ ଗୁମ୍ଫା ରହିଛି । ଏଥିରେ ରହିଛି ପ୍ରମୂଖ କୈଳାଶ ଗୁମ୍ଫା ମନ୍ଦିର, ଯେଉଁଥିରେ ରହିଛି ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ମୂର୍ତ୍ତୀ ରହିଛି । ଅନ୍ୟ ଗୁମ୍ଫାମାନଙ୍କରେ ରହିଛି ଭଗବାନ ବୁଦ୍ଧ, ବିଶ୍ୱକର୍ମା, ବାମନ, ନର୍ତ୍ତକୀ ଓ ସଙ୍ଗୀତଜ୍ଞମାନଙ୍କ ମୂର୍ତ୍ତୀ ।

କିପରି ଯିବେ
ଔରଙ୍ଗାବାଦ ସହରରେ ବିମାନବନ୍ଦର ରହିଛି, ଯାହା ଗୁମ୍ଫାର ନିକଟତର । ବିମାନବନ୍ଦରରୁ କାର୍, ବସ୍, ଅଟୋ ଏହି ଗୁମ୍ଫାକୁ ସବୁବେଳେ ଯାତାୟତ କରୁଛନ୍ତି । ଔରଙ୍ଗାବାଦ ସହରକୁ ଭାରତର ବିଭିନ୍ନ ସ୍ଥାନରୁ ରେଳପଥ ଓ ସଡ଼କପଥ ମଧ୍ୟ ସଂଯୋଗ କରୁଛି । ତେଣୁ ସେଠାକୁ ଯିବାରେ ଆପଣଙ୍କୁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ ।
.


Share It

Comments are closed.