ଲଗାତର ୩ୟ ଥର ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେଲେ ବେଜୋସ


ନୂଆଦିଲ୍ଲୀ,୯ ଏପ୍ରିଲ ୨୦୨୦: କରୋନା ମହାମାରୀ ଯୋଗୁ ବିଭିନ୍ନ ଦେଶର ଅର୍ଥବ୍ୟବସ୍ଥା ବୁଡିବା ସ୍ଥିତିରେ ପହଂଚିଲାଣି । ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଉଛନ୍ତି । କିନ୍ତୁ ଏହାସତ୍ୱେ ଆମାଜନ୍‌ର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେଫ୍ ବେଜୋସ୍ ୧୧୩୩ ବିଲିୟନ ଡଲାର ସହ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ରୂପେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଫୋର୍ବସ୍‌ର ୩୪ତମ ବାର୍ଷିକ ବିଶ୍ୱ ଅରବପତିଙ୍କ ତାଲିକାରେ ଏହି ତଥ୍ୟ ପ୍ରକାଶ ପାଇଛି ।
ଫୋର୍ବସ୍ ପକ୍ଷରୁ କୁହାଯାଇଛି ଯେ, ଚଳିତ ଥର ତାଲିକାରେ ଜେଫ୍ ବେଜୋସ୍‌ଙ୍କ ପୂର୍ବ ପତ୍ନୀ ମ୍ୟାକେଞ୍ଜି ବେଜୋସ୍‌ଙ୍କ ନାମ ମଧ୍ୟ ସାମିଲ ହୋଇଛି । ୩୬ ବିଲିୟନ ଡଲାରର ମୋଟ ସମ୍ପତି ସହ ସେ ଏହି ତାଲିକାରେ ୨୨ତମ ସ୍ଥାନରେ ରହିଛନ୍ତି । ସେହିପରି ଏହି ତାଲିକାରେ ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ୍ ଗେଟ୍‌ସ ୯୮ ବିଲିୟନ ଡଲାରର ସମ୍ପତି ସହ ୨ୟ ସ୍ଥାନରେ ରହିଥିବା ବେଳେ ଲକ୍‌ଜରୀ ମ୍ୟାଗ୍ନେଟ୍ (ଏଲ୍‌ଭିଏମ୍‌ଏଚ୍‌ଏଫ୍‌)ର ଅଧ୍ୟକ୍ଷ ଓ ସିଇଓ ବର୍ଣ୍ଣାର୍ଡ ଅର୍‌ନଲ୍ଟ ୭୭୬ ବିଲିୟନ ଡଲାରର ସମ୍ପତି ସହ ୩ୟ ସ୍ଥାନରେ ରହିଛନ୍ତି । ୬୭.୫ ବିଲିୟନ ଡଲାର ସହ ୱାରେ୍‌ନ୍ ବଫେଟ୍ ୪ର୍ଥ ସ୍ଥାନରେ ରହିଛି । ବିଶ୍ୱର ସବୁଠାରୁ ଧନୀ ମହିଳା ଭାବେ ୱାଲ୍‌ମାର୍ଟର ଉତରାଧିକାରୀ ଆଲାଇସ୍ ୱାଲ୍‌ଟନ୍ ନିଜର ସ୍ଥାନ ବଜାୟ ରଖିଛନ୍ତି । ସେ ୫୪.୪ ବିଲିୟନ ଡଲାର ସହ ତାଲିକର ୯ମ ସ୍ଥାନରେ ରହିଛନ୍ତି ।


Share It

Comments are closed.