ଫେବୃଆରୀରେ ଓଡ଼ିଶାରେ ଜିଓ ଯୋଡ଼ିପାରିଛି ୩.୫୫ ଲକ୍ଷ ନୂତନ ଗ୍ରାହକ


୨୦୧୯ ଫେବୃଆରୀ ମାସ ସୁଦ୍ଧା ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟାରେ ୨.୨୮ ଲକ୍ଷ ବୃଦ୍ଧି ଘଟିଥିବା ବେଳେ ଏହି ମାସରେ କେବଳ ରିଲାଏନ୍ସ ଜିଓ ଓଡ଼ିଶାରେ ୩.୫୫ ଲକ୍ଷ ନୂତନ ଗ୍ରାହକ ସୃଷ୍ଟି କରିବାକୁ ସକ୍ଷମ ହୋଇଛି, ଯାହାକି ରାଜ୍ୟରେ ଟେଲି ସାନ୍ଦ୍ରତା ବୃଦ୍ଧି ଦିଗରେ ସହାୟକ ହୋଇପାରିଛି ବୋଲି ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ(ଟ୍ରାଏ) ପକ୍ଷରୁ ପ୍ରକାଶିତ ସର୍ବଶେଷ ତଥ୍ୟରେ କୁହାଯାଇଛି ।

ଟ୍ରାଏ’ର ଗ୍ରାହକ ସଂଖ୍ୟା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଏହାର ସମ୍ପୂର୍ଣ୍ଣ ୪-ଜି ନେଟୱର୍କ ମାଧ୍ୟମରେ ନୂତନ ଗ୍ରାହକ ଯୋଡ଼ିବା କ୍ଷେତ୍ରରେ ଅଗ୍ରଣୀ ରହିବା ସହିତ ୨୦୧୯ ଫେବୃଆରୀ ମାସରେ ୩.୫୫ ଲକ୍ଷ ଗ୍ରାହକ ଯୋଡ଼ିପାରିଛି । ଏହା ପଛକୁ ବିଏସ୍ଏନ୍ଏଲ୍ ଏହି ମାସରେ ୧.୫୧ ନୂତନ ଗ୍ରାହକ ସାମିଲ କରିଛି । ଅନ୍ୟ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ମଧ୍ୟରେ ଉଭୟ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ୍ ଗ୍ରାହକ ହରାଇଥିବା ବେଳେ କେବଳ ଭୋଡାଫୋନ୍ ଆଇଡିଆ ଏହି ମାସରେ ୨.୩୫ ଲକ୍ଷ ଗ୍ରାହକଙ୍କୁ ହରାଇଛି ବୋଲି ଟ୍ରାଏ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଏହିକ୍ରମରେ ଓଡ଼ିଶାରେ ଜିଓ’ର ମୋଟ ଗ୍ରାହକ ସଂଖ୍ୟା ୮୭ ଲକ୍ଷ ଅତିକ୍ରମ କରିବା ସହ ୨୦୧୯ ଫେବୃଆରୀ ସୁଦ୍ଧା ରାଜ୍ୟରେ ଜିଓ ୨୬.୨ ପ୍ରତିଶତ ଉପଭୋକ୍ତା ଅଂଶ ଅକ୍ତିଆର କରିବାକୁ ସକ୍ଷମ ହୋଇଛି ।
ଫେବୃଆରୀ ୨୮ ସୁଦ୍ଧା ଓଡ଼ିଶାର ମୋଟମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୩.୩୫ କୋଟିରୁ ଊଦ୍ଧ୍ୱର୍ରେ ପହଞ୍ଚିଥିବା ବେଳେ ଏୟାରଟେଲ୍ର ଗ୍ରାହକ ସଂଖ୍ୟା ୧.୩୧ କୋଟି ରହିଛି ଏବଂ ଏହା ପଛକୁ ରିଲାଏନ୍ସ ଜିଓ’ର ଗ୍ରାହକ ସଂଖ୍ୟା ପ୍ରାୟ ୮୮ ଲକ୍ଷ, ବିଏସ୍ଏନ୍ଏଲ୍ର ୫୭ ଲକ୍ଷ, ଭୋଡାଫୋନ୍ ଆଇଡିଆ ୫୪.୫୮ ଲକ୍ଷ ଏବଂ ଟାଟା ଟେଲି ସର୍ଭିସେସ୍ର ଗ୍ରାହକ ସଂଖ୍ୟା ୪.୬ ଲକ୍ଷ ରହିଛି । ଟ୍ରାଏ ଗ୍ରାହକ ସଂଖ୍ୟା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଟେଲି ସାନ୍ଦ୍ରତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ବେଳେ ଏହା ୭୭.୭ ପ୍ରତିଶତରେ ପହଞ୍ଚିଛି, ଯଦିଓ ଓଡ଼ିଶା କମ୍ ଟେଲି ସାନ୍ଦ୍ରତା ରହିଥିବା ୫ଟି ରାଜ୍ୟ ମଧ୍ୟରେ ରହିଛି ।

ଜାତୀୟସ୍ତରରେ ମଧ୍ୟ ନୂତନ ଗ୍ରାହକ ସୃଷ୍ଟି କ୍ଷେତ୍ରରେ ରିଲାଏନ୍ସ ଜିଓ ଅଗ୍ରଣୀ ରହିବ ସହିତ ଫେବୃଆରୀ ମାସରେ ୭୮ ଲକ୍ଷ ନୂତନ ଗ୍ରାହକ ସାମିଲ କରିବାକୁ ସକ୍ଷମ ହୋଇଛି, ଏହା ପଛକୁ ବିଏସ୍ଏନ୍ଏଲ୍ ଜାତୀୟସ୍ତରରେ ପ୍ରାୟ ୯ ଲକ୍ଷ ନୂତନ ଗ୍ରାହକ ସୃଷ୍ଟି କରିପାରିଥିବା କୁହାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ ୩୦୧୮-୧୯ ଆର୍ଥିକ ବର୍ଷର ଚୂଡ଼ାନ୍ତ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରିବା ପରିପ୍ରେକ୍ଷୀରେ ଜାତୀସ୍ତରରେ ରିଲାଏନ୍ସ ଜିଓ ଏହାର ଗ୍ରାହକ ସଂଖ୍ୟା ୩୦ କୋଟିରୁ ଊଦ୍ଧ୍ୱର୍ରେ ପହଞ୍ଚିଥିବା ଘୋଷଣା କରିଥିଲା । ଏହିକ୍ରମରେ ବର୍ତ୍ତମାନ ରିଲାଏନ୍ସ ଜିଓ ଗ୍ରାହକ ସଂଖ୍ୟାରେ ଭାରତୀ ଏୟାରଟେଲକୁ ଅତିକ୍ରମ କରିବା ସହିତ ଦ୍ୱତୀୟ ବୃହତ ଟେଲିକମ ଅପରେଟର ଭାବେ ପ୍ରତିଷ୍ଠା ଲାଭ କରିଛି ଏବଂ ସବୁଠାରୁ ଅଧିକ ଗ୍ରାହକ ରହିଥିବା ଭୋଡାଫୋନ ଆଇଡିଆ’ର ନିକଟବର୍ତ୍ତୀ ହୋଇପାରିଛି ।

ପ୍ରକାଶଯୋଗ୍ୟ ଯେ, ଗତ କିଛି ମାସ ଧରି ଜିଓ ଓଡ଼ିଶାରେ ନିରବଚ୍ଛିନ୍ନ ଭାବେ ନୂତନ ଗ୍ରାହକ ସୃଷ୍ଟି କରି ଚାଲିଛି ଏବଂ ଗ୍ରାମାଞ୍ଚଳରେ ସର୍ବାଧିକ ସଂଖ୍ୟାରେ ନୂତନ ଗ୍ରାହକ ସୃଷ୍ଟି କରି ୨୦୧୮ ବର୍ଷର ପ୍ରତ୍ୟେକ ମାସରେ ସର୍ବାଧିକ ଗ୍ରାହକ ସାମିଲ କରିଛି । ରିଲାଏନ୍ସ ଜିଓ ପକ୍ଷରୁ ଅପେକ୍ଷାକୃତ ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦିଆଯାଉଥିବା ୪ଜି ଫିଚର-ରିଚ୍ ଜିଓ ଫୋନ୍ ଗ୍ରାମାଞ୍ଚଳରେ ସର୍ବାଧିକ ଚାହିଦା ସୃଷ୍ଟି କରିପାରିଥିବା ବେଳେ କେବେ ହେଲେ ଟେଲିକମ୍ ବ୍ୟବସ୍ଥା ସହ ସଂଯୋଗ ହୋଇନଥିବା ଲୋକମାନେ ଏହି ବ୍ୟବସ୍ଥା ମାଧ୍ୟରେ ସର୍ବୋକ୍ରୃଷ୍ଟ ସେବା ଉପଯୋଗ କରି ସେମାନଙ୍କ ଜୀବନଧାରାକୁ ଅଧିକ ରୋମାଞ୍ଚମୟ କରିବାକୁ ସୁଯୋଗ ପାଇଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୧୮ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସିକ ପାଇଁ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ପ୍ରଦର୍ଶନକୁ ନେଇ ଟ୍ରାଏ ପକ୍ଷରୁ ପ୍ରକାଶ କରାଯାଇଥିବା ସୂଚକାଙ୍କ ରିପୋର୍ଟରେ ଓଡ଼ିଶାର ପ୍ରାୟ ୬୬ ପ୍ରତିଶତ ମୋବାଇଏ ଉପଭୋକ୍ତା କେବଳ ଗ୍ରାମାଞ୍ଚଳର ବୋଲି ଦର୍ଶାଯାଇଛି ।


Share It

Comments are closed.