ଭୁବନେଶ୍ୱରରେ ‘ରୋଜଗାର ମେଳା’ରେ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ


ଭୁବନେଶ୍ୱର: ନୂତନ ଭାବେ ନିଯୁକ୍ତ ପାଇଥିବା ଯୁବକ ଯୁବତୀମାନେ କର୍ମକ୍ଷେତ୍ରରେ ଯୋଗ ଦେବା ସମୟରେ ନିଷ୍ଠାର ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଳନ କରନ୍ତୁ । ଲୋକଙ୍କ ସେବା କରିବା ଦ୍ୱାରା ସମାଜରେ ପରିବର୍ତ୍ତନ ଆସିପାରିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ରୋଜଗାର ମେଳା ଅନ୍ତର୍ଗତ ନିଯୁକ୍ତିପତ୍ର ବିତରଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ଥାନୀୟ ରେଳ ଅଡିଟୋରିୟମ ଠାରେ ରାଜ୍ୟରେ ରୋଜଗାର ମେଳାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବା ସହ ୩୮୪ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯୁବକ ଯୁବତୀମାନେ କାର୍ଯ୍ୟରେ ଯୋଗଦେବା ପାଇଁ ଯିବା ବେଳେ ନିଜର ‘କର୍ତ୍ତବ୍ୟ ପଥ’କୁ ସବୁବେଳେ ମନେ ରଖିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଏଠାରେ ଉପସ୍ଥିତ ଯୁବସାଥୀମାନେ ସର୍ବୋପରି ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଥେୟ କରନ୍ତୁ । ଶହୀଦ ଲକ୍ଷ୍ମଣ ନାଏକ ଦେଶସେବା ପାଇଁ ବଳିଦାନ ଦେଇଥିଲେ । ଉତ୍କଳ କେଶରୀ ଡା. ହରେକୃଷ୍ଣ ମହତାବ ଆମ ଓଡ଼ିଆ ଜାତିକୁ ନୂଆ ଦିଗଦର୍ଶନ ଦେଇଥିଲେ । ଏହି କାରଣରୁ ଆମେ ସାମ୍ପ୍ରତିକ ସମୟରେ ଉପନୀତ ହୋଇଛେ । ଅର୍ଥାତ୍ ଜଣେ କର୍ତ୍ତବ୍ୟ ନେଲେ ଅନେକ ଲୋକଙ୍କର ଅଧିକାର ସୁରକ୍ଷିତ ରୁହେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ନିଯୁକ୍ତିପତ୍ର ପାଇଥିବା ଯୁବକ ଯୁବତୀମାନେ ଆସାମ ରାଇଫଲ୍ସ, ଏମ୍ସ ଭୁବନେଶ୍ୱର, ବିଏସଫ, ସିଆଇଏସଏଫ, ରେଳ, ଇଏସଆଇସି, ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ, ଆଇଆଇଟି ଭୁବନେଶ୍ୱର, ଇନକମ ଟ୍ୟାକ୍ସ, ଆଇଟିବିପି, ଡାକ ବିଭାଗ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ସଶସ୍ତ୍ର ସୀମା ବଳ ଓ ରାଜ୍ୟସ୍ତରୀୟ ବ୍ୟାଙ୍କ ସମୂହରେ କାମ କରିବାର ସୁଯୋଗ ପାଇଛନ୍ତି । ଆଜିର ନିଯୁକ୍ତି ମାଧ୍ୟମରେ ୧୩୦ କୋଟି ଭାରତୀୟଙ୍କ ସେବା କରିବା ଭଳି ଗୁରୁ ଦାୟିତ୍ୱ ଯୁବସାଥୀଙ୍କ ହାତରେ ନ୍ୟସ୍ତ କରାଯାଇଛି । ଚାକିରି ନୁହେଁ ବରଂ ଭାରତୀୟଙ୍କ ସେବା କରିବାର ସୌଭାଗ୍ୟ ପାଇଛନ୍ତି ।

ରୋଜଗାର ମେଳା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ଅକ୍ଟୋବର ୨୨ ତାରିଖ ଦିନ ୧୦ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ଏହି ଦିନ ପ୍ରଥମ ପର୍ଯ୍ୟାୟରେ ଦେଶର କୋଣ ଅନୁକୋଣରେ ୭୫,୦୦୦ ଯୁବକଯୁବତୀଙ୍କୁ ଏକକାଳୀନ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଆଜି ମଧ୍ୟ ଅନୁରୂପ ଭାବରେ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୪୫ଟି ସ୍ଥାନରେ ୭୧,୦୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହାସହ ନୂଆ ନିଯୁକ୍ତିଧାରୀଙ୍କୁ ଅନଲାଇନରେ ଓରିଏନଟେସନ କୋର୍ସ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ‘କର୍ମଯୋଗୀ ପ୍ରାରମ୍ଭ ମୋଡ୍ୟୁଲ’ର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଦେଶରେ ଆତ୍ମନିଯୁକ୍ତି ସ୍ୱରୋଜଗାରର ନୀତିଗତ ନିଷ୍ପତି ମୋଦି ସରକାର ନେଇଥିବା କାରଣରୁ ଗବେଷଣା, ନବସୃଜନ ଓ ଉଦ୍ୟମିତାର ନୂଆ ବାତାବରଣ ତିଆରି ହୋଇଛି ।

ଦେଶ ସ୍ୱାଧୀନତାର ୭୫ ବର୍ଷର ଯାତ୍ରା ଅବସରରେ ଆମେ ‘ଅମୃତ ମହୋତ୍ସବ’ ପାଳନ କରୁଛୁ । ଏହି ସମୟରେ ଦେଶ ଓ ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେବା ଏବଂ ଆମର ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିବା ହେଉଛି ଆମର ଗୁରୁ ଦାୟିତ୍ୱ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ନୂଆ ଶିକ୍ଷା ନୀତି ଲାଗୁ ହୋଇଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ପାଠପଢା ସମେତ କାମ କରିବାର ଅନୁଭବକୁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ଯୋଡାଯିବାର ବ୍ୟବସ୍ଥା ହୋଇଛି । ମାତୃଭାଷାକୁ ପ୍ରାଧାନ୍ୟ ସହ ଭାରତୀୟ ଡିଜିଟାଲ ବିଶ୍ୱବିଦ୍ୟାଳୟର କଳ୍ପନା ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ରୋଜଗାର ମେଳାର ପ୍ରଥମ ପର୍ଯ୍ୟାୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱରରେ ରାଜ୍ୟର ୨୩୯ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।


ସୂଚନାଯୋଗ୍ୟ, ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ବୀରତ୍ୱ, ନେତୃତ୍ୱ ଓ ତ୍ୟାଗ ମନୋବୃତ୍ତି ଭବିଷ୍ୟତ ଯୁବପିଢିଙ୍କ ପାଇଁ ପାଥେୟ ହେବ ବୋଲି ସେ କହିଥିଲେ ।


Share It

Comments are closed.