ପିଡିପିକୁ ଭାଙ୍ଗିଲେ ପରିସ୍ଥିତି ଭୟଙ୍କର ହେବ: ମେହବୁବା ମୁଫତି


ବିଜେପି କାଶ୍ମୀରରେ ପିଡିପି (ପିପୁଲ ଡେମୋକ୍ରେଟିକ ପାର୍ଟି) ସହିତ ମିଶି କରି ୩ ବର୍ଷ ପର୍ଯ୍ୟନ୍ତ ମେଣ୍ଟ ସରକାର ଚଳାଇଥିଲା । ଯାହା ଦ୍ୱାରା ମେହବୁବା ମୁଫତିଙ୍କୁ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ କରାଯାଇଥିଲେ ମଧ୍ୟ କାଶ୍ମୀରରେ ଆତଙ୍କବଦୀ ଦମନ କରିବାରେ ମିଳିତ ସରକାର ଅସଫଳ ରହିବା ହେତୁ ବିଜେପି ପିଡିପି ଠାରୁ ଜୁନ ୧୯ରେ ନିଜର ସମର୍ଥନ ଫେରାଇ ଆଣିଥିଲା । ସେବେ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ରହିଛି । କାଶ୍ମୀରରେ ସରକାର ଭାଙ୍ଗିବା ପରେ ଉଭୟ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ଆଜି ପିଡିପି ବିଜେପି ବିରୋଧରେ ଏକ ସଂଙ୍ଗୀନ ଅଭିଯୋଗ ଆଣିଛି । ପିଡିପି ଅଭିଯୋଗ କରିଛି ଯେ, ବିଜେପି ପିଡିପିର ବିଧାୟକ ମାନଙ୍କୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି ।
ଦଳ ମଧ୍ୟରେ ସୃଷ୍ଟି ହେଉଥିବା ଫାଟ ପାଇଁ ମୁଫତି ବିଜେପିକୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଦିଲ୍ଲୀ ୧୯୮୭ ଭଳି ପରିସ୍ଥିତି ସୃଷ୍ଟି କରି ଲୋକମାନଙ୍କର ଭୋଟ ଦେବାର ଅଧିକାରକୁ ଛଡାଇ ନେବ କିମ୍ବା ସେମାନଙ୍କ ମଧ୍ୟରେ ଭାଗ ଭାଗ ଏବଂ ସେହି ସମୟ ଭଳି ହସ୍ତକ୍ଷେପ କରିବାର ପ୍ରୟାସ କରିବ ତେବେ ୧୯୮୭ର ‘ସଲ୍ଲାଉଦିନ’ ଏବଂ ‘ୟାସିନ ମଲ୍ଲିକ’ଙ୍କ ଭଳି ଆତଙ୍କବାଦୀ ଜନ୍ମ ନେବେ ।
ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେ, ଯଦି ବିଜେପି ପିଡିପିକୁ ଭାଙ୍ଗିବା ପାଇଁ ଚେଷ୍ଟା କରେ କିମ୍ବା ତାର ଅଧିକାର ଉପରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରେ, ତେବେ ଏହାର ପରିଣାମ ପୂର୍ବ ଅପେକ୍ଷା ବହୁତ ଖରାପ ହେବ ।

ପ୍ରକାଶ ଥାଉକି ପିଡିପିର ୬ ଜଣ ବିଧାୟକ ଦଳରେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି । ବିଶୃଙ୍ଖଳିତ ସେହ ୬ ବିଧାୟକ ଅଭିଯୋଗ କରୁଛନ୍ତି ଯେ, ‘ପିଡିପି ବର୍ତ୍ତମାନ ପିପୁଲ ଡେମୋକ୍ରେଟିକ ପାର୍ଟି ନରହି ଫ୍ୟାମିଲି ଡେମୋକ୍ରେଟିକ ପାର୍ଟି’ ହୋଇଯାଇଛି । ସେହି ୬ ଜଣ ବିଧାୟକ ମାନେ ହେଲେ ‘ଜାବେଦ ବେଗ’, ‘ୟାସିର ରେସି’, ‘ଅବଦୁଲ ମଜିଦ’, ‘ଇମରାନ ଅନସାରି’, ‘ଆବିଦ ହୁସେନ ଅନସାରି’ ଏବଂ ‘ମହୋମ୍ମଦ ଅବାସ’ ।
ମୁଫତିଙ୍କ ଏହି ବୟାନ ପରେ ଜମ୍ମୁ କାଶ୍ମୀରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା କାଶ୍ମୀର ନ୍ୟାସନାଲ କଂଗ୍ରେସର ନେତା ‘ଅମର ଅବଦ୍ଦୁଲା’ ଟ୍ୱିଟ କରି କହିଛନ୍ତି ଯେ, କୌଣସି ଦଳ ଭାଙ୍ଗିବା ଦ୍ୱାରା କେବେବି ଆତଙ୍କବାଦୀ ସୃଷ୍ଟି ହୁଅନ୍ତି ନାହିଁ । ‘ମୁଁ ଆପଣଙ୍କୁ ସଫା ସଫା କହିବାକୁ ଚାହୁଁଛିକି ପିଡିପି ଭାଙ୍ଗିବା ଦ୍ୱାରା କୌଣସି ନୂଆ ଆତଙ୍କବାଦୀ ସୃଷ୍ଟି ହେବେ ନାହିଁ । ଲୋକମାନେ ସେହି ଦଳର ଅନ୍ତରେ କେବେ ବି ମନ ଦୁଃଖ କରିବେ ନାହିଁ, ଯେଉଁମାନଙ୍କ ଗଠନ ଦିଲ୍ଲୀରେ ରହିକି କାଶ୍ମୀରବାସୀଙ୍କୁ ଭାଗ ଭାଗ କରିବା ପାଇଁ କରାଯାଇଥିଲା । ’


Share It

Comments are closed.