ମଦ୍ୟପାନଠୁ ଦୂରେଇବାର ଉପଯୁକ୍ତ ସମୟ ହେଉଛି ଲକଡାଉନ, ପରିବାର ସହ ଅଧିକ ସମୟ ବିତାନ୍ତୁ ଓ ସୁସ୍ଥ ରୁହନ୍ତୁ: ବିଶେଷଜ୍ଞ


ଲକଡାଉନ ସମୟରେ ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ କଷ୍ଟମୟ । ଏଭଳି ଲୋକଙ୍କଠାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଯାଇପାରେ । କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍‌ସ (ନୂଆ ଦିଲ୍ଲୀ)ର ଡାକ୍ତରମାନଙ୍କ ଦ୍ୱାରା ଏଭଳି ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରାଯାଇଛି । ଏମ୍‌ସର ଦିର୍ଦ୍ଦେଶକ ପ୍ରଫେସର ରଣଦୀପ ଗୁଲେରିୟାଙ୍କ କହିବା ଅନୁଯାୟୀ ଲକଡାଉନ କାରଣରୁ ମାଦକ ଦ୍ରବ୍ୟ ନ ମିଳିବା କାରଣରୁ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡ଼ିପାରେ । ଏଗୁଡ଼ିକ ମଧ୍ୟରେ ଶ୍ୱାସକ୍ରିୟାରେ ସମସ୍ୟା, ଥକାପଣ, ହାତରେ କମ୍ପନ, ଏବଂ ରାତିରେ ନିଦ ନ ଆସିବା ପ୍ରମୁଖ ଅଟେ । ସେହିଭଳି ଅବସାଦ, ଚିନ୍ତା, ଭୟ ଏବଂ ହତାଶା ଭଳି ମାନସିକ ସମସ୍ୟା ଦେଖାଦେଇ ପାରେ । କିନ୍ତୁ ଏହି ସମୟରେ ନିଜକୁ ବ୍ୟସ୍ତ ରଖିବା ଦ୍ୱାରା ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।
ଡାକ୍ତରଙ୍କ ଅନୁଯାୟୀ ଏହି ସମୟ ହେଉଛି ମଦ୍ୟପାନ ତ୍ୟାଗ କରିବାର ଉପଯୁକ୍ତ ସମୟ ।

ବ୍ୟସ୍ତ ଓ ପରିବାର ସହ ରହିଲେ ପିଇବାର ଇଚ୍ଚା ହେବ ନାହିଁ । ଅଧିକ ମାତ୍ରାରେ ପାଣି ପିଅନ୍ତୁ । ବଗିଚାରେ ନିଜକୁ ବ୍ୟସ୍ତ ରଖନ୍ତୁ । ଯଦି ସମ୍ଭବ ହୁଏ ତେବେ ପରିବାର କିମ୍ବା ଛୋଟ ପିଲାଙ୍କ ସହ କିଛି ଗେମ ଖେଳନ୍ତୁ । ନିଜର ପ୍ରିୟଜନଙ୍କ ସହ ଫୋନରେ କଥା ହୁଅନ୍ତୁ । ଏହାଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ । ଅଲଗା ବସିବା କିମ୍ବା ଶୋଇବାର ଚେଷ୍ଟା କରନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣଙ୍କ ସମସ୍ୟା ବଢ଼ିପାରେ । ଏହା ବ୍ୟତୀତ ଆଠରୁ ନଅ ଘଂଟାର ନିଦ୍ରା ମଧ୍ୟ ଲାଭଦାୟକ ହୋଇଥାଏ । ଟିଭି, ସିନେମା କିମ୍ବା ମନ ପସନ୍ଦର ଧାରାବାହିକ ଦେଖିବେ ତ ଥକାପଣ ଅନୁଭବ ହେବ ଓ ଭଲ ନିଦ୍ରା ମଧ୍ୟ ଆସିବ । ଏହା ବ୍ୟତୀତ ଘରର ଯେକୌଣସି କାମରେ ନିଜକୁ ବ୍ୟସ୍ତ ରଖି ପାରିବେ ।
ଡାକ୍ତର ରବିନ୍ଦ୍ର କହିଛନ୍ତି ଯେ ଯେଉଁ ଲୋକମାନେ ଲମ୍ବା ସମୟରୁ ମଦ୍ୟପାନ କରୁଛନ୍ତି ସେମାନଙ୍କୁ ଓ ତାଙ୍କ ପରିବାରକୁ ସତର୍କ ହେବାକୁ ହେବ । ମଦ୍ୟପାନ ସହ ଅଭ୍ୟସ୍ତ ହୋଇଯାଇଥିବା ଲୋକଙ୍କ ଠାରେ ଅଚାନକ ଝଟକା ଲାଗିବା କିମ୍ବା ଚେତାଶୂନ୍ୟ ହେବା ଭଳି ସ୍ଥିତି ହୋଇପାରେ । ଏଗୁଡ଼ିକୁ ଅଣଦେଖା କରିବେ ନାହିଁ ଏବଂ ବିଳମ୍ବ ବିନା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହି ସମୟର ଫାଇଦା ଉଠାନ୍ତୁ ଏବଂ ନିଜ ଓ ନିଜ ପରିବାରରେ ପରିବର୍ତନର ଏକ ନୂଆ କିରଣ ନେଇ ଆସନ୍ତୁ ।


Share It

Comments are closed.